ଓଡିଶା

odisha

ETV Bharat / technology

KIMS ଫାଉଣ୍ଡେସନ ତିଆରି କଲା AI ଆଧାରିତ 'ସ୍ମାର୍ଟ ଚଷମା', ଦୃଷ୍ଟିବାଧିତଙ୍କ ସାଜିବ ବରଦାନ - KIMS DEVELOPS SMART GLASSES

ମୁହଁ ଚିହ୍ନିବାଠୁ ଆରମ୍ଭ କରି ବାଟ ଦେଖିବା ଏବଂ ପଢିବା ପର୍ଯ୍ୟନ୍ତ ଆବଶ୍ୟକ ନାହିଁ କାହା ସହାୟତା । ଦୃଷ୍ଟିହୀନଙ୍କ ପାଇଁ AI ଚାଳିତ ସ୍ମାର୍ଟ ଚଷମା ବିକଶିତ କଲା KIMS ଫାଉଣ୍ଡେସନ ।

AI Powered Smart Glasses
KIMS DEVELOPS SMART GLASSES (ETV Bharat)

By ETV Bharat Odisha Team

Published : Nov 22, 2024, 4:37 PM IST

ହାଇଦ୍ରାବାଦ:ଏଣିକି ଦୃଷ୍ଟିବାଧିତମାନେ ନିଜ କାମ ନିଜେ କରିପାରିବେ । କୌଣସି ସ୍ଥାନକୁ ଯିବା ହେଉ କି କାହାକୁ ଚିହ୍ନିବା ପାଇଁ ଅନ୍ୟ କାହାର ଆବଶ୍ୟକତା ଲୋଡ଼ିବେ ନାହିଁ । କାରଣ ସେମାନେ ସ୍ମାର୍ଟ ଚଷମା ସାହାଯ୍ୟରେ ସବୁ ନିଜେ କରିପାରିବେ । ଏବେ ଚର୍ଚ୍ଚାରେ ଥିବା କୃତ୍ରିମ ବୁଦ୍ଧିମତା (AI)କୁ ସଠିକ ଦିଗରେ ବ୍ୟବହାର କରି ଏଆଇ ଚାଳିତ ସ୍ମାର୍ଟ ଚଷମା ତିଆରି କରିଛି ହାଇଦ୍ରାବାଦ ସ୍ଥିତ କିମ୍ସ ଫାଉଣ୍ଡେସନ ଆଣ୍ଡ ରିସର୍ଚ୍ଚ ସେଣ୍ଟର (KFRC) । ଏହି ଚଷମା ଦୃଷ୍ଟିହୀନଙ୍କ ଲାଗି ଆଖିର ଆଲୋକ ସାଜିବ ବୋଲି ଏହାର ଉନ୍ମୋଚନ କରି କହିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ।

ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ସିକନ୍ଦରାବାଦ ଠାରେ ଏକ ବିତରଣ କାର୍ଯ୍ୟକ୍ରମରେ ଚଷମା ଉନ୍ମୋଚନ କରି କହିଛନ୍ତି, "ଏହି ଏଆଇ ଚାଳିତ ସ୍ମାର୍ଟ ଚଷମା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ନୂତନ ଆଲୋକ ଆଣିବ ଏବଂ ସେମାନଙ୍କୁ ଉଜ୍ଜ୍ବଳ ଭବିଷ୍ୟତ କାମନା ଦିଗରେ ସେମାନଙ୍କ ମଧ୍ୟରେ ଆଶା ଉଦ୍ଦୀପନା ଜାଗ୍ରତ କରାଇବ ।" ଏହି ସ୍ମାର୍ଟ ଚଷମା ଦ୍ବାରା ଦେଶର 2ଲକ୍ଷ ଦୃଷ୍ଟିବାଧିତ ଉପକୃତ ହେବାକୁ ଯାଉଛନ୍ତି ।

ଦୃଷ୍ଟିହୀନଙ୍କ ଆଖିର ଆଲୋକ 'ସ୍ମାର୍ଟ ଗ୍ଲାସ'

ଦୃଷ୍ଟିବାଧିତ ଛାତ୍ରୀଙ୍କୁ ସ୍ମାର୍ଟ ଚଷମା ଦେଉଛନ୍ତି ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା (ETV Bharat)

