ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / videos

ମା’ ସମଲେଶ୍ୱରୀଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା - shodasa upachara

ସମ୍ବଲପୁର: ଓଡିଶାର ଅନ୍ୟତମ ପ୍ରମୁଖ ଦେବୀ ପୀଠ ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଅତି ନିଷ୍ଠାର ସହ ମା'ଙ୍କ ପୂଜା କରୁଛନ୍ତି ପୂଜକ । ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଷୋଡଶ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ପ୍ରାୟ ସମସ୍ତ ଶକ୍ତିପୀଠରେ ପ୍ରାକ-ଶାରଦୀୟ ପୂଜା ବିଧି ଭାବେ କରାଯାଉଥିବା ଏହି ପୂଜାରେ ରହିଛି ଭିନ୍ନ ନୀତିକାନ୍ତି ଓ ପୂଜାବିଧି ପରମ୍ପରା ।

ଷୋଡଶ ପୂଜା କେମିତି ହୁଏ?

ମନ୍ଦିରର ପୂଜକ ଅମ୍ବିକା ରାୟଙ୍କ କହିବା ଅନୁସାରେ, ପୀଠରେ ମା’ଙ୍କ କୌଣସି ବେଶ ହୋଇ ନଥାଏ । କେବଳ ମା'ଙ୍କ 16 ଟି ଜ୍ୟୋତି ସ୍ୱରୂପ କୁ ପୂଜା କରାଯାଇଥାଏ । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ 16ଦିନ ଧରି ଏଠାରେ ପୂଜା ହୋଇଥାଏ । ଏହି ସମୟରେ ମା' ଦୁଇ ବେଳେ ଦୁଇଗଙ୍ଗା ବେଶ ବା ଧଵଳମୁଖୀ ବେଶ ଓ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି । ଦୁର୍ଗା, ନାରାୟଣୀ, ଈଶାନୀ, ବିଷ୍ଣୁମାୟା, ଶିବା, ସତୀ, ନିତ୍ୟା, ସତ୍ୟା, ଭଗବତୀ, ଶର୍ବାଣୀ, ସର୍ବମଙ୍ଗଳା, ଅମ୍ବିକା, ବୈଷ୍ଣବୀ, ଗୌରୀ, ପାର୍ବତୀ, ସନାତନୀ ସ୍ୱରୂପରେ ମା’ଙ୍କୁ ପୂଜା କରାଯାଏ । ପ୍ରତ୍ୟେକ ଦିନ ରାତି 8ଟାରେ ମା’ଙ୍କ ଆଳତୀ ସମୟରେ ଏହି ସ୍ୱରୂପଙ୍କୁ ପୂଜା କରାଯାଇଥାଏ । ଏଠାରେ ରାଜସିକ ପଦ୍ଧତିରେ ପୂଜା ହୋଇଥାଏ । 16ଦିନ ଧରି ମା'ଙ୍କ ଯେଉଁ 16ଟି ସ୍ୱରୂପର ପୂଜା ହୋଇଥାଏ, ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ଆଉ ଭିନ୍ନ ଭିନ୍ନ ଭୋଗ ଲାଗିଥାଏ । କାକରା, ସତସତିଆ, ଖଇ, ଛେନା ଭୋଗ, ଫଳ, ଗୁଡ଼ ପିଠା ଆଦି ଭୋଗ ଲାଗି କରାଯିବାର ପରମ୍ପରା ରହିଛି ।

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ମା'; ନବରାତ୍ରୀରେ ଝଟକିବ ଏହି ରାଶିଙ୍କ ଭାଗ୍ୟ, ଘଟିବ ବଡ଼ ପରିବର୍ତ୍ତନ - Durga Puja Navratri Horoscope

ଏହା ମଧ୍ୟ ପଢନ୍ତୁ-ଏହି ମଣ୍ଡପରେ ଆରମ୍ଭ ହୋଇଥିଲା ଦୁର୍ଗା ପୂଜା ପରମ୍ପରା, ଶୁଭେ ମା’ଙ୍କ ଘୁଙ୍ଗୁର ଶବ୍ଦ ! - Binod Bihari Puja Mandap

ଅତି ନିଷ୍ଠାର ସହ ଷୋଡଶ ପୂଜା କରିଥାନ୍ତି ପୂଜକ:
ଷୋଡଶ ପୂଜା କରୁଥିବା ପୂଜକ ଅତି ନିଷ୍ଠା ଓ ନୀତି ନିୟମରର ସହ ରହିବାକୁ ପଡିଥାଏ ପୂଜକଙ୍କୁ ମୂଳାଷ୍ଟମୀ ଦିନରେ ନିଜର ପଇତା ବଦଳେଇବାକୁ ପଡିଥାଏ । ଏହା ସହ 16ଦିନ ଧରି ପୂଜକଙ୍କୁ ବ୍ରାହ୍ମଚର୍ଯ୍ୟ ପାଳନ କରିବାକୁ ପଡିଥାଏ । ପୂଜକଙ୍କୁ ଖଟରେ ଶୋଇବା ବାରଣ ହୋଇଥିବା ବେଳେ ଉପବାସରେ ରହିବାକୁ ପଡିଥାଏ । ସାଧାରଣ ଖାଦ୍ୟ ପରିବର୍ତ୍ତେ କେବଳ ମା'ଙ୍କ ଭୋଗ ଖାଇବାକୁ ଅନୁମତି ରହିଛି । ଏହି 16ଦିନ ଧରି ପୂଜକଙ୍କୁ ବାହାର ଖାଦ୍ୟ ପାନୀୟ ବାରଣ ହୋଇଥାଏ । ବାହାରେ ପାଣି ପିଇବା ମଧ୍ୟ ମନା ଅଛି । ଏଥିରେ କିଛି ବି ବ୍ୟତିକ୍ରମ କି ବିଭ୍ରାଟ ହେଲେ ପୂଜକଙ୍କ ଅନିଷ୍ଟ ହେବା ସୁନିଶ୍ଚିତ ବୋଲି କୁହନ୍ତି ମୂଖ୍ୟ ପୂଜକ ଅମ୍ବିକା ରାୟ । 

ସମଲେଶ୍ୱରୀ ମନ୍ଦିରର ମୂଖ୍ୟ ପୂଜକ ଅମ୍ବିକା ରାୟ କୁହନ୍ତି,"ମନ୍ଦିରରେ ଷୋଡ଼ଶ ପୂଜା ଉପଚାର ଚାଲୁଛି । ଭିନ୍ନ ଭିନ୍ନ ଦେବୀ ମନ୍ଦିରରେ ଭିନ୍ନ ଭିନ୍ନ ପୂଜା ଉପଚାର ଚାଲୁଛି । କେଉଁଠି ଦଶମହାବିଦ୍ୟା ପୂଜା ଚାଲିଛି ତ କେଉଁଠି ନବଦୁର୍ଗା ପୂଜା ଚାଲିଛି । ତେବେ ଆମର ଏଠି କୌଣସି ବେଶ ପୂଜା ହୁଏ ନାହିଁ । କେବଳ ଦୁଇଟି ବେଶ ଯଥା, ଧବଳମୁଖୀ ବେଶ ଓ ରାଜରାଜେଶ୍ୱରୀ ବେଶ । ବର୍ତ୍ତମାନ ଆମର 16 ଉପଚାର ପୂଜା ଯେଉଁ ଚାଲିଛି, ତାହା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details