ହାଇଦ୍ରାବାଦ: ଆମେରିକୀୟ କୋଟିପତି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ ସ୍ପେଶଏକ୍ସ ଏକାଧିକ ଥର ଷ୍ଟାରସିପ୍ର ସପ୍ତମ ପରୀକ୍ଷଣକୁ ସ୍ଥଗିତ ରଖିବା ପରେ ଆଜି (ଜାନୁଆରୀ 17) ଭାରତୀୟ ସମୟ ଭୋର 4: 07 ମିନିଟରେ ଦକ୍ଷିଣ ଟେକ୍ସାସର ଷ୍ଟାରବେସ୍ ସାଇଟ୍ରୁ ଉତକ୍ଷେପଣ କରିଛି । କିନ୍ତୁ କମ୍ପାନୀକୁ ସମ୍ପୂର୍ଣ୍ଣ ସଫଳତା ମିଳିପାରିନାହିଁ । କାରଣ ପୂର୍ବ ଥର ପରି କମ୍ପାନୀ ବୁଷ୍ଟରକୁ ସଫଳତାର ସହିତ କ୍ୟାଚ୍ କରିଛି ସତ, କିନ୍ତୁ ରକେଟ୍ର ଉପରି ଭାଗ ବା ସିପ୍ ନଷ୍ଟ ହୋଇଯାଇଛି ।
ପ୍ରଥମେ ଜାଣି ନିଅନ୍ତୁ, ଷ୍ଟାରସିପ ହେଉଛି ଆମେରିକୀୟ ଏରୋସ୍ପେସ୍ କମ୍ପାନୀ ସ୍ପେଶଏକ୍ସ ଦ୍ବାରା ବିକଶିତ ଦୁଇ ପର୍ଯ୍ୟାୟ ସଂପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ସୁପର ହେଭି-ଲିଫ୍ଟ ଲଞ୍ଚ ଭେଇକିଲ୍ । ଷ୍ଟାରସିପ ଲଞ୍ଚ ସିଷ୍ଟମରେ ସୁପର ହେଭି ପ୍ରଥମ ପର୍ଯ୍ୟାୟ ହୋଇଥିବା ବେଳେ ଷ୍ଟାରସିପ ସ୍ପେଶକ୍ରାଫ୍ଟ ଦ୍ବିତୀୟ ପର୍ଯ୍ୟାୟ ହୋଇଥାଏ । ସୁପର ହେଭିକୁ ବୁଷ୍ଟର ମଧ୍ୟ କୁହାଯାଏ । ଦ୍ବିତୀୟ ପର୍ଯ୍ୟାୟ ଷ୍ଟାରସିପ ସ୍ପେଶକ୍ରାଫ୍ଟରେ 6ଟି ରେପ୍ଟର ଲାଗିଥିବା ବେଳେ ଏହା ମହାକାଶଚାରୀ, ସାଟେଲାଇଟଗୁଡ଼ିକୁ ଧାରଣ କରିବାରେ ସକ୍ଷମ । ସେହିପରି ସୁପର ହେଭିରେ 33 ରେପ୍ଟର ଇଞ୍ଜିନ ରହିଛି । ସୁପର ହେଭି ଓ ଷ୍ଟାରସିପକୁ ସମ୍ପୂର୍ଣ୍ଣ ପୁନଃବ୍ୟବହାର ଯୋଗ୍ୟ ରକେଟ କୁହାଯାଏ, କାରଣ ଏହାକୁ ଏକାଧିକ ଥର ଲଞ୍ଚ କରାଯାଇ ହେବ।
ସୁପର ହେଭି ବୁଷ୍ଟର କ୍ୟାଚ୍ ସଫଳ
