ଭୁବନେଶ୍ବର: ଆସନ୍ତାମାସ (ଫେବୃଆରୀ) ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ହେବାକୁ ଯାଉଛି । ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଏହି ଅଧିବେଶନ ଶେଷ ହେବ ।
- ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ
ବର୍ଷ (2025)ର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଗୃହକୁ ସମ୍ବୋଧିତ କରି ଅଧିବେଶନ ଆହୁତ କରିବେ । ଏହି ଅଧିବେଶନ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିବ । ବିଧାନସଭା ସଚିବାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଫେବୃଆରୀ ୧୪ ଏବଂ ୧୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୧୭ ରେ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୨୯ ରେ ଆପ୍ରୋପ୍ରାଇଜେସନ୍ ବିଲ୍ ଉପସ୍ଥାପିତ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ବଜେଟ୍ ସମ୍ପର୍କୀୟ ଆଲୋଚନା ଫେବୃଆରୀ ୨୦ ଏବଂ ୨୧ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଜାରି ରହିବ ।
ଏହା ମଧ୍ୟ ପଢନ୍ତୁ:- କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସରକାରଙ୍କୁ BJDର ଟାର୍ଗେଟ୍, କାଉଣ୍ଟର କଲା BJP ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କଫୋର୍ସରେ ସଦସ୍ୟ ହେଲେ କୋରାପୁଟ ସାଂସଦ ଓ ଗୁଣୁପୁର ବିଧାୟକ |
ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହ ସମ୍ମୁଖରେ ଉପସ୍ଥାପିତ କରାଯିବ।
ବିରୋଧୀ ଦଳ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଧାନ ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ନବ ଦାସ ହତ୍ୟା ମାମଲା ପ୍ରସଙ୍ଗକୁ ସରକାର ବିରୋଧରେ ମୁଦ୍ଦା କରିପାରନ୍ତି ବିରୋଧୀ । ସେହିପରି ସରକାର ମଧ୍ୟ ବିରୋଧୀଙ୍କୁ ଉତ୍ତର ଦେବାକୁ ରଣନୀତି ପ୍ରସ୍ତୁତ କରିବେ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଆହୁତ କରିବେ । ସମସ୍ତ ଦଳର ସହଯୋଗରେ ଗୃହକାର୍ଯ୍ଯ ଓ ଶୃଙ୍ଖଳିତ ଆଲୋଚନା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିବେ । ବିରୋଧୀ ମଧ୍ୟ ବଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ରଖିବେ ।
ଇଟିଭି ଭାରତ, ଭୁବନେଶ୍ବର