ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ‘ଖଡ଼ିଆଳ ମହୋତ୍ସବ’ର ଉଦଘାଟନୀ ସଂଧ୍ୟା - KHADIAL MAHOTSAV 2025
Published : Feb 4, 2025, 1:42 PM IST
ନୂଆପଡ଼ା: ପାରମ୍ପରିକ ନାଚ ଗୀତରେ ଦୁଲୁକିଲା ଖଡ଼ିଆଳ ମହୋତ୍ସବ-୨୦୨୫ । ଆଧୁନିକ ଚାକଚକ୍ୟ ମଧ୍ୟରେ ଦିନକୁ ଦିନ ହଜି ଯାଉଥିବା ଲୋକକଳା, ଲୋକନୃତ୍ୟ, ଲୋକଗୀତ, ସାହିତ୍ୟ ଓ ସଂସ୍କୃତିକୁ ପୂନର୍ଜୀବିତ କରି ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜିତ ହୋଇଛି । ସେହିପରି ଖଡ଼ିଆଳ ଅଞ୍ଚଳର ସୁଯୋଗ୍ୟ ସନ୍ତାନମାନଙ୍କ ସହିତ ସମାଜରେ ଅତୂଳନୀୟ କାମ କରି ସ୍ମୃତି ଛାଡି ଯାଇଥିବା ବରପୁତ୍ରମାନଙ୍କୁ ମନେ ପକାଇବାର ଅନନ୍ୟ ପରମ୍ପରା ପାଲଟିଛି ଏହି ମହୋତ୍ସବ ।
ଗତକାଲି (ସୋମବାର) ରଙ୍ଗୀନ ଆଲୁଅର ଝିକମିକ ସୁସଜ୍ଜିତ ମନଲୋଭା ସାଂସ୍କୃତିକ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି ଖଡ଼ିଆଳ ମହୋତ୍ସବ ୨୦୨୫ । ଏନେଇ ଖଡ଼ିଆଳ ରିସିପିଟି ପର୍ବତମାଳାରୁ ‘ବିଜୟ ମଶାଲ’ ଆସି ଖଡ଼ିଆଳ ମା'ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା । ସେଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଦୁଲଦୁଲି ବାଜା, ବୀର ଘୁମୁରା ବାଜା, ସଂକୀର୍ତ୍ତନ, ଘଣ୍ଟଘଣ୍ଟାର ତାଳେ ତାଳେ ମହୋତ୍ସବ ପଡିଆରେ ମଶାଲ ଶୋଭାଯାତ୍ରା ପହଞ୍ଚିଥିଲା । ପରେ ଉଦଘାଟନୀ ଉତ୍ସବରରେ ମୁଖ୍ୟଅତିଥି ଭାବେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟାକ୍ଷା ଡଲି ମାଝୀ ଯୋଗଦେଇ ମହୋତ୍ସବକୁ ଶୁଭ ଉଦଘାଟନ କରିଥିଲେ ।
ଏହା ମଧ୍ୟ ପଡ଼ନ୍ତୁ.. ଆଜିଠୁ ଖଣ୍ଡଗିରି ମେଳା, କାଲିଠୁ ଖାରବେଳ ମହୋତ୍ସବ |
ସାଂସ୍କୃତିକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମହୋତ୍ସବ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟବକ୍ତା ଭାବେ ଡକ୍ତର ଫଣିନ୍ଦମ ସିଂଦେଓ ଯୋଗଦେଇ ଖଡ଼ିଆଳ ମହୋତ୍ସବର ଗୁଣ, ଗାରିମା ଓ ସ୍ୱଭିମାନ ସମ୍ପର୍କରେ ଉଦବୋଧନ ଦେଇ ଆୟୋଜନକୁ ପ୍ରଶଂସା କରିଛନ୍ତି । ମହୋତ୍ସବରେ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ରାଜା ସାହେବ ଡ଼.ଜିତାମିତ୍ର ସିଂଦେଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦିପ, ଡିଏଫଓ ଅଜିଜ ଖାନ, ବିଡ଼ିଓ ନରସିଂ ଗାଡବା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିବା ବେଳେ ଡ଼.ସୁଶାନ୍ତ କୁମାର ବିଶି ମଞ୍ଚ ପରିଚାଳନା କରିଛନ୍ତି । ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ କଳାକାରମାନେ ଦଳଗତ ନୃତ୍ୟ ଗୀତ ପରିବେଷଣ କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଇଟିଭି ଭାରତ, ନୂଆପଡ଼ା