thumbnail

By ETV Bharat Odisha Team

Published : Mar 5, 2024, 10:57 AM IST

ETV Bharat / Videos

ଇଣ୍ଟରନେଟ ଯୁଗରେ ଆଜିବି ଲୋକପ୍ରିୟ ରହିଛି ରେଡିଓ: ସୁବ୍ରତ ପତି

Community Radio Station: ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲର ଶ୍ରୀରାମପୁରଠାରେ ରହିଛି ଗୋଷ୍ଠୀ ବେତାର କେନ୍ଦ୍ର । ଏହା ରେଡ଼ିଓ ଆଉଟରିଚ୍‌ ନାମରେ ଗତବର୍ଷ ଡିସେମ୍ବର ମାସରେ ଲୋକାର୍ପିତ ହୋଇଥିଲା । ଏହାକୁ ଜିଲ୍ଲାର ଶ୍ରୀରାମପୁର ଗାଁର ସୁବ୍ରତ କୁମାର ପତି ସ୍ଥାପନ କରିଛନ୍ତି । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର ଜଣେ ସଫଳ ଉପସ୍ଥାପକ ଭାବେ ବେଶ ପରିଚୟ ସୃଷ୍ଟି କରିଥିବାବେଳେ ତାଙ୍କର ରେଡିଓ ପ୍ରତି ରହିଛି ବେଶ ଦୁର୍ବଳତା । ଏହାକୁ ନେଇ ଗତ କିଛିଦିନ ତଳେ ଭୁବନେଶ୍ୱରରେ ଏକ ରେଡିଓ ପ୍ରଦର୍ଶନୀର ଆୟୋଜନ କରିଥିବା ବେଳେ ରେଡିଓ ମାଧ୍ୟମରେ କିଭଳି ଶ୍ରୋତାଙ୍କୁ ବାନ୍ଧି ରଖାଯାଇ ପାରିବ, ସେନେଇ ତାଙ୍କର ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଆକାଶବାଣୀ ଓ ଦୂରଦର୍ଶନରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ କାର୍ଯ୍ୟ କରିବା ସହିତ ଢେଙ୍କାନାଳସ୍ଥିତ IIMC ଠାରେ ପିଲାମାନଙ୍କୁ ଗଣଯୋଗାଯୋଗ ଭିତ୍ତିକ ଶିକ୍ଷାଦାନ କରିଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଗତସିଂହପୁରରେ ରେଡ଼ିଓ ଆଉଟରିଚ୍‌ ଲୋକାର୍ପିତ, ଖବର ସହ ମନୋରଞ୍ଜନର ଖୋରାକ୍‌ ପାଇବେ ଶ୍ରୋତା

ଏନେଇ ସୁବ୍ରତ ପତି କହିଛନ୍ତି, "ବର୍ତ୍ତମାନ ବି କେବଳ ରାଜ୍ୟ ନୁହେଁ, ସାରା ଦେଶରେ ରେଡିଓର ଲୋକପ୍ରିୟତା ରହିଛି । ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ । ଏହି ରାଜ୍ୟରେ ବନ୍ୟା ବାତ୍ୟା ଆଦି ଦୁର୍ବିପାକ ଚିର ସହଚର । ସେଥିପାଇଁ ବନ୍ୟା କିମ୍ବା ବାତ୍ୟା ସମୟରେ ଖବର ଜାଣିବା ପାଇଁ ରେଡ଼ିଓ ଉପରେ ସମସ୍ତେ ନିର୍ଭରଶୀଳ ହୋଇ ରହିଥାନ୍ତି । ରେଡିଓ କାର୍ଯ୍ୟରେ କେବେ ବାଧା ସୃଷ୍ଟି କରେନାହିଁ । ରେଡିଓ ମାଧ୍ୟମରେ ଶ୍ରୋତାମାନେ କୃଷି ଭିତ୍ତିକ ସୂଚନା, ଲୋକକଳା, ପର୍ବ ପର୍ବାଣୀ ଠାରୁ ଆରମ୍ଭ କରି ପୌରାଣିକ କଥାବସ୍ତୁକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଶୁଣିବାକୁ ପାଇଥାଆନ୍ତି । ଯାହା ଅନ୍ୟ କୌଣସି ଠାରେ ଦେଖାଯାଏ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କରେ ଇଣ୍ଟରନେଟର ତୀବ୍ରତା ବହୁତ ଅଧିକ । ଭାରତ ଠାରୁ ବହୁ ଆଗରୁ ସେମାନଙ୍କ ଦେଶରେ 5G ସେବା ଆରମ୍ଭ ହେଲାଣି । କିନ୍ତୁ ଏକ ତଥ୍ୟ ଅନୁସାରେ ପାଶ୍ଚାତ୍ୟ ଦେଶ ମାନଙ୍କରେ ମଧ୍ୟ ରେଡିଓ ଆଜି ବି ଲୋକପ୍ରିୟତା ଅର୍ଜନ କରିଛି ବୋଲି କହିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.