ହାଇଦ୍ରାବାଦ: ସ୍ମାର୍ଟୱାଚ ଟେକ୍ନୋଲୋଜି ଆପଣଙ୍କୁ ଧୂମପାନ କରିବାରୁ ରୋକିପାରେ । ଆଜ୍ଞା ହଁ, ଏକ ନୂଆ ଅଧ୍ୟୟନରେ ଏ ସମ୍ପର୍କରେ ଖୁଲାସା ହୋଇଛି । ଯେତେବେଳେ ସ୍ମାର୍ଟୱାଚ ପିନ୍ଧି ଆପଣ ଧୂମପାନ କରୁଛନ୍ତି, ସେତେବେଳେ ଆପଣଙ୍କ ହାତ ମୁଭମେଣ୍ଟରୁ ଆପଣ ସ୍ମୋକିଂ କରୁଛନ୍ତି ବୋଲି ଜଣାପଡ଼ିବ । ଏହାକୁ ଚିହ୍ନଟ କରିବା ଲାଗି ସ୍ମାର୍ଟୱାଚରେ ଏପରି ଏକ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ୟୁକେର ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟର ଏକ ଟିମ ଏପରି ଏକ ସଫ୍ଟୱେର ଆଣିଛନ୍ତି, ଯାହାକି ଆଣ୍ଡ୍ରଏଡ୍ ସ୍ମାର୍ଟୱାଚରେ ମୋସନ ସେନ୍ସର ବ୍ୟବହାର କରି ସ୍ମୋକିଂ ସମ୍ପର୍କରେ ଜାଣିପାରିଥାଏ । ଏହାସହ ଧୂମପାନ ଶରୀର ପାଇଁ କେତେ କ୍ଷତିକାରକ ଓ ଏଥିରୁ ବର୍ତ୍ତିବା ଲାଗି ମେସେଜ ମାଧ୍ୟମରେ ୟୁଜରଙ୍କୁ ସୂଚିତ ମଧ୍ୟ କରିଥାଏ ।
ସ୍ମୋକିଂ ଚିହ୍ନଟ ପରେ କଣ କରେ ସ୍ମାର୍ଟୱାଚ୍ ?
ଆପଣ ଧୂମପାନ କରୁଥିବା ନେଇ ସ୍ମାର୍ଟୱାଚ ଚିହ୍ନଟ କରିବା ପରେ ସଙ୍ଗେ ସଙ୍ଗେ ଭାଇବ୍ରେସନ ଆଲର୍ଟ ଆସିଥାଏ । ଏହାସହ ଏକ ଟେକ୍ସଟ୍ ମେସେଜ ମଧ୍ୟ ଆସେ । କହି ରଖୁଛୁ କି, ଏହି ମେସେଜଗୁଡ଼ିକ ପୂର୍ବରୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଦ୍ବାରା ହିଁ ଲେଖାଯାଇଛି । ଯେଉଁମାନେ ଧୂମ୍ରପାନ ଛାଡ଼ିବା ପରେ ଏହି ଖରାପ ଅଭ୍ୟାସକୁ ତ୍ୟାଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥାନ୍ତି । ଏହି ମେସେଜଗୁଡ଼ିକ ସ୍ମାର୍ଟୱାଚ୍ର ସ୍କ୍ରିନରେ ଦୃଶ୍ୟମାନ ହୁଏ ।
The smartwatch with a prevention message (Photo Credit- Chris Stone) ଏମିତି ମେସେଜ ଦିଏ ସ୍ମାର୍ଟୱାଚ୍
ଏହି ମେସେଜରେ ଲେଖା ହୋଇଥାଏ, 'ଧୂମପାନ ବନ୍ଦ କରିବା ଆପଣଙ୍କୁ ଅଧିକ ସହଜରେ ଶ୍ବାସକ୍ରିୟା କରିବାକୁ ଦେଇଥାଏ....ଏଣୁ ଧୂମ୍ରପାନ ଛାଡିବା ଭଲ ।' ଏପରିକି ଆପଣ ଦିନକୁ କେତେଟା ସିଗାରେଟ୍ ଟାଣିଛନ୍ତି ଓ କେତେ ଥର ଟାଣିଛନ୍ତି ସେ ସମ୍ପର୍କରେ ଏକ ତଥ୍ୟ ମଧ୍ୟ ସ୍ମାର୍ଟୱାଚରେ ସ୍କ୍ରିନରେ ଦେଖିବାକୁ ମିଳେ । ମେସେଜ ଦେଖିବା ପରେ ଧୂମ୍ରପାନ କରୁଥିବା ବ୍ୟକ୍ତି ଜଣକ ଏହାକୁ ସ୍ବାଇପ୍ କରିପାରେ ନଚେତ ଡିସପ୍ଲେ ଉପରେ କ୍ଲିକ୍ କରି ୟୁକେ ଜାତୀୟ ସ୍ବାସ୍ଥ୍ୟ ସେବାର ସପୋର୍ଟ ପେଜକୁ ଯାଇପାରିବେ ।
କଣ କହୁଛନ୍ତି Bristol ବିଶ୍ବବିଦ୍ୟାଳୟର ଗବେଷକ ?
