ସମ୍ବଲପୁର: ପଶ୍ଚିମ-ଓଡିଶାର ଗୁରୁତ୍ବପୂର୍ଣ୍ଣ ସମ୍ବଲପୁର ପରି ଏକ ଜିଲ୍ଲା ଯେଉଁଠି 2000 ମସିହାଠୁ ବିଜେପି ଏକ ଭଲ ସଂଗଠନ ରହିଛି । ସେହି ଜିଲ୍ଲାରେ ଦଳର ସଭାପତି ହେବା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ । ଅନ୍ୟପଟେ ଜିଲ୍ଲାରେ ବର୍ତ୍ତମାନ ସମ୍ବଲପୁର ଲୋକସଭା ସିଟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ହେବା ସହ ସମ୍ବଲପୁର ବିଧାନସଭା ସିଟରୁ ବିଜେପିର ପ୍ରଭାବଶାଳୀ ବିଧାୟକ ଜୟ ନାରାୟଣ ମିଶ୍ର ଅଛନ୍ତି । ସେହିପରି କୁଚିଣ୍ଡାରୁ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ସମ୍ବଲପୁର ସହରର ବାସିନ୍ଦା ମଧ୍ୟ । ତେଣୁ ଜିଲ୍ଲା ସଭାପତି କି’ଏ ହେବ ସେହି ପ୍ରସଙ୍ଗ ଉପରେ ସମସ୍ତଙ୍କ ନଜର ।
- ଦଳ ଭିତରେ 3 କ୍ଷମତା କେନ୍ଦ୍ର ଚର୍ଚ୍ଚା
ଜିଲ୍ଲାରେ ଦଳ ଭିତରେ 3ଟି ପାୱାର ସେଣ୍ଟର ଥିବା ବେଳେ ସମସ୍ତଙ୍କ ପକ୍ଷରୁ ସେମାନଙ୍କ ପ୍ରତିନିଧିମାନେ ଜିଲ୍ଲା ସଭାପତି ପଦ ପାଇଁ ନାମାନଙ୍କ ଦାଖଲ କରିଛନ୍ତି l ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ପଦ ଓ ରାଜ୍ୟ ପରିଷଦ ସଦସ୍ୟ ପାଇଁ ସମ୍ବଲପୁର ସହରର ସାଂସ୍କୃତିକ ସମାଜ ଭବନଠାରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ଏଥର ସମ୍ବଲପୁର ଜିଲ୍ଲା ସଭାପତି ପଦ ପାଇଁ ସୁଶୀଲ କୁମାର କର, ନମ୍ରସକାନ୍ତ ପଟ୍ଟନାୟକ, ଶମ୍ଭୁ ବରେଲିଆ ଓ ସୁଶାନ୍ତ କୁମାର ପୁରୋହିତ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
- 22ଟି ମଣ୍ଡଳର ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିଙ୍କ ନାମ ଘୋଷଣା ହୋଇସାରିଛି
ଅନ୍ୟପଟେ ରାଜ୍ୟ ପରିଷଦ ସଦସ୍ୟ ପାଇଁ ସୂର୍ଯ୍ୟ କୁମାର ପ୍ରଧାନ, ବିଦ୍ୟାଧର ସୁନା, ରାଧେଶ୍ୟାମ ବାରିକ, ବିଭୂତି କଲ୍ୟାଣ ପଟେଲ, ଅନିଲ କୁମାର ବେହେରା, ନିରଞ୍ଜନ କିଶୋର ଦାସ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ମିତ୍ରଭାନୁ ପ୍ରଧାନ ପ୍ରମୁଖ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନିକଟ ଅତୀତରେ ସମ୍ବଲପୁର ବିଜେପି ସାଂଗଠନିକ ଜିଲ୍ଲାର 27ଟି ମଣ୍ଡଳରୁ 22ଟି ମଣ୍ଡଳର ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିଙ୍କ ନାମ ଘୋଷଣା ହୋଇସାରିଛି । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟ ପାଇଁ 44ଜଣ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିମାନଙ୍କ ମଧ୍ୟରୁ ହିଁ କେହି ନା’ କେହି ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟଙ୍କ ନାମକୁ ପ୍ରସ୍ତାବକ ଭବେ ପ୍ରସ୍ତାବନା ଓ ସମର୍ଥକ ଭାବେ ସମର୍ଥନ ଦେଇପାରିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସହ ନିର୍ବାଚନୀ ଅଧିକାରୀ ବିଭୂତି ଭୂଷଣ ପଟେଲ ଓ ରାମଚନ୍ଦ୍ର ମେହେର ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାକୁ ସମ୍ପନ୍ନ କରିଛନ୍ତି l