KIMS ହସ୍ପିଟାଲର ସିଏମଡି ଡକ୍ଟର ବୋଲିନେନି ଭାସ୍କର ରାଓଙ୍କ ନେତୃତ୍ବରେ ଏହି AI-ଚାଳିତ ସ୍ମାର୍ଟ ଚଷମାକୁ ବିକଶିତ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିବିଶେଷଙ୍କୁ ସ୍ବାବଲମ୍ବୀ କରାଇବା । ଏହି ଗ୍ଲାସରେ ଏଭଳି ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇଛି ଯାହାଦ୍ବାରା ଦୃଷ୍ଟିହୀନମାନେ ବିଶ୍ବକୁ ନିଜ ଆଖିରେ ଦେଖିପାରିବେ । ଏହି ସ୍ମାର୍ଟ ଚଷମା ଦୃଷ୍ଟିହୀନଙ୍କ ଆତ୍ମ ବିଶ୍ବାସ ବଢାଇବ ବୋଲି କହିଛନ୍ତି ଡକ୍ଟର ରାଓ । ସେ ଆହୁରି କହିଛନ୍ତି, "ଦୃଷ୍ଟିହୀନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଏହି ସମ୍ପ୍ରଦାୟକୁ ଅଧିକ ସ୍ବାଧୀନତା ପ୍ରଦାନ କରିବା ଆମର ଲକ୍ଷ୍ୟ ।" ପ୍ରଥମ ପର୍ଯ୍ୟାୟରେ ଫାଉଣ୍ଡେସନ ପକ୍ଷରୁ 100ଜଣଙ୍କୁ ମାଗଣା ସ୍ମାର୍ଟ ଚଷମା ପ୍ରଦାନ କରାଯିବା ସହ ଏହାର ବ୍ୟବହାର ନେଇ ମଧ୍ୟ ତାଲିମ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ
  1. ଚୋର ଆସିଲେ ବାଜିବ ବଜର୍‌ ଉଠିଯିବ ଫଟୋ, ଏମିତି ସ୍ମାର୍ଟଲକ୍‌ ତିଆରି କଲେ ଇଞ୍ଜିନିୟର
  2. Amazon ତିଆରି କରୁଛି ସ୍ମାର୍ଟ ଚଷମା; ପିନ୍ଧିବା ପରେ ଆଖି ସାମ୍ନାରେ ହେବ ସବୁ ରାସ୍ତା
  3. ଭାରତରେ ଲଞ୍ଚ ହେଲା Samsung ମୁଦି; କଣ ଏଥିରେ ଖାସ ଜାଣନ୍ତୁ

ସ୍ମାର୍ଟ ଚଷମାର ପ୍ରମୁଖ ଫିଚର

AI-ଚାଳିତ ଏହି ଚଷମାରେ ଅନେକ ଅତ୍ୟାଧୁନିକ ଉପକରଣର ବ୍ୟବହାର କରାଯାଇଛି ଯାହାକି ନିମ୍ନଲିଖିତ ଦିଗରେ ଦୃଷ୍ଟିହୀନଙ୍କୁ ବେଶ ସାହାଯ୍ୟ କରିବ ।

  • ମୁହଁ ଚିହ୍ନିବା:-ଏହି ଚଷମାର ଏକ ମୁଖ୍ୟ ଫିଚର ହେଉଛି ଏଥିରେ 400ଟି ମୁହଁ ସେଭ୍‌ ହୋଇ ରହିପାରିବ । ଏହା ୟୁଜରଙ୍କ ପରିବାର, ବନ୍ଧୁ ଏବଂ ପରିଚିତମାନଙ୍କୁ ନାମ ଦ୍ବାରା ଚିହ୍ନିବା ସ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଅନୁମତି ଦେଇଥାଏ ।
  • ନାଭିଗେସନ୍ ସହାୟତା:-ଏହି ଚଷମା ଗୁଡ଼ିକ ନାଭିଗେସନ୍ କ୍ଷମତା ସହିତ ଆସିଛି ଯାହା ୟୁଜରଙ୍କୁ ଘର, ଅଫିସ୍ କିମ୍ବା କଲେଜ ପରି ପୂର୍ବରୁ ସେଭ୍‌ ହୋଇଥିବା ସ୍ଥାନ ଗୁଡିକ ଚିହ୍ନଟ କରିବାରେ ଏବଂ ସେଠାକୁ ପହଞ୍ଚିବାରେ ସାହାଯ୍ୟ କରେ । ଏହାସହ ରିଅଲ୍-ଟାଇମ୍ ଆଲର୍ଟ ପ୍ରଦାନ କରି ୟୁଜରଙ୍କ ନିରାପତ୍ତାକୁ ନିଶ୍ଚିତ କରେ ।
  • ଟେକ୍ସଟ୍-ଟୁ-ସ୍ପିଚ୍ କାର୍ଯ୍ୟକାରିତା:-ଗ୍ଲାସରେ ଏକ ବିଲ୍ଟ-ଇନ୍ ପଠନ ସହାୟତା ଅଛି ଯାହା ଉଚ୍ଚ ସ୍ବରରେ ଲେଖାକୁ ପଢିପାରେ । ଏହା ବହି, ଚିହ୍ନ କିମ୍ବା ଡକ୍ୟୁମେଣ୍ଟ ଗୁଡ଼ିକୁ ଉଚ୍ଚ ସ୍ବରରେ ପଢିପାରେ ।
  • ହାଲୁକା ଏବଂ ଆରାମଦାୟକ:-ଏହାର ଓଜନ ମାତ୍ର 45 ଗ୍ରାମ । ଚଷମା ହାଲୁକା ଏବଂ ଆରାମଦାୟକ ଥିବାରୁ ୟୁଜର ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପିନ୍ଧିପାରିବେ । ବିଶେଷ କରି ଯେଉଁମାନଙ୍କୁ ଦିନସାରା ଚଷମାର ଆବଶ୍ୟକ, ସେମାନେ ଏଥିରେ ବେଶ ଉପକୃତ ହେବେ ।

କେମିତି କାମ କରେ ସ୍ମାର୍ଟ ଚଷମା:-

କମ୍ପ୍ୟୁଟର ଭିଜନ ଏବଂ ମେସିନ୍ ଲର୍ଣ୍ଣିଂ ଆଲଗୋରିଦମ ବ୍ୟବହାର କରି ଏହି ସ୍ମାର୍ଟ ଚଷମା କାମ କରିଥାଏ । USB- ରିଚାର୍ଜ ଯୋଗ୍ୟ ବ୍ୟାଟେରୀ ଦ୍ବାରା ଚାଳିତ ଏବଂ ଏକ ଆପ୍ ସହିତ ଆସିଛି ଯାହାଦ୍ବାରା ୟୁଜର ଠିକଣା, ବନ୍ଧୁ ପରିଜନଙ୍କ ମୁହଁ ଏବଂ ରାସ୍ତା ପରି ଜରୁରୀ ସୂଚନାକୁ ଏଥିରେ ସେଭ୍‌ କରି ରଖିପାରିବେ ।

ଚଷମାର ଦାମ କେତେ ?

ଏହି ସ୍ମାର୍ଟ ଚଷମାର ଦାମ ହେଉଛି 10,000ଟଙ୍କା । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଏହାକୁ ମାଗଣାରେ ବିତରଣ କରାଯାଇଛି । KFRCର ଚେୟାରମ୍ୟାନ ତଥା DRDO ବୈଜ୍ଞାନିକ ଏହି ଚଷମାକୁ ବ୍ୟାପକ ଭାବରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଏନେଇ ସେ କହିଛନ୍ତି, "ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବଣ୍ଟନ କରାଯାଇଛି । କିନ୍ତୁ ଏହି ଚଷମାରୁ ଯେପରି ଅଧିକରୁ ଅଧିକ ଦୃଷ୍ଟିବାଧିତ ଲାଭବାନ ହୋଇପାରିବେ ସେହି ଲକ୍ଷ୍ୟରେ ଆମେ ଏହାକୁ ଆହୁରି ଅଧିକ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛୁ ।"

KFRC ଫାଉଣ୍ଡେସନ ଏହି ଚଷମାକୁ ଅଚଳା ହେଲ୍‌ଥ ସର୍ଭିସର ମିଳିତ ଉଦ୍ୟମରେ ବିକଶିତ କରିଛି । ତେବେ ଏହି ସ୍ମାର୍ଟ ଚଷମାରେ ଯଦି କୌଣସି ତ୍ରୁଟି ଦେଖାଯାଏ ତେବେ କମ୍ପାନୀର ଅଫିସିଆଲ ୱେବସାଇଟରେ ଜଣାଇବାକୁ ୟୁଜରଙ୍କୁ ଅନୁରୋଧ କରିଛନ୍ତି ଅଚଳା ସଲ୍ୟୁସନ (Achala Solutions)ର ସିଇଓ ରାଜେଶ ରାଜୁ ।

ABOUT THE AUTHOR

...view details