ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ନ୍ୟୁୟର୍କରେ ଆମେରିକା ଟେକ କମ୍ପାନୀ ସିଇଓଙ୍କ ସହିତ ରାଉଣ୍ଡଟେବୁଲ ବୈଠକ କରିଛନ୍ତି । ଏହି ବୈଠକରେ ସେ ଭାରତର ବିକାଶ ସମ୍ଭାବନା ଓ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ଉପରେ ଗୁରୁତ୍ବାରୋପ କରିବା ଉପରେ ଆଲୋଚନା କରିଛନ୍ତି । ଆମେରିକା ଟେକ କମ୍ପାନୀର ସିଇଓଙ୍କ ସହିତ ହୋଇଥିବା ବୈଠକରେ AI, କ୍ବାଣ୍ଟମ କମ୍ପ୍ୟୁଟିଂ ଓ ସେମିକଣ୍ଡକ୍ଟର ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ କାମ କରୁଥିବା ଦିଗ୍ଗଜ ସିଇଓଙ୍କ ସହିତ ଆଲୋଚନା କରିଛନ୍ତି ।
ଭାରତରେ କାମ କରିବାକୁ ଦେଲେ ଆହ୍ବାନ:-
ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଭାରତରେ ବିଭିନ୍ନ ନୂଆ ଟେକ୍ନୋଲୋଜି ଉପରେ କାମ କରିବାକୁ ଟେକ୍ ସିଇଓମାନଙ୍କୁ ଆହ୍ବାନ ଦେଇଛନ୍ତି । ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏ ନେଇ ମୋଦି କହିଛନ୍ତି, "ଆଜି ଭାରତ ଗ୍ଲୋବାଲ ବାଓଟେକ୍ ପାୱାରହାଉସ ଭାବେ ଉଭା ହୋଇଛି । ଭାରତରେ ଉତ୍ପାଦ ଓ ରିସର୍ଚ୍ଚ କରିବା ଲାଗି ସୁଯୋଗ ରହିଛି ।"