- ଜିଲ୍ଲା ବିଜେପି ସଭାପତି କିଏ ହେବେ
ତେବେ କିଏ ହୋଇ ପାରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି l ଏଥିପାଇଁ ରାଜନୈତିକ ମହଲରେ ବହୁ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଛି l ଦଳ ଭିତରେ ଥିବା ପାୱାର ସେଣ୍ଟରମାନଙ୍କ ଅନୁଗତ ବା ପ୍ରତିନିଧିଙ୍କ ନାଁ ଚର୍ଚ୍ଚାକୁ ଆସୁଛି l ଏଥିପାଇଁ ଅଙ୍କକଷା ମଧ୍ୟ ସରି ଯାଇଛି l ସମ୍ବଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ହେବା ପରେ ସମ୍ବଲପୁର ଜିଲ୍ଲା ପ୍ରତି ସାରା ରାଜ୍ୟ ବିଜେପି ନେତୃତ୍ୱର ନଜର ରହି ଆସୁଥିବା ବେଳେ ଏହି ଜିଲ୍ଲାର ସଭାପତି ପଦର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହୁଛି l ତେଣୁ ଦଳର ବିଭିନ୍ନ ଗୋଷ୍ଠୀ ନିଜ ନିଜ ପ୍ରାର୍ଥୀଙ୍କୁ ସଭାପତି କରିବା ପାଇଁ ଉଦ୍ୟମ ଜାରି ରହିଛି l
- କଣ କହୁଛନ୍ତି ଜୟ ନାରାୟଣ
ତେବେ ଏନେଇ ସମ୍ବଲପୁର ର ପ୍ରଭାବଶାଳୀ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ଜିଲ୍ଲା ବିଜେପି ସଭାପତି ଚୟନ ରେ ମୁ ମୁଣ୍ଡ ପୁରାଏନି,ଜିଲ୍ଲା ସଭାପତି ଗଣତାନ୍ତ୍ରିକ ପଦ୍ଧତି ରେ ନିର୍ବାଚିତ ହୁଅନ୍ତି l ମଣ୍ଡଳ କମିଟି ର ସଭାପତି ମାନେ ଜିଲ୍ଲା ସଭାପତି ଙ୍କୁ ନିର୍ବାଚିତ କରନ୍ତି l ତେବେ ସମ୍ବଲପୁର ର ବିଶିଷ୍ଟ ରାଜନୀତି ସମୀକ୍ଷକ ରାଜାରାମ ପାଢ଼ୀ କହିଛନ୍ତି ଯେ ସମ୍ବଲପୁର ଲୋକସଭା ଆସନ ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସାମଗ୍ର ରାଜ୍ୟର ଦୃଷ୍ଟି ସମ୍ବଲପୁର ଉପରେ ନିବଦ୍ଧ ହୋଇ ରହିଛି l
ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି କିଏ ହେବ ଏହା ଚର୍ଚ୍ଚା ହେଉଛି l ଯାହା ଚର୍ଚ୍ଚା ହେଉଛି ଯେ କୁଚିଣ୍ଡା ଉପଖଣ୍ଡରୁ ପ୍ରଥମ ଥର ପାଇଁ ଜଣେ ଯୁବ ନେତା ସୁଶୀଲ କର ଯିଏ କୁଚିଣ୍ଡା ବିଜ୍ଞାବିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଭାବେ ବିଜେପି ଟିକେଟ ରୁ ନିର୍ବାଚନ ଲଢ଼ିଥିଲେ ଓ କମ ଭୋଟ ବ୍ୟବଧାନ ରେ ହାରିଥିଲେ ତାଙ୍କର ନାଁ ଶୁଣାଯାଉଛି l ଦ୍ଵିତୀୟ ରେ ବୁର୍ଲା ର ଜଣେ ଯୁବନେତା ନମ୍ରସକାନ୍ତ ପଟ୍ଟନାୟକ ଓରଫ ଅର୍ଜୁନ ବାବୁ ଙ୍କ ନାଁ ଶୁଣା ଯାଉଛି l ସେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ଙ୍କ ଏକାନ୍ତ ଅନୁଗତ l ଆଉ ଜଣଙ୍କ ନାଁ ଆସୁଛି ଯିଏ ସମ୍ବଲପୁର ର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଅତ୍ୟନ୍ତ ଅନୁଗତ ଅଟନ୍ତି ସେ ହେଉଛନ୍ତି ସୁଶାନ୍ତ ପୁରୋହିତ l ଏଭଳି ସ୍ଥିତି ରେ ସମ୍ବଲପୁର ପରି ଏକ ଜିଲ୍ଲା ଯେଉଁଠି ବିଜେପି ର ଏକ ଭଲ ସଂଗଠନ ରହିଛି ସେହି ଜିଲ୍ଲା ରେ ଜିଲ୍ଲା ସଭାପତି ପାଇଁ ଏଥର 3 ନେତାଙ୍କ ନାଁ ଚର୍ଚ୍ଚାରେ ଅଛି l ତେବେ କିଏ ହେବ ଜିଲ୍ଲା ବିଜେପି ସଭାପତି, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ l
ଇଟିଭି ଭାରତ, ସମ୍ବଲପୁର