ଭୁବନେଶ୍ବର: ମାଟିରେ ମିଶିଲା ବିବାଦୀୟ ବୈକୁଣ୍ଠ ନାଥ ଆଶ୍ରମ। ଖଣ୍ଡଗିରି ଘାଟିକିଆ ଜୟଦେବ ବାଟିକା ନିକଟରେ 140ଡିସିମିଲ ଜାଗାରେ ଥିବା ବିବାଦୀୟ ଆଶ୍ରମକୁ ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏର ମିଳିତ ଉଦ୍ୟମରେ ଏହାକୁ ଉଚ୍ଛେଦ କରାଯାଇଛି।
ବୈକୁଣ୍ଠଧାମ ଉଚ୍ଛେଦ:
ଖଣ୍ଡଗିରି ଘାଟିକିଆ ଜୟଦେବ ବାଟିକା ନିକଟରେ ଥିବା ବୈକୁଣ୍ଠ ନାଥ ଆଶ୍ରମର ପ୍ଲଟ ନମ୍ବର ଥିଲା 9037/9038 । ଏହାକୁ ନେଇ ବିବାଦ ତେଜିଥିବାବେଳେ ସରକାରୀ ଜାଗା ଦଖଲ କରିଥିବା ଏହି ଆଶ୍ରମ ଶେଷରେ ବୁଲଡୋଜର ଦ୍ବାରା ଭଙ୍ଗାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅମୀୟ କୁମାର ଦାସ କହିଛନ୍ତି, "ଆମର ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ମାଧ୍ଯମରେ ପ୍ରତ୍ୟେକ ଦିନ ସରକାରୀ ଜାଗାରେ ଉଚ୍ଛେଦ କରାଯାଏ । ବୈକୁଣ୍ଠ ନାଥ ଆଶ୍ରମ ଜାଗା ଜବରଦଖଲ କରିଥିଲା। ଆମେ ଗତ ଗତ ବର୍ଷ 22ନଭେମ୍ବରରେ ଆସିଥିଲୁ । ଯେହେତୁ ଏହାର ଉଚ୍ଛେଦ ଉପରେୋ ରହିତାଦେଶ ଥିଲା ତେଣୁ ହୋଇ ପାରିନଥିଲା । ଏବେ 10ତାରିଖରେ ରହିତାଦେଶ ହଟିଲା, ତେଣୁ ଆଇନ ଅନୁଯାୟୀ ତାକୁ ଉଛେଦ କରାଗଲା । ଏଠାରେ 2ଟି ପ୍ଲଟ ଥିଲା, 140ଡିସିମିଲ ଜାଗାରେ । ତାକୁ ଆମେ ଉଚ୍ଛେଦ କରିବା ସହ ସରକାରୀ ସମ୍ପତ୍ତି ସୁରକ୍ଷା ନେଇ ପାଚେରୀ ଆଉ ବୋର୍ଡ ମାଧ୍ଯମରେ ଅବଗତ କରୁଛୁ ।"
ଏହା ବି ପଢନ୍ତୁ...ବୈକୁଣ୍ଠଧାମ ଆଶ୍ରମକୁ ହାଇକୋର୍ଟ ଝଟକା, ବୁଲିବ ବୁଲଡୋଜର !
