ନବୀନ ବାବୁ ପର ତିଅଣରେ ଅତିଥି ଚର୍ଚ୍ଚା କରିବାରେ ସିଦ୍ଧହସ୍ତ: ଧର୍ମେନ୍ଦ୍ର - Dharmendra Targets Naveen
Published : May 19, 2024, 10:41 PM IST
|Updated : May 19, 2024, 11:03 PM IST
Dharmendra Pradhan Targets CM Naveen Patnaik: ଅନୁଗୋଳ: ଆଜି ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଜାମୁରା ଠାରେ ଆୟୋଜିତ ଏକ ନର୍ବାଚନୀ ସଭାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ତାଙ୍କ ଉଦ୍ବୋଧନରେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝର ଜିଲ୍ଲାକୁ ଗସ୍ତ କରିଛନ୍ତି । ଯିଏ ଆଦିବାସୀଙ୍କ ଜମିକୁ ବିକ୍ରି କରିବାର ନିର୍ଣ୍ଣୟ କ୍ୟାବିନେଟରେ ନିଏ, ସେ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି । କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ଆଦିବାସୀମାନେ ସେମାନଙ୍କ ଚିକିତ୍ସା ପାଇଁ ଜମି ବିକ୍ରି କରି ପାରିବେ । ଏଭଳି ନିଷ୍ପତ୍ତି କାହିଁକି ? ବଡ଼ବଡ଼ିଆ ଓ ସରକାରୀ ଅଫିସରମାନେ ସରକାରୀ ଖର୍ଚ୍ଚ ଚିକିତ୍ସିତ ହୋଇ ପାରିବେ । ଆଦିବାସୀମାନେ କାହିଁକି ସେମାନଙ୍କ ଜମି ବିକିବେ ଏଇଟା କ'ଣ ନବୀନ ବାବୁଙ୍କ ନ୍ୟାୟ କି ?"
ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ନବୀନ ବାବୁ ପର ଘର ତିଅଣରେ ଅତିଥି ସତ୍କାର କରିବାରେ ସିଦ୍ଧହସ୍ତ । କାରଣ ନବୀନ ସରକାର କହୁଛି ଆମେ ମହିଳାମାନଙ୍କ ଏସଏଚଜି ବନେଇଛୁ । ଟଙ୍କା ଦେଲେ ମୋଦି । ବ୍ୟାଙ୍କ କେନ୍ଦ୍ର ସରକାରଙ୍କର । ନବୀନ ବାବୁ କେବଳ ମହିଳାମାନଙ୍କୁ ଟଙ୍କା ବାଣ୍ଟୁଛନ୍ତି । କହୁଛନ୍ତି ଆମେ ଦଉଛୁ । ଘରୋଇ କମ୍ପାନୀ ଲୋକଙ୍କୁ ବିଜୁଳି ଦେଉଛି । ବିଲ ଦେଇ ନ ପାରିଲେ ବିଦ୍ୟୁତ କାଟୁଛି । ଏଥିରେ ନବୀନ ସରକାର କହୁଛନ୍ତି କ'ଣ ନା ଜୁଲାଇ ମାସରୁ ମାଗଣା ବିଦ୍ୟୁତ ଦେବୁ । ତୁମେ ଥିଲେତ ଦବ ।" ତେବେ ନବୀନ ସରକାରଙ୍କ ବିରୁଦ୍ଧରେ ଏଭଳି ଅନେକ ଟିପ୍ପଣୀ ଦେବାସହ ବିଜେପି ସରକାର ଆସିଲେ କ'ଣ କ'ଣ ସୁବିଧା ଯୋଗାଇ ଦିଆଯିବ ସେନେଇ ବଖାଣି ଥିଲେ ଧର୍ମେନ୍ଦ୍ର । ଏହି ସଭାରେ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ, ବରିଷ୍ଠ ବିଜେପି ନେତା ରମେଶ ସାଏଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ ।
ଇଟିଭି ଭାରତ, ଅନୁଗୋଳ