ଜେଲରେ ବ୍ରାଉସୁଗାର ବେପାର ଘଟଣାରେ ପୋଲିସର ଛାନଭିନ୍ - ଖୋର୍ଦ୍ଧା ଜେଲ
Published : Feb 23, 2024, 10:49 AM IST
|Updated : Feb 23, 2024, 2:39 PM IST
Khordha Brown Sugar Business ଖୋର୍ଦ୍ଧା: ଖୋର୍ଦ୍ଧାରେ କିଛି ଦିନ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ନିଶା ମାଫିଆଙ୍କ ନିଶା ବେପାର । ଜେଲ ଭିତରୁ ମିଳିଥିବା ଏକ ମୋବାଇଲ କଲ ରେକର୍ଡକୁ ଯାଞ୍ଚ କରି ପୋଲିସ ଏକ ବଡ ରାକେଟକୁ ଠାବ କରିଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗତକାଲି (ଗୁରୁବାର) ଖୋର୍ଦ୍ଧା ଜେଲ ଭିତରେ ଚଢ଼ାଉ କରିଥିଲା । ଏସିଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଆଦର୍ଶ ଥାନାର ଅତିରିକ୍ତ ଥାନା ଅଧିକାରୀ ସୁଚିତ୍ରା ଜେନାଙ୍କ ସମେତ ଏକ ଟିମ ଜେଲ ଭିତରେ ଚଢ଼ାଉ କରିଥିଲେ । ବ୍ରାଉନସୁଗାର କାରବାରରେ ଲିପ୍ତ ଅଭିଯୁକ୍ତମାନଙ୍କୁ କିଏ ଦେଖା କରିବାକୁ ଆସୁଛି, ସେମାନଙ୍କ ସଂପର୍କରେ ଯାଞ୍ଚ କରିଥିଲେ । ପ୍ରାୟ ଏକ ଘଣ୍ଟା ଧରି ଏହି ଯାଞ୍ଚ କାର୍ଯ୍ୟ ଚାଲିଥିଲା । ଜେଲ ସୁପରିଟେଣ୍ଡେଣ୍ଟ ଯାଞ୍ଚ ସମୟରେ ସହଯୋଗ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ଜେଲ ସୁପରିଟେଣ୍ଡେଣ୍ଟ ଜେଲ କୋଠରୀରେ ଥିବା କଏଦୀଙ୍କଠାରୁ ଏକ ମୋବାଇଲ ମିଳିବା ସଂପର୍କରେ ଥାନାରେ ଲିଖିତ ସୂଚନା କରିଥିଲେ । ଏହି ସୂଚନାକୁ ଆଧାର କରି ପୋଲିସ ମୋବାଇଲ ସିଜ କରିଥିଲା । ଗତ ମଙ୍ଗଳବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଜେଲ ଭିତରେ ମୋବାଇଲ ଯୋଗେ ବ୍ରାଉନ ସୁଗାର କାରବାର ଧରାପଡ଼ିବା ପରେ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ପହଞ୍ଚିଛି । ଏସପିଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ଟିମ ବ୍ରାଉନସୁଗାର କାରବାର ଉପରେ ରୋକ ଲଗାଇବାକୁ ପଦକ୍ଷେପ ନେଇଛି ।
ଏହା ମଧ୍ୟ ପଢ଼ନ୍ତୁ....ଜେଲରୁ ଚାଲୁଛି ଡ୍ରଗ ବ୍ୟବସାୟ, ଖବର ପାଇ ଜବତ କଲା ଖୋର୍ଦ୍ଧା ପୋଲିସ
ଇଟିଭି ଭାରତ, ଖୋର୍ଦ୍ଧା