ଏହା ବି ପଢନ୍ତୁ...ବିବାଦୀୟ ଆଶ୍ରମ ନାଁରେ ମାମଲା ରୁଜୁ, ବାବା କାଶୀନାଥ କହିଲେ '୧୦ ବର୍ଷ ତଳର ଫଟୋ'
ଆଧାତ୍ମିକ ପ୍ରଚାର ନାଁରେ ଚାଲୁଥିଲା ଆଶ୍ରମ। ଖଣ୍ଡଗିରିର ବିବାଦୀୟ ଆଶ୍ରମକୁ ନେଇ ଅନେକ କଥା ସାମ୍ନାକୁ ଆସିଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଜବରଦଖଲ ହୋଇଛି କି ନାହିଁ ପୂର୍ବରୁ ମାପଚୁପ କରାଯାଇଥିଲା। ଜିଏ ଓ ବିଡ଼ିଏ ଅଧିକାରୀ ମଧ୍ୟ ଏନଫୋର୍ସମେଣ୍ଟ ପାଇଁ ଯାଇଥିଲେ। ସେପଟେ ମନ୍ତ୍ରୀ ବୟାନ ଦେଇଥିଲେ ଆଧ୍ୟାତ୍ମିକ ଚେତନାର ଫାଇଦା ନେଇ ଜବରଦଖଲ ହୋଇଛି । ସେପଟେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନ ଚନ୍ଦ୍ର ମହାପାତ୍ର କହିଥିଲେ, "ଜବରଦଖଲ ଗୋଟେ ବ୍ୟାଧି । ୨୪ ବର୍ଷର ସରକାର ଏ ଦିଗରେ ଚିନ୍ତା ନକରି ଭୋଟ ରାଜନୀତିରେ ବ୍ୟସ୍ତ ରହିଥିଲେ। ତେଣୁ ଏହି ବ୍ୟାଧି ବଢିଚାଲିଥିଲା । ବହୁତ ଜାଗାରେ ଏଭଳି ବେଆଇନ ଭାବେ ଜବରଦଖଲ ହେଉଛି ।"
ବିବାଦୀୟ ଆଶ୍ରମ ବିଷୟରେ...
ଜଣେ ବାବା ନିଜର ପୁଅକୁ ଭଗବାନ କହି ଏଠାରେ ଆଶ୍ରମ ପରିଚାଳିତ କରୁଥିଲେ। ବାବାଙ୍କୁ ବିଶ୍ବାସ କରୁଥିବା ଲୋକେ ଆସି ସେଠାରେ ଭବିଷ୍ୟ ଗଣନାଠୁ ଆରମ୍ଭ କରି ବିଭିନ୍ନ ପୂଜାର୍ଚ୍ଚନା ମଧ୍ୟ କରୁଥିଲେ । ତୁଳସୀ ପତ୍ର ପାଦ ନିକଟରେ ରଖି ବାବାଙ୍କ ପୁଅ ପୂଜା ପାଉଥିବା ଫଟୋକୁ ନେଇ ତେଜିଥିଲା ବିବାଦ । ଭରତପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ କିଛି ସାମଜିକ କର୍ମୀ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିଥିଲା । ପରେ ଏହି ଆଶ୍ରମରେ ପୋଲିସ ତନାଘନା କରିଥିଲା। ପୂର୍ବରୁ ବାବାଙ୍କ ପୁଅକୁ ପୂଜାର୍ଚ୍ଚନା କରାଯିବା ଘଟଣାରେ ମଧ୍ୟ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏନେଇ ତଦନ୍ତ ରିପୋର୍ଟ ଦେବାକୁ ପୋଲିସ ଓ ସିଡିପିଓଙ୍କୁ ମାଗିଥିଲା। ଚାଇଲ୍ଡ ଲାଇନକୁ ନିର୍ଦ୍ଦେଶ ଦେଇଥିଲା ଆୟୋଗ । ଆଶ୍ରମରେ କେହି ନଥିବାରୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା।
ପୂର୍ବରୁ ଏହି ଆଶ୍ରମ ହୋଇଥିଲା ଉଚ୍ଛେଦ:
ପୂର୍ବରୁ ବାଲିପାଟଣା ଅଞ୍ଚଳରେ ତ୍ରାହି ଅଚ୍ୟୁତ ଆଶ୍ରମକୁ ମଧ୍ୟ ଜବରଦଖଲରୁ ହଟାଯାଇ ଉଛେଦ କରଯାଇଥିଲା। ସୁରବାବାଙ୍କ ନାଁରେ ଆଶ୍ରମ ଚାଲୁଥିଲା । ସେହିପରି କେନ୍ଦ୍ରାପଡା ବାରିମୂଳ ଆଶ୍ରମ ମଧ୍ୟ ସାରଥି ବାବାଙ୍କର ନାଁରେ ଚାଲୁଥିଲା। ବିବାଦ ପରେ ଏହା ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇଥିଲା। ସେହିପରି କୋଣାର୍କ ଦଶନିବନ୍ତରୁ ମଧ୍ୟ ବାନା ବାବାଙ୍କ ଆଶ୍ରମ ଉଛେଦ ହୋଇଥିଲା।
ଇଟିଭି ଭାରତ, ଭୁବନେଶ୍ବର