ଜଗତସିଂହପୁର: ଜୀବନ ହାରିଲେ ଆଉ ଜଣେ ଚାଷୀ । ଜିଲ୍ଲାରେ ଦିନକୁ ଦିନ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ପୂର୍ବରୁ ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତ ସରଣା ଗ୍ରାମର କୃତ୍ତିବାସ ସ୍ୱାଇଁ ନାମକ ଜଣେ ଯୁବଚାଷୀ ଜୀବନ ହାରିଥିଲେ । ଗତକାଲି(ବୁଧବାର) ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ତଅଁରା ଗାଁର ଅଶୋକ ପରିଡ଼ା ଜୀବନ ହାରିଛନ୍ତି ।
ସୂଚନା ଅନୁସାରେ, ଅଶୋକ ନିଜର ଛଅ ଏକର ବିଲ ସହିତ ଭାଗ ଚାଷ ଆକାରରେ ୪ ଏକର ଧାନ ଚାଷ କରିଥିବାବେଳେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା । ଅନ୍ୟ ପଟେ ଧାର କରଜ କରି ଚାଷ କରିଥିବା ଅଶୋକ ପରିଡ଼ା ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ମୃତକଙ୍କ ସମ୍ପର୍କୀୟ ଭାଇ ଅଜୟ କୁମାର ପରିଡା କହିଛନ୍ତି, " ଅଶୋକ ନିଜର ୫ ଏକର ଜମି ଓ ଆଉ ୫ ଏକର ଭାଗ କରି ଧାନ ଚାଷ କରିଥିଲା।ହେଲେ ଅଦିନିଆ ବର୍ଷା ଯୋଗୁ ଧାନ ସବୁ ନଷ୍ଟ ହୋଇ ଯିବାରୁ ସେ ଜୀବନ ହାରିଛି । ବହୁତ ଧାର କରଜ କରି ସେ ଚାଷକାମରେ ଲାଗିଥିଲା। ଋଣ ଭାର ସୁଝିବା ତା ପକ୍ଷରେ ଅସମ୍ଭବ ଜାଣି ସେ ଏପରି କରିଛି ।"
ଏହା ବି ପଢନ୍ତୁ...ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ, ଜୀବନ ହାରିଲେ ଚାଷୀ
ଏହା ବି ପଢନ୍ତୁ...୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପହଞ୍ଚିବ ଅର୍ଥ ରାଶି: ରାଜସ୍ୱ ମନ୍ତ୍ରୀ
ସେହିଭଳି ସେହି ଗ୍ରାମର ପ୍ରସନ୍ନ ପରିଡା କହିଛନ୍ତି, "ଅଶୋକ ଜଣେ ଯୁବ ଚାଷୀ । ପରିବା ଚାଷ ଠାରୁ ଆରମ୍ଭ କରି ସେ ଧାନ ଚାଷ କରିଥାଏ। ଚଳିତ ବର୍ଷ ସେ ଋଣ କରି ଧାନଚାଷ କରିଥିଲା । ଫସଲ ନଷ୍ଟ ହେବାରୁ ସେ ଏହା ସହି ନପାରି ଜୀବନ ହାରିଛି । ପରିବାରରେ ମୃତକଙ୍କ ବୃଦ୍ଧା ମା, ପତ୍ନୀ ଓ ୭ ବର୍ଷର ଝିଅ ଅଛନ୍ତି । ଅଶୋକ ପରିଡ଼ା ହିଁ ଜଣେ ରୋଜଗାରର ମାଧ୍ୟମ ଥିଲେ । ଘଟଣା ପରେ ତଅଁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ , କୃଷି ଅଧିକାରୀ କିମ୍ବା ବ୍ଲକ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର