ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ; ଆଜିଠୁ ତିନି ରଥରେ ରଙ୍ଗ ଚିତ୍ର କାର୍ଯ୍ୟ ଆରମ୍ଭ - RathaKhala Halchal

By ETV Bharat Odisha Team

Published : Jun 21, 2024, 5:09 PM IST

thumbnail
ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ; ଆଜିଠୁ ତିନି ରଥରେ ରଙ୍ଗ ଚିତ୍ର କାର୍ଯ୍ୟ ଆରମ୍ଭ (ETV Bharat Odisha)

ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରା ପାଖେଇ ଆସୁଛି । ରଥ ନିର୍ମାଣ କାର୍ଯ୍ୟ ମଧ୍ଯ ଆଗେଇ ଚାଲିଛି । ଗତକାଲି ସୁଦ୍ଧା ତିନି ରଥରେ ପୋଲ ଗୟଳ ଏବଂ ଛନ୍ଦା ଗୟଳ ମୋଡା ଶେଷ ହୋଇଥିଲା । ତିନି ରଥର ଯୋକା ଫିଟିଙ୍ଗ ପାଇଁ, ଗତକାଲି ଭୋଇ ସେବକ ମାନେ ମୋଟ ୪୪ ଗୋଟି ଯୋକାକୁ ତିନି ରଥରେ ଡେରି ଥିଲେ । ଆଜି ତିନି ରଥର ମହାରଣା ସେବକ ମାନେ ଯୋକା ଗୁଡିକରେ କାପ ଖୋଦେଇ ଶେଷ କରି ତାଳଧ୍ଵଜ ରଥର ୧୬ ଟି, ଦର୍ପଦଳନ ରଥ ର ୧୨ ଟି ଏବଂ ନନ୍ଦିଘୋଷ ରଥରେ ୧୬ ଗୋଟି ଯୋକା ଫିଟିଙ୍ଗ କରାଯିବା ପରେ ଓଝା ସେବକଙ୍କ ଦ୍ଵାରା କଣ୍ଟା ବସିବା ଶେଷ ହୋଇଛି । ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ଦ୍ୱିତୀୟ ଭୂଇଁ ଫ୍ରେମ ସେଟିଂ ଆରମ୍ଭ ହୋଇଛି । ଏହି ଦ୍ୱିତୀୟ ଭୂଇଁ, ୧୬ ଫୁଟର ୪ ଗୋଟି ଭୂଇଁ ଚଉତା କୁ ବର୍ଗାକାର ଭାବେ ପ୍ରତ୍ୟେକ ବାହୁ ସଂଯୋଗ ହୋଇ ତାର ଉଭୟ ପାର୍ଶ୍ୱରେ ୧୨ ଫୁଟର ଦୁଇଟି ଓରା ପକା ଯାଇଅଛି । ଉକ୍ତ ଓରାରେ ଚାରୋଟି ଲେଖାଏଁ ଖମ୍ବି ସଂଯୋଗ ହୋଇ ଏହାର ଚାରି ପାର୍ଶ୍ବରେ ଚାରିଟି ଲେଖାଏଁ ୧୬ ଗୋଟି ଛିଆଣ, ଭୂଇଁ ଖମ୍ବି ସଂଯୋଗ ହବା ପରେ ଭୂଇଁ ଶେଣି ଉପରେ ମାଛ ପାତିଆ ଓ ସିଆଣ ସଂଯୋଗ ହୋଇ ପରୀକ୍ଷା ମୂଳକ ଭାବେ ନିର୍ମାଣ ଶେଷ ପରେ ଭୂଇଁ ର ପ୍ରତ୍ୟେକ ଅଂଶ ନମ୍ୱରିଙ୍ଗ ହୋଇ ଖୋଲାଯିବ। ଏଥିସହ ତିନି ରଥର ୫ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣି ଚଉପଟ କାର୍ଯ୍ୟ ଶେଷ ହୋଇଛି । ରୂପକାର ସେବକ ମାନେ ତିନି ରଥର ଦୁଆର ବେଢ଼ା ପାଇଁ ୨୪ ଗୋଟି ନାଟଗୋଡ ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି । ଚିତ୍ରକାର ସେବକ ମାନେ ତିନି ରଥର ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି, ସକ୍ଷୀ, ଓଲଟ ଶୁଆ ଏବଂ ଦେବ ଦେବୀ ଆସ୍ଥାନ ଫ୍ରେମ ଗୁଡ଼ିକୁ ସଫା କରି ସାଇତିଛନ୍ତି। ଆଜି ଠାରୁ ଚିତ୍ରକାର ସେବକ ମାନେ ରଙ୍ଗ ଚିତ୍ର ଆରମ୍ଭ କରିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କୁଅମାର ଶାଳରେ ଓଝା ସେବକ ମାନେ ତିନି ଭୂଇଁ ପାଇଁ ବିଡିଆ କଣ୍ଟା ନିର୍ମାଣ ଶେଷ କରି ତିନି ରଥର ପୋଟଳ ପାଇଁ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.