କଳାହାଣ୍ଡିରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ପରିବହନ ମନ୍ତ୍ରୀ - ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ
Published : Jan 26, 2024, 2:31 PM IST
Republic Day: ଭବାନୀପାଟଣା: ଆଜି ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଗାଁଠୁ ସହର । ସାରା ଦେଶରେ ଉଡୁଛି ତ୍ରିରଙ୍ଗା ପତାକା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଆଜି କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ,ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ସହ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।
ଜିଲ୍ଲାର ଏନସିସି, ନାଭାଲ ୟୁନିଟ, ସ୍କାଉଟ ଗାଇଡ଼ ଓ ପୋଲିସ ପ୍ରଶାସନକୁ ମିଶାଇ ୩୪ଟି ଦଳ ପରେଡ଼ରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ବୀରତ୍ବର ଗାଥାକୁ ନିଜ ଅଭିଭାଷଣରେ ମନେ ପାକାଇଥିଲେ ମନ୍ତ୍ରୀ । ଦେଶରେ ବ୍ରିଟିଶ ସରକାର ବିରୁଦ୍ଧରେ ସେ କନ୍ଧ ଆଦିବାସୀମାନଙ୍କୁ ଏକଜୁଟ କରି ବ୍ରିଟିଶ ସରକାର ବିରୁଦ୍ଧରେ ଲଢେଇ କରିଥିଲେ । ଦେଶ ପାଇଁ ତାଙ୍କର ଅବଦାନ ଅମୂଲ୍ୟ ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପରେଡରେ ଅଭିବାଦନ ଗ୍ରହଣ
ଏହାପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବିଆର ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା ।
ଇଟିଭି ଭାରତ, କଳାହାଣ୍ଡି