ସାଇଡ୍ ନଦେବାରୁ ଲକ୍ଷ୍ମୀ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ, ଦେଖନ୍ତୁ ଦୃଶ୍ୟ - Attack on LAccMI bus driver

By ETV Bharat Odisha Team

Published : Mar 24, 2024, 10:53 AM IST

thumbnail

ATTACK ON LACCMI BUS DRIVER: ଖୋର୍ଦ୍ଧା: ସାଇଡ୍ ନଦେବାରୁ ଲକ୍ଷ୍ମୀ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ  । ମଝି ରାସ୍ତାରେ ବସ୍ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୋବାଇଲ ଛଡାଇନେଲେ ଦୁଇ ବ୍ୟକ୍ତି । ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି, ଯାହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ବୋଲଗଡ ବ୍ଲକର ସାଗରଗୁଆରୁ ଆରିକିମା ଓ ବାଙ୍କୋଇ ଦେଇ ଲକ୍ଷ୍ମୀ ବସ୍ ଯାଉଥିଲା । ଆରିକିମା ବାଙ୍କୋଇ ରାସ୍ତାରେ ପଛରେ ଆସୁଥିବା ଗୋଟିଏ ବୋଲେରୋ OD33AH 1421 ବସକୁ ଓଭରଟେକ କରିବା ପାଇଁ ସାଇଡ୍ ମାଗିଥିଲା । କିନ୍ତୁ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବସ୍ ଡ୍ରାଇଭର ବୋଲେରୋକୁ ସାଇଡ୍ ଦେଇ ପାରିନଥିଲେ । ଏଥିରେ ରାଗିଯାଇ ବୋଲେରୋ ଥିବା ଦୁଇ ଜଣ ବ୍ୟକ୍ତି ଆରିକିମା ବାଙ୍କୋଇ ରାସ୍ତା ମଧ୍ୟରେ ବସକୁ ଅଟକାଇ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ କରିବା ସହିତ ମୋବାଇଲ ଛଡାଇ ନେଇଥିଲେ । 

ଏନେଇ ଲକ୍ଷ୍ମୀ ବସ ଡ୍ରାଇଭର ପ୍ରମୋଦ କୁମାର ପାତ୍ର ବାଙ୍କୋଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ 73/2024ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ବସ୍ ଭିତରେ ଏହି ଆକ୍ରମଣର ଦୃଶ୍ୟରେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗ୍ରାମାଞ୍ଚଳର ଜନସାଧାରଣଙ୍କ ଯାତାୟତ ଉଦ୍ଦେଶ୍ଯରେ ପଞ୍ଚାୟତରୁ ବ୍ଲକକୁ ଚଳପ୍ରଚଳ କରୁଛି ଲକ୍ଷ୍ମୀ ବସ୍ । କିନ୍ତୁ ଗ୍ରାମାଞ୍ଚଳର ସଂକୀର୍ଣ୍ଣ ରାସ୍ତାରେ ଲକ୍ଷ୍ମୀ ବସ୍ ଚଳପ୍ରଚଳରେ ସମସ୍ୟା ଉପୁଜିଛି । ରାସ୍ତାରେ ଗୋଟିଏ ବସ୍ ଗଲେ ଅନ୍ୟପଟୁ ଆସୁଥିବା ଗାଡି ଯିବାକୁ ରାସ୍ତା ନଥିବା ଦେଖିବାକୁ ମିଳୁଛି । 

 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.