ମହିଳାଙ୍କୁ କଚାଡି ମାରିଲା ଦନ୍ତା ହାତୀ, ଡ୍ରୋନରେ କଏଦ ହେଲା ଛାତିଥରା ଦୃଶ୍ୟ - elephant attack - ELEPHANT ATTACK
Published : Mar 30, 2024, 10:13 AM IST
Elephant attack: ରାଉରକେଲା: ପୁଣି ଜୀବନ ନେଲା ଗଜରାଜ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନ୍ଧଲ ଅଞ୍ଚଳରେ ମହିଳାଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଏହି ଦୃଶ୍ୟ ବନ ବିଭାଗର ଡ୍ରୋନରେ କଏଦ ହୋଇଛି । ତେବେ ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ବେଳେ ପଛପଟୁ ଏକ ଦନ୍ତା ଆସି ତାଙ୍କୁ କଚାଟି ମାରିଥିବା ଦେଖିବାକୁ ମିଳିଛି । ମୃତକ ହେଲେ ସୁଶୀଳା ନାଏକ । ଏହି ଘଟଣା ଯୋଗୁଁ ବର୍ତ୍ତମାନ ବନ୍ଧଲ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ମଧ୍ୟ ଏହି ଅଞ୍ଚଳରେ ପାଟ୍ରୋଲିଂ ଜୋରଦାର କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ବାଲେଶ୍ବରରେ ଝାଡ଼ଖଣ୍ଡୀ ହାତୀ ପଲ, ଗାଁରେ ପଶିଲେ ନଷ୍ଟ କଲେ ଫସଲ
ଅନ୍ୟପଟେ ଏହି ଅଭାବନୀୟ ଦୃଶ୍ୟ ବନବିଭାଗର ଡ୍ରୋନରେ ରେକର୍ଡ ହୋଇଛି । ମହିଳାଙ୍କୁ ଦନ୍ତା ହାତୀ କଚାଡି ମାରିବାର ଘଟଣା ଡ୍ରୋନ କ୍ୟାମେରା ଏବଂ ଥର୍ମାଲ ସେନ୍ସର କ୍ୟାମେରାରେ ମଧ୍ୟ ରେକର୍ଡ ହୋଇଛି । ଲୋକମାନଙ୍କ ସାମ୍ନାରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ କୋଇଡା ବନବିଭାଗ ଓ ପୋଲିସ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ଏଥିସହ ତଦନ୍ତ କରିଛି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ସେହି ଅଞ୍ଚଳରେ ପାଟ୍ରୋଲିଂ ବଢାଇ ଦିଆଯାଇଛି ।
ସୁନ୍ଦରଗଡ ଜିଲ୍ଲାରେ ହାତୀ ମଣିଷ ଲଢେଇ ଜାରି ରହିଛି । କେତେବେଳେ ହାତୀ ମଣିଷକୁ ମାରୁଛି ତ କେତେବେଳେ ମଣିଷ ହାତୀର ଶିକାର କରୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଏକପ୍ରକାର ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ବନ ବିଭାଗ ପକ୍ଷରୁ ଡ୍ରୋନ, ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଉଥିଲେ ମଧ୍ୟ ହାତୀ ମଣିଷ ଲଢେଇରେ ବ୍ରେକ ଲାଗୁନାହିଁ ।
ଇଟିଭି ଭାରତ, ରାଉରକେଲା