ଏପରି ଟେକ୍ନୋଲୋଜିକୁ ବିକଶିତ କରିଥିବା ବ୍ରିଷ୍ଟର ବିଶ୍ବବିଦ୍ୟାଳୟର ଟବାକୋ ଆଣ୍ଡ ଆଲକହଲ୍ ରିସର୍ଚ୍ଚ ଗ୍ରୁପର ସିନିୟର ରିସର୍ଚ୍ଚ ଆସୋସିଏଟ୍ କ୍ରୀଷ ଷ୍ଟୋନକହିଛନ୍ତି, "ଯେଉଁମାନେ ଧୂମ୍ରପାନ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ ପ୍ରାରମ୍ଭିକ ଅବନତି ଏକ ଅସୁରକ୍ଷିତ ମୁହୂର୍ତ୍ତ । କାରଣ ପରବର୍ତ୍ତୀ ସମୟରେ ସେମାନେ ଏପରି ଏକ ସ୍ଥିତିକୁ ଚାଲିଆସନ୍ତି, ଯାହାପରେ ସବୁବେଳେ ଧୂମପାନ କରିଥାନ୍ତି । ତେଣୁ ଆମକୁ ଏହି ଅବନତିର ସଠିକ ସମୟ ବିନ୍ଦୁ ଚିହ୍ନଟ କରିବା ଏବଂ ସେହି ସମୟରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ।"
ସେ ଆହୁରି କହିଛନ୍ତି, "ଲୋକେ ଏବେ ସ୍ମାର୍ଟୱାଚକୁ ଅଧିକ ପସନ୍ଦ କରୁଛନ୍ତି । ଏଣୁ ଧୂମପାନ କରିବା ସମୟରେ ହିଁ ଏଭଳି ସ୍ବାସ୍ଥ୍ୟ ଉପଯୋଗୀ ବାର୍ତ୍ତାକୁ ସେମାନେ ପସନ୍ଦ କରିପାରନ୍ତି । ଏଣୁ ଧୂମପାନ କରିବାର ସଠିକ ସମୟକୁ ଚିହ୍ନଟ କରିବା ଏବଂ ସେହି ସମୟରେ ହସ୍ତକ୍ଷେପ କରିବା ଦ୍ବାରା ଆମେ ଏପରି ରୋକିବା ଉଦ୍ୟମରେ ସଫଳତା ହାସଲ କରିପାରିବା । ଆମର ଲକ୍ଷ୍ୟ ହସ୍ତକ୍ଷେପ ଡିଜାଇନରେ ନବୀନ ବିଚାରର ବ୍ୟବହାର କରି ୟୁଜରଙ୍କ ଉପରେ ସର୍ବନିମ୍ନ ବୋଝ ପକାଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ।"
ସ୍ମାର୍ଟୱାଚ ବ୍ୟବହାର ପରେ ୟୁଜରଙ୍କ ପ୍ରତିକ୍ରିୟା
କିଛି ସ୍ମାର୍ଟୱାଚରେ ଏହି କଷ୍ଟମ ଆପ୍ ଲୋଡ କରାଯାଇ ଧୂମପାନ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଥିବା 18 ଜଣ ୟୁଜରଙ୍କୁ ପ୍ରଦାନ କରାଯାଇ ଏହାକୁ ପରୀକ୍ଷା କରାଯାଇଥିଲା । ପ୍ରାୟ 2 ସପ୍ତାହ ଏହି ସ୍ମାର୍ଟୱାଚକୁ ବ୍ୟବହାର କରିବା ପରେ କିଛି ୟୁଜର ଧୂମପାନ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଅଂଶଗ୍ରହଣକାରୀଙ୍କ କହିବାନୁସାରେ, ଏହି ସ୍ମାର୍ଟୱାଚରେ ଦୃଶ୍ୟମାନ ହେଉଥିବା ମେସେଜ ଧୂମପାନ ଛାଡ଼ିବା ଦିଗରେ ସଚେତନ କରାଉଛି, ଯାହାକି ଧୂମପାନ କରୁଥିବା ବ୍ୟକ୍ତିକୁ ଭାବିବାକୁ ବାଧ୍ୟ କରାଉଛି । ଏହାସହିତ ସେମାନଙ୍କୁ ଧୂମପାନ ଛାଡ଼ିବାକୁ ପ୍ରେରିତ କରୁଛି ।
ଧୂମପାନ ଛାଡ଼ିବାକୁ ମନସ୍ଥ କରି ପୁଣି ଥରେ ଧୂମପାନ କରୁଥିବା ସମୟରେ ଏହି ମେସେଜ ଆସିବା ଦ୍ବାରା ପ୍ରାୟ 12 ଜଣ ୟୁଜର ( 66%)ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି । ସେମାନେ ଧୂମପାନ ଛାଡ଼ିବାକୁ ମନସ୍ଥ କରିଛନ୍ତି । ଏହାକୁ କିପରି ଦୀର୍ଘକାଳୀନ ଭାବରେ ଗ୍ରହଣ କରାଯିବ ସେ ସମ୍ପର୍କରେ ପରବର୍ତ୍ତୀ ପରୀକ୍ଷା ପରେ ଜଣାପଡ଼ିବ ବୋଲି ରିସର୍ଚ୍ଚ ଟିମ ପକ୍ଷରୁ କୁହାଯାଇଛି ।