ସରିଲା ପ୍ରସିଦ୍ଧ ହରିରାଜପୁର ପଞ୍ଚୁ ଦୋଳ ମେଳଣ, ହରିହର ଭେଟ ଦର୍ଶନ କଲେ ଭକ୍ତ - Harirajpur’s Dola Melana - HARIRAJPUR’S DOLA MELANA

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 4, 2024, 10:24 PM IST

Harirajpur Dola Melana Ends: ନିମାପଡା: ସରିଲା ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁ ଦୋଳ ମେଳଣ । ଅନ୍ତିମ ଦିବସରେ 7 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଫଗୁ ରଙ୍ଗରେ ରଙ୍ଗିନ ହୋଇ ଯାଇଥିଲା ପରିବେଶ । ଏହା ସହିତ ଠାକୁରଙ୍କ ହରିହର ଭେଟ ବେଶ୍ ରୋମାଞ୍ଚକର ହେବା ସହିତ ସେଠାରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ଧାଡ଼ି ହୋଇ ବସି ରହିଥିଲା ଦୋଳ ବିମାନ । ବିମାନ ମଧ୍ୟରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । କୋଣ ଅନୁକୋଣର ୮୪ ଟି ଗ୍ରାମର ଆରାଧ୍ୟ ଠାକୁର ଏକତ୍ରିତ ହୋଇ ଦର୍ଶନ ଦେଇଥିଲେ ଭକ୍ତଙ୍କୁ । କାହିଁ କେତେ ଦୂରରୁ ଭକ୍ତ ଅବିର ଖେଳିବା ପାଇଁ ଛୁଟି ଆସିଥିଲେ ଏହି ହରିରାଜପୁର ଗ୍ରାମକୁ । ଶେଷ ଦିନରେ ଖରାକୁ ଖାତିର ନ କରି ଲାଗି ପଡ଼ିଥିଲେ ମହାପ୍ରଭୁଙ୍କ ଏହି ମହାନ ସେବାରେ । ଭକ୍ତର ହାତର ଅବିରର ସ୍ପର୍ଶ ପାଇବାକୁ ଯେପରି ଅପେକ୍ଷା କରି ରହିଥିଲେ ଭଗବାନ ଶଙ୍କର ପାର୍ବତୀ ଙ୍କ ସହିତ ରାଧା କୃଷ୍ଣ । ଭକ୍ତ ଓ ଭଗବାନଙ୍କର ଏପରି ଏକ ଅପୂର୍ବ ଭକ୍ତି ଭାବ ଭରା ମିଳନ ଦେଖିବାକୁ ପ୍ରତ୍ୟେକ ବର୍ଷ ଅପେକ୍ଷା କରି ରହିଥାନ୍ତି ଭକ୍ତ ।  ବାଦ୍ୟ, ଘଣ୍ଟର ତାଳେ ତାଳେ ଝୁମନ୍ତି ଭକ୍ତ ଓ ଭଗବାନ l 

ଏହା ମଧ୍ୟ ପଢନ୍ତୁ ... ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଦୋଳମେଳଣ ଉତ୍ସବ - Dolo Melana

ମେଲଣର ସ୍ଥାନାଧିପତି ମହାପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କର ଏହା ହେଉଛି ସବୁଠାରୁ ବଡ଼ ପର୍ବ । ଦୀର୍ଘ ପାଞ୍ଚଦିନ ଧରି ଏହି ମେଲଣ ଚାଲିଥାଏ । ଶେଷ ଦିନରେ ସଂଧ୍ୟାରେ ଠାକୁରଙ୍କ ନିକଟରେ ହାଣ୍ଡିରେ ଭୋଗ ଲାଗି କରାଯିବା ପରେ ଠାକୁର ନିଜ ଆସ୍ଥାନକୁ ଫେରିବା ସମୟରେ ଏକ  ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥାଏ । ହରି ହର ଭେଟ ସମୟରେ ଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଥାଏ ଭକ୍ତ ମଧ୍ୟରେ । ସେଥିପାଇଁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ ।ଭିଡ଼କୁ ଆଖି ଆଗରେ ରଖିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଥାଏ ।  

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.