ଏହି ସୁପର ହେଭି ବୁଷ୍ଟର ସପ୍ତମ ପରୀକ୍ଷଣ ସମୟରେ ସ୍ପେଶଏକ୍ସ ଷ୍ଟାରସିପ୍ର ବିଶାଳ ପ୍ରଥମ ପର୍ଯ୍ୟାୟ ବୁଷ୍ଟର, ଯାହାକୁ ଆମେ ସୁପର ହେଭି ବୋଲି କହିଥାଉ ତାହାକୁ କ୍ୟାଚ୍ କରିବାରେ ସକ୍ଷମ ହୋଇଛି । ଷ୍ଟାରବେସ୍ ସାଇଟରେ ଥିବା ଚପଷ୍ଟିକ୍ ସାହାଯ୍ୟରେ ଏହାକୁ କ୍ୟାଚ୍ କରାଯାଇଛି । ସୁପର ହେଭି ହେଉଛି ଏକ ପ୍ରଥମ ପର୍ଯ୍ୟାୟ ରକେଟ୍ । ଏହି ରକେଟ୍ ଷ୍ଟାରସିପ୍ ସ୍ପେଶକ୍ରାଫ୍ଟକୁ ନେଇ ମହାକାଶକୁ ଯାଇଥାଏ । ଉତକ୍ଷେପଣର କିଛି ମିନିଟ ପରେ ସୁପର ହେଭି ବୁଷ୍ଟର ଷ୍ଟାରସିପ୍ର ଉପରି ଭାଗ ବା ସ୍ପେଶକ୍ରାଫ୍ଟଠାରୁ ଅଲଗା ହୋଇଥାଏ । ଏହାପରେ ସେ ପୃଥିବୀକୁ ଫେରିଥାଏ । ଏହାର ଲଞ୍ଚ ସାଇଟ୍ରେ ଚପଷ୍ଟିକ୍ ସିଷ୍ଟମକୁ ବ୍ୟବହାର କରି 'Mechazilla' ମାଧ୍ୟମରୁ ଏହାକୁ କ୍ୟାଚ୍ କରାଯାଏ । ଅକ୍ଟୋବର ପରେ ଦ୍ବିତୀୟ ଥର ଲାଗି ସ୍ପେଶଏକ୍ସ ବୁଷ୍ଟରକୁ କ୍ୟାଚ୍ କରିବାରେ ସଫଳ ହୋଇଛି । ରେକଟ୍କୁ କ୍ୟାଚ୍ କରରିବାର ଅର୍ଥ ହେଉଛି କମ୍ପାନୀ ଏହାକୁ ପୁନଃ ବ୍ୟବହାରକ୍ଷମ କରିବ । ଯାହାଦ୍ବାରା ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚକୁ ହ୍ରାସ କରାଯାଇପାରିବ ।
ଜଳିଗଲା ଷ୍ଟାରସିପ୍ର ଉପରି ଭାଗ
ସ୍ପେଶଏକ୍ସ ବୁଷ୍ଟରକୁ କ୍ୟାଚ୍ କରିବାରେ ସଫଳ ହୋଇଛି ସତ, କିନ୍ତୁ ଷ୍ଟାରସିପ୍ର ଉପରି ଭାଗ ପୃଥିବୀକୁ ଫେରିପାରିନାହିଁ । ଉତକ୍ଷେପଣ ପ୍ରାୟ ସାଢେ 8 ମିନିଟ ପରେ ଷ୍ଟାରସିପ୍ ସହିତ ସ୍ପେଶଏକ୍ସର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସ୍ପେଶଏକ୍ସର କମ୍ୟୁନିକେସ ମ୍ୟନେଜର ଡାନ ହୁଟ୍ (Dan Huot) ସ୍ପଷ୍ଟ କରିଛନ୍ତି ଯେ 'ସ୍ପେଶକ୍ରାଫ୍ଟରୁ କୌଣସି ଡାଟା ମିଳିନାହିଁ । ଏଣୁ ସିପ୍ଟି ଜଳିଯାଇଛି ବୋଲି ଅନୁମାନ କରାଯାଉଛି ।' ସିପ୍ଟି ଜଳିଯାଇଛି ବୋଲି ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଛି । କାରଣ ଆକାଶରେ ନିଆଁ ହୁଳା ଦେଖିବାକୁ ମିଳିଥିଲା ।