ହାଇଦ୍ରାବାଦ: ଯଦି ଆପଣ ଗ୍ରହଣ ନକ୍ଷତ୍ର ଆଦି କ୍ଷେତ୍ର ସମ୍ପର୍କରେ ଜାଣିବାକୁ ଆଗ୍ରହୀ ତେବେ ଆଜି (ଜାନୁଆରୀ 21) ଦିନଟି ଆପଣଙ୍କ ପାଇଁ । କାରଣ ଆଜି ଆକାଶରେ ଦିଶିବାକୁ ଯାଉଛି ମହାଜାଗତିକ ଦୃଶ୍ୟ । ସନ୍ଧ୍ୟା ହେବା ମାତ୍ରେ ଆକାଶରେ ଗୋଟିଏ ସରଳରେଖାରେ 6ଟି ଗ୍ରହ ଦୃଶ୍ୟମାନ ହେବେ । ଏହାକୁ 'ପରେଡ୍ ଅଫ୍ ପ୍ଲାନେଟ୍ସ' ବୋଲି କୁହାଯାଉଛି । ଖାସ କଥା ହେଉଛି ଖାଲି ଆଖିରେ ଆଜି 4ଟି ଗ୍ରହ ନଜର ଆସିବେ ।
ଗ୍ରହମାନଙ୍କର ପରେଡ୍
ଆଜି ଆକାଶରେ 6ଟି ଗ୍ରହ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ୟୁରାନସ ଓ ନେପଚୁନ୍ ଏକ ସରଳରେଖାରେ ଦୃଶ୍ୟମାନ ହେବେ । ଆସନ୍ତା ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଆକାଶରେ ଏହି ସୁନ୍ଦର ମହାଜାଗତିକ ଦୃଶ୍ୟ ଦିଶିବ । ଆପଣ ଖାଲି ଆଖିରେ 4ଟି ଗ୍ରହକୁ ଦେଖିପାରିବେ । ନେପଚୁନ୍ ଓ ୟୁରାନସ ଗ୍ରହକୁ ଦେଖିବା ଲାଗି ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକ ପଡ଼ିବ ।
ସାରା ବିଶ୍ବରେ ଦିଶିବ ନଜାରା
- ଆଜି ସୂର୍ଯ୍ୟାସ୍ତ ପରେ ପ୍ରାୟ 08:30 ପରଠାରୁ ଏହା ଦୃଶ୍ୟମାନ ହେବ । ରାତି ସାଢେ 11ଟା ପରେ କିଛି ଗ୍ରହଗୁଡ଼ିକ ଗାଏବ ହୋଇଯିବେ ।
- କିନ୍ତୁ ସାରା ରାତି ମଙ୍ଗଳ, ବୃହସ୍ପତି ଓ ୟୁରାନସ ନଜର ଆସିବେ ।
- ମଙ୍ଗଳ ଗ୍ରହ ସୂର୍ଯ୍ୟଙ୍କ ଉଦୟ ହେବା ପୂର୍ବରୁ ଅଦୃଶ୍ୟ ହୋଇଯିବ । ଏହାପରେ ଶନି, ବୁଧ, ନେପଚୁନ୍ ଯେତେବେଳେ ଅଦୃଶ୍ୟ ହେବେ ସେତେବେଳେ ସୂର୍ଯ୍ୟଙ୍କ ଅତି ନିକଟରେ ଥିବେ ।
- ଶୁକ୍ର-ଶନି ପଶ୍ଚିମ ଦିଗରେ ଓ ବୃହସ୍ପତି-ମଙ୍ଗଳ ଗ୍ରହ ପୂର୍ବ ଦିଗରେ ନଜର ଆସିବେ ।
- ସୂର୍ଯ୍ୟାସ୍ତ ହେବାର ପ୍ରାୟ 45 ମିନିଟ ପରେ ସବୁ ଗ୍ରହ ଗୋଟିଏ ଲାଇନରେ ଆସିଯିବେ ।
- ବିଶ୍ବବାସୀ ଏହି ଅଦ୍ଭୁତ ନଜାରା ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଦେଖିପାରିବେ ।
- ଏହାକୁ ଭଲ ଭାବେ ଦେଖିବା ଲାଗି 21 ଜାନୁଆରୀଠାରୁ 21 ଫେବୃଆରୀ 2025 ଉପଯୁକ୍ତ ସମୟ ।
- ବିଶେଷ କରି ଅମାବାସ୍ୟାରେ ଏହି ଦୃଶ୍ୟ ଆହୁରି ଭଲ ଭାବେ ଦିଶିବ ।
After sunset, look for bright Venus high in the southwestern sky. Just to its left will be Saturn. They look close together in the sky right now, but they're actually millions of miles apart. As you watch them, you're staring clear across the solar system! https://t.co/xXgMhKBUbD
— NASA Solar System (@NASASolarSystem) January 17, 2025
କେତେବେଳେ ଗ୍ରହ ଗୋଟିଏ ସରଳରେଖାକୁ ଆସନ୍ତି ?
