ଓଡିଶା

odisha

କେନ୍ଦୁଝର ଲୋକସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସମସ୍ତଙ୍କୁ ନେଇ ଲୋକଙ୍କ ପାଖକୁ ଯିବି କହିଲେ ବିନୋଦ - Lok Sabha Election 2024

By ETV Bharat Odisha Team

Published : Apr 20, 2024, 10:28 PM IST

Lok Sabha Election 2024

Lok Sabha Election 2024: କେନ୍ଦୁଝର: ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦୁଝର ଲୋକସଭା ଆସନରୁ ବରିଷ୍ଠ ନେତା ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପ୍ରଥମେ ଏହି ଆସନରୁ ମୋହନ ହେମ୍ବ୍ରମଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଦଳ । କିନ୍ତୁ ଜିଲ୍ଲାର କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏପରିକି ପଦ ପଦବୀରେ ଥିବା ଅନେକ ନେତା ନିଜ ପଦରୁ ଇସ୍ତଫା ଦେଇଥିଲେ । ଶେଷରେ ନିଷ୍ପତ୍ତି ପରିବର୍ତ୍ତନ କରିଛି କଂଗ୍ରେସ । ଆଜି କଂଗ୍ରେସ ପକ୍ଷରୁ 16 ବିଧାନସଭା ଓ 3 ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ବିହାରୀଙ୍କ ନାମ ଘୋଷଣା କରାଯାଇଛି ।

ପ୍ରଥମେ ମୋହନ ହେମ୍ବ୍ରମଙ୍କ ନାଁ ଏହି ଆସନରୁ ଘୋଷଣା ହେବାପରେ ଦୁଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ଏପରିକି ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଡିସିସିର କର୍ମକର୍ତ୍ତା, ଜିଲ୍ଲାର ଛାମୁଆଁ ସଂଗଠନ ସଭାପତି, ବ୍ଲକ ସଭାପତି ଏବଂ ବରିଷ୍ଠ କଂଗ୍ରେସ ନେତାମାନେ ଏହାକୁ ବିରୋଧ କରି ନିଜ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । କଂଗ୍ରେସ ନେତାମାନେ ନିଜ ଜିଦରେ ଅଟଳ ରହି କଂଗ୍ରେସ ରହିବେ କିନ୍ତୁ ପଦବୀରେ ରହିବେ ନାହିଁ ବୋଲି କହିଥିଲେ । ଶେଷରେ ମୋହନ ହେମ୍ବ୍ରମଙ୍କୁ ବାଦ ଦେଇ ଇଂ ବିନୋଦ ବିହାରୀ ନାଏକଙ୍କୁ ଆଜି କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି କଂଗ୍ରେସ । ଏହାପରେ ସେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଓଡିଶା ପ୍ରଭାରୀ ଡଃ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ପ୍ରଚାର କମିଟି ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ସମସ୍ତ କଂଗ୍ରେସ ଛାମୁଆଁ ସଂଗଠନର ସଭାପତି, ବ୍ଲକ ସଭାପତି, ସମସ୍ତ କର୍ମକର୍ତ୍ତା ଏବଂ ଶୁଭେଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ: ନିମାପଡାରୁ ଲଢିବେ ସୁରଙ୍କ ପୁଅ - Congress Candidates List

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details