କେନ୍ଦୁଝର: ଆଧ୍ୟାତ୍ମିକ ଜ୍ଞାନ ପ୍ରସାର ଓ ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ କରିବାକୁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦୁଝରରେ ସୁଖ ଶାନ୍ତି ସରୋବର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତ କରି ଏହି ସରୋବର ଉଦଘାଟନ କରିଛନ୍ତି । ବିକଶିତ ଭାରତର ଅଜେୟ ଗାଥାରେ ଆଧ୍ୟାତ୍ମିକତା ମଧ୍ୟ ଅନନ୍ୟ ବ୍ୟାଖ୍ୟା ବହନ କରୁଛି ବୋଲି ଏହି ସମାରୋହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ:
ଦିନିକିଆ କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସେ କେନ୍ଦୁଝର ପୁରୁଣା ବଜାରଠାରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ କାର୍ଯ୍ୟାଳୟ ସୁଖ ଶାନ୍ତି ସରୋବର ଉଦଘାଟନ କରିଛନ୍ତି । ଏହି ସୁଖ ଶାନ୍ତି ସରୋବର ଜିଲ୍ଲାରେ ଆଧ୍ୟାତ୍ମିକତା ଚେତନା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ମୋହନ ଚରଣ ମାଝୀ ।

ସୁଖ ଶାନ୍ତି ସରୋବର ଉଦଘାଟିତ:
ଏହି ଅବସରରେ ସେ କହିଛନ୍ତି, "ଏହା ସାରା ବିଶ୍ୱରେ ଶାନ୍ତି, ପ୍ରେମ ଏବଂ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିପାଦନ କରିବା ସହ ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦେଉଛି । ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ । ପାରିବାରିକ ଓ ସାମାଜିକ ସମ୍ପର୍କ ଅବକ୍ଷୟଗାମୀ ହେଉଥିବା ବେଳେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ନୀତି ନିଷ୍ଠା ପ୍ରଚେଷ୍ଟା ପୁନର୍ବାର ସେହି ପ୍ରେମ ଶାନ୍ତି ଓ ସୌହାର୍ଦ୍ଦ୍ୟ ଫେରି ଆସିବ । ସମଗ୍ର ବିଶ୍ୱକୁ ଗଣିତ, ବିଜ୍ଞାନ, ସାହିତ୍ୟ ଛଡା ଭାରତର ଅନ୍ୟତମ ଅବଦାନ ଆଧ୍ୟାତ୍ମିକତାର ଜ୍ଞାନ ବଳରେ ମନୁଷ୍ୟ ଶାନ୍ତି ଓ ମୈତ୍ରୀର ପରିଭାଷା ଶିଖିପାରିଥିବା କହିବା ସହ ଆଧ୍ୟାତ୍ମିକତାର ଅନ୍ୟ ଏକ ଶାଖା ଯୋଗ ଦ୍ୱାରା ମଧ୍ୟ ଭାରତ ଆଜି ବିଶ୍ୱ ବିଦିତ ।"

ଏହାମଧ୍ୟ ପଢନ୍ତୁ... ମୁଖ୍ୟମନ୍ତ୍ରୀ-ରେଳମନ୍ତ୍ରୀ ଆଲୋଚନା: ଯୋଡ଼ା-ବଡ଼ବିଲ-ବରଷୁଆଁ ରେଳଲାଇନ ନିର୍ମାଣ ସମ୍ଭାବନା ଉଜ୍ଜ୍ୱଳ କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ: କହିଲେ 'ଜୋରନ୍ଦା ମହିମା ଗାଦି ଉନ୍ନତି ପାଇଁ ଅର୍ଥ ଅଭାବ ନାହିଁ' |

ଏହି ସମାରୋହରେ ତେଲକୋଇ ବିଧାୟକ, ତେଲକୋଇ ଫକୀର ମୋହନ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ଜିଲ୍ଲା ପରିଷଦ ସାଗରିକା ସାହୁ, କେନ୍ଦୁଝରଗଡ଼ ପୌରପାଳିକା ନିକୁ ସାହୁ, ବ୍ରହ୍ମକୁମାରୀ କଟକ ସବ-ଜୋନ ନିର୍ଦ୍ଦେଶିକା କମଲେଶ, ବ୍ରହ୍ମାକୁମାରୀ ସଂସ୍ଥାର ଅତିରିକ୍ତ ମୁଖ୍ୟ ଜୟନ୍ତୀ ପ୍ରମୁଖ ସାମିଲ ହୋଇଥିଲେ ।
ଇଟିଭି ଭାରତ, କେନ୍ଦୁଝର