ଆମେରିକା ଫ୍ଲୋରିଡାର ବିଶପ ମ୍ୟୁଜିଅମ ଅଫ ସାଇନ୍ସ ଆଣ୍ଡ ନେଚରର ପ୍ଲାନେଟୋରୀ ସୁପରଭାଇଜର ହନ୍ନା ସ୍ପାର୍କ୍ସଙ୍କ କହିବାନୁସାରେ, ମହାକାଶରେ ସମସ୍ତ 8ଟି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥାନ୍ତି, ଯେଉଁଥିରେ ଆମ ଗ୍ରହ ପୃଥିବୀ ସାମିଲ । ସମସ୍ତ ଗ୍ରହ ପରସ୍ପରଠାରୁ ଦୂରରେ, କିନ୍ତୁ ବୃତ୍ତାକାର ପଥରେ ସୂର୍ଯ୍ୟଙ୍କ ପରିକ୍ରମା କରନ୍ତି । ଏହି ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହର ବେଗ ଓ ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ଏପରି ସମୟ ଆସେ ଯେତେବେଳେ ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବକୁ ଆସିବା ସହ ପୃଥିବୀରୁ ଏକ ସରଳରେଖାରେ ଦୃଶ୍ୟମାନ ହୁଅନ୍ତି । କିନ୍ତୁ ବାସ୍ତବରେ ଏମାନେ ପରସ୍ପରଠାରୁ ବହୁ ଦୂରରେ ରହିଥାନ୍ତି । ଏମିତି ଅନେକ ଦିନ ଗୋଟିଏ ସରଳରେଖାରେ ପରିକ୍ରମା କରିବା ପରେ ସେମାନେ ପୁଣି ପରସ୍ପରଠାରୁ ଦୂରକୁ ଚାଲିଯାଆନ୍ତି ।
ଏମିତି ଦିଶିବେ ଗ୍ରହ
ଫୋର୍ବସ ରିପୋର୍ଟ ଅନୁସାରେ, ଗ୍ରହଗୁଡ଼ିକ ସିଧା ଲାଇନରେ ଥିବା ସତ୍ତ୍ବେ ପରସ୍ପରଠାରୁ କିଛି ଡିଗ୍ରୀ ବା ଲକ୍ଷ ଲକ୍ଷ କିଲୋମିଟର ଦୂରରେ ରହିଥାନ୍ତି । କିନ୍ତୁ ପୃଥିବୀରୁ ଗୋଟିଏ ସରଳରେଖାରେ ଦେଖାଯାଆନ୍ତି । ପରେଡ୍ ସମୟରେ ସବୁଠୁ ଉଜ୍ଜ୍ବଳମୟ ଗ୍ରହ ହେବ ବୁଧ । ମଙ୍ଗଳ ଗ୍ରହ ପୃଥିବୀରୁ ଦେଖିଲେ ଲାଲ ଲଙ୍ଗର ଦିଶିବ । ଶନି ଅସ୍ପଷ୍ଟ ବିନ୍ଦୁ ଓ ବୃହସ୍ପତି ଧଳା ବିନ୍ଦୁ ପରି ଦିଶିବ । ଫୋନରେ ଷ୍ଟାର ୱାକ୍, ଷ୍ଟେରିଲିୟମ, ସ୍କାଏ ପୋର୍ଟାଲ ଆପ୍ ଜରିଆରେ ଏହି ଗ୍ରହକୁ ଟ୍ରାକ୍ କରିହେବ ।
କେତେ ବିରଳ ଏହି ଦୃଶ୍ୟ ?
ଏହି ବିରଳ ଦୃଶ୍ୟ 396 ବିଲିୟନ ବର୍ଷ ବା 39600 କୋଟି ବର୍ଷ ଉପରେ ଦୃଶ୍ୟମାନ ହେଉଛି ବୋଲି ଦାବି କରାଯାଉଛି । କିନ୍ତୁ ଏପରି କହିବା ଭୁଲ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି । କାରଣ ବ୍ରହ୍ମାଣ୍ଡ ବା ୟୁନିଭର୍ସ 13.8 ବିଲିୟନ ବର୍ଷ (1380 କୋଟି) ପୁରୁଣା । ବ୍ରହ୍ମାଣ୍ଡ ପରେ ହିଁ ଏହି ଗ୍ରହ ନକ୍ଷତ୍ରର ଆବିର୍ଭାବ ହୋଇଥିଲା ବୋଲି ବିଶ୍ବାସ କରାଯାଏ । ଏହା ପୂର୍ବରୁ ମଧ୍ୟ ଏମିତି ପରେଡ୍ ଦୃଶ୍ୟମାନ ହୋଇଛି । 2024 ଅଗଷ୍ଟ 25ରେ ଏହି ଦୃଶ୍ୟ ଦିଶିଥିଲା, ଯେତେବେଳେ 5ଟି ଗ୍ରହ ମଙ୍ଗଳ, ୟୁରାନସ, ନେପଚୁନ, ଶନି ଓ ବୁଧ ଗୋଟିଏ ସରଳରେଖାରେ ଦିଶିଥିଲେ । ଏହାକୁ ଆମେରିକା, ଆଫ୍ରିକା ଓ ୟୁରୋପ ବାସୀ ଦେଖିପାରିଥିଲେ । ସେହିପରି 2023 ମାର୍ଚ୍ଚ 28 ତାରିଖରେ 5ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ବୁଧ ଓ ୟୁରାନସକୁ ମଧ୍ୟ ଏପରି ଦେଖାଯାଇଥିଲା । ଚଳିତ ବର୍ଷ ଏପରି ଦୃଶ୍ୟ 2ଥର ଦେଖିବାକୁ ମିଳିବ । ଏହାପରେ ଆସନ୍ତା 151 ବର୍ଷ ପରେ 4ଥର ଏପରି ଦୃଶ୍ୟ ଦେଖିପାରିବେ ପୃଥିବୀବାସୀ ।