ସମ୍ବଲପୁରରେ ଉଜ୍ଜଳା ମ୍ୟାନଙ୍କୁ ବିରୋଧ କଲେ ଉଜ୍ଜଳା ଦିଦି - Ujjwala Didi Protest - UJJWALA DIDI PROTEST
Published : May 7, 2024, 5:33 PM IST
ସମ୍ବଲପୁର: ଜିଲ୍ଲାରେ ଉଜ୍ବଳା ମ୍ୟାନଙ୍କୁ ବିରୋଧ l କେନ୍ଦ୍ରମନ୍ତ୍ରୀ ତଥା ଉଜ୍ବଳା ମ୍ୟାନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଲେ ଉଜ୍ଜଳା ଦିଦି । ଆଜି (ମଙ୍ଗଳବାର) ସମ୍ବଲପୁର ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ସାରି ଫେରିବା ସମୟରେ ଧର୍ମେନ୍ଦ୍ରଙ୍କୁ ଉଜ୍ବଳା ଦିଦିମାନେ ବିରୋଧ କରିଛନ୍ତି । ଧର୍ମେନ୍ଦ୍ର ହୋଟେଲରୁ ବାହାରି କାରରେ ଯାଉଥିବା ବେଳେ ଓଡ଼ିଶା ଉଜ୍ଜ୍ଵଳା ଦିଦି ସଂଘର ସଦସ୍ୟାମାନେ ତାଙ୍କ ସହ ଭେଟି କଥା ହେବାକୁ ଚେଷ୍ଟା କରିଥିଲେ l ହେଲେ କେନ୍ଦ୍ରମନ୍ତ୍ରୀ କାର୍ରୁ ନ ବାହାରି ଚାଲି ଯାଇଥିଲେ । ଏଥିରେ ରାଗିଯାଇ ତାଙ୍କ ଗାଡି ପାର୍ଶ୍ଵରେ ଉଜ୍ଜ୍ଵଳା ଦିଦିମାନେ ନାରାବାଜି କରିଥିଲେ l ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ, ଧର୍ମେନ୍ଦ୍ର ପ୍ରଧାନ ହାଏ ହାଏ, ଇଗୋ ମ୍ୟାନ ଧର୍ମେନ୍ଦ୍ର ପ୍ରଧାନ ଭଳି ବିଭିନ୍ନ ନାରାବାଜି କରୁଥିବାର ଶୁଣିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ୱଳା ଦିଦି ! - Ujala Didi Union Protest
ଏନେଇ ଓଡ଼ିଶା ଉଜ୍ବଳା ଦିଦି ସଂଘ ପକ୍ଷରୁ କୁହାଯାଇଛି ଯେ, 2019 ମସିହାରେ ସାରା ରାଜ୍ୟରେ 30ଟା ଜିଲ୍ଲାରେ 12 ହଜାର ଉଜ୍ବଳା ଦିଦିଙ୍କୁ ନିଯୁକ୍ତି ଓ ତାଲିମ ଦିଆଯାଇ ସେମାନଙ୍କୁ ପ୍ରମାଣପତ୍ର ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ସେହି ସମୟରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପାଳନ ହୋଇନାହିଁ । ମାଗଣାରେ ଓଡ଼ିଶାର 12 ହଜାର ଉଜ୍ଜଳା ଦିଦିଙ୍କୁ ଖଟା ଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର