ହାଇଦ୍ରାବାଦ:ବିଶ୍ବର ମୂଲ୍ୟବାନ କମ୍ପାନୀ ଆସନରେ ବସିବା ଲାଗି ଏନଭିଡିଆ ଓ ଆପଲ ମଧ୍ୟରେ ଛକାପଞ୍ଝା । କିଛି ସମୟ ପାଇଁ ଆପଲକୁ ପଛରେ ପକାଇ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆ ଦୁନିଆର ମୂଲ୍ୟବାନ କମ୍ପାନୀ ହୋଇପାରିଛି । ଏନଭିଡିଆର ବଜାର ମୂଲ୍ୟ 3.53 ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଆଇଫୋନ ନିର୍ମାତା କମ୍ପାନୀ ଆପଲ୍ର ବଜାର ମୂଲ୍ୟ 3.52 ଟ୍ରିଲିୟନ ମୂଲ୍ୟ ରହିଥିଲା । ହେଲେ ପୁଣି ଆପଲ୍ର ବଜାର ମୂଲ୍ୟ ବୃଦ୍ଧି ପାଇବା ପରେ ଏହା ତା' ସ୍ଥାନକୁ ଫେରିଛି ।
ରଏଟର୍ସ ଅନୁଯାୟୀ, ଏନଭିଡିଆ ଷ୍ଟକରେ ଏକ 'ରେକର୍ଡ ସେଟିଂ ରାଲି' ଦେଖିଛି । କମ୍ପାନୀର ଏଆଇ ଚିପ୍ସର ଚାହିଦା ପାଇଁ କିଛି ସମୟ ପାଇଁ ହେଉ ପଛେ ପୁଣି ଥରେ ଏନଭିଡିଆ ଏହି କୀର୍ତ୍ତିମାନ ଅର୍ଜନ କରିଥିଲା । ପ୍ରକାଶ ଥାଉକି Nvidia ଦିନର ଶେଷ ସୁଦ୍ଧା 3.47 ଟ୍ରିଲିୟନ ଡଲାରକୁ ଖସି ଆସିଥିବାବେଳେ ଆପଲର ବଜାର ମୂଲ୍ୟ 3.52 ଟ୍ରିଲିୟନ୍ ଡଲାର ସହିତ ଶୀର୍ଷ ସ୍ଥାନ ଅଧିକାର କରିଛି । ସେପଟେ ମାଇକ୍ରୋସଫ୍ଟ 3.18 ଟ୍ରିଲିୟନ ଡଲାର ସହ ତାଲିକାର ତୃତୀୟ ସ୍ଥାନରେ ରହିଛି ।
ଏହା ପ୍ରଥମ ଥର ନୁହେଁ ଯେ GPU କମ୍ପାନୀ ଦୁନିଆର ମୂଲ୍ୟବାନ କମ୍ପାନୀ ହୋଇପାରିଛି । ଏହା ପୂର୍ବରୁ ଚଳିତ ବର୍ଷ ଜୁନରେ ଏନଭିଡିଆ ମାଇକ୍ରୋସଫ୍ଟ ଓ ଆପଲକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଗତ କିଛି ମାସ ମଧ୍ୟରେ ବିଶ୍ବର ମୂଲ୍ୟବାନ କମ୍ପାନୀ ହେବା ଲାଗି ଏହି 3ଟି କମ୍ପାନୀ ମଧ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳୁଛି ।