ହାଇଦ୍ରାବାଦ:ଭାରତୀୟ ଗବେଷଣା ସଂସ୍ଥା (ଇସ୍ରୋ) ୟୁରୋପର ସୂର୍ଯ୍ୟ ମିଶନ ପ୍ରୋବା-3 ମିଶନର ଲଞ୍ଚ୍ ତାରିଖକୁ ଘୁଞ୍ଚାଇଛି । ଆଜି ଅପରାହ୍ନ 4:06ରେ ଏହି ସାଟେଲାଇଟ୍କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ୍ ସେଣ୍ଟରରୁ ଲଞ୍ଚ କରାଯାଇଥାନ୍ତା । କିନ୍ତୁ ଆସନ୍ତାକାଲି (ଡିସେମ୍ବର 5) ଅପରାହ୍ନ 4:12ଟାରେ ଇସ୍ରୋ PSLV-C59 ରକେଟ୍ରୁ ଏହାକୁ ଲଞ୍ଚ କରାଯିବ ।
କାହିଁକି ଘୁଞ୍ଚିଲା ଲଞ୍ଚ ତାରିଖ ?
ଇସ୍ରୋ ପ୍ରୋବା-3 ମିଶନ ଲଞ୍ଚ ତାରିଖ ବଦଳାଇବା ନେଇ 'X' ସାଇଟ୍ରେ ଏକ ପୋଷ୍ଟ କରି ସୂଚନା ଦେଇଛି । ପ୍ରୋବା-3 ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆଜି ଲଞ୍ଚ ସମୟର ପ୍ରାୟ କିଛି ମିନିଟ ପୂର୍ବରୁ ଇସ୍ରୋ ଏ ନେଇ ସୂଚନା ଦେଇଛି । ସେପଟେ ୟୁରୋପୀୟ ସ୍ପେଶ୍ ଏଜେନ୍ସି ନିଜର ସୂର୍ଯ୍ୟ ମିଶନ ସ୍ଥଗିତ ନେଇ ଏକ୍ସ ସାଇଟରେ ସୂଚନା ଦେଇଛି । ESA ପୋଷ୍ଟରେ କହିଛି ଯେ ପ୍ରୋବା-3 ସ୍ପେଶକ୍ରାଫ୍ଟ ବା ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଯାଇଛି ।
ପ୍ରୋବା-3 ମିଶନ କଣ ?
ୟୁରୋପର ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ଦୁଇଟି ମହାକାଶ ଯାନ କରୋନାଗ୍ରାଫ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖିବା । ଅର୍ଥାତ ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା କଷ୍ଟକର, ଏଥିଲାଗି ଗୋଟିଏ ସ୍ପେଶକ୍ରାଫ୍ଟ ସୂର୍ଯ୍ୟଙ୍କ କରୋନା ବା ବାହ୍ୟବଳୟରୁ ବାହାରୁଥିବା ରଶ୍ମିକୁ ବ୍ଲକ୍ କରି ଅନ୍ଧକାର ସୃଷ୍ଟି କରିବ । ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି । ଅନ୍ୟ ମହାକାଶୟାନଟି କରୋନାକୁ ଅଧ୍ୟୟନ କରିବ । ପ୍ରାୟ 6 ଘଣ୍ଟା ଧରି ବୈଜ୍ଞାନିକମାନେ ଗବେଷଣା କରିବେ ।
କଣ ଏହି ମିଶନର ଲକ୍ଷ୍ୟ ?
ଅନେକ ସମୟରେ ମହାକାଶରେ ଘଟୁଥିବା ଘଟଣା ଯୋଗୁଁ ପୃଥିବୀ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଯେପରିକି ସୌର ଝଡ଼ ଏବଂ ଏଥିରୁ ବାହାରୁଥିବା ପବନ ପୃଥିବୀରେ ସାଟେଲାଇଟ୍ ଯୋଗାଯୋଗ, ନାଭିଗେସନ୍ ଏବଂ ପାୱାର ଗ୍ରୀଡ ଉପରେ ପ୍ରଭାବ ପକାଇଥାଏ । ଏହା ଉପରେ ୟୁରୋପୀୟ ମହାକାଶ ଏଜେନ୍ସିର ବୈଜ୍ଞାନିକମାନେ ଅଧ୍ୟୟନ କରିବେ ।
କେଉଁଠି ଦେଖିବେ ଲଞ୍ଚ ସମୟର LIVE ଦୃଶ୍ୟ:-
ଏହି ମିଶନକୁ ଦେଶବାସୀ ଲାଇଭ ଦେଖିପାରିବେ । ISROର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଶବାସୀ ଲଞ୍ଚ ବେଳର ସିଧାପ୍ରସାରଣ ଦେଖିପାରିବେ । ଇସ୍ରୋର 44.5ମିଟର ବିଶିଷ୍ଟ PSLV-C59 ଲଞ୍ଚ୍ ଭେହିକଲ 550କିଗ୍ରାର ପ୍ରୋବା-3 ସାଟେଲାଇଟ୍କୁ ଲଞ୍ଚ କରିବ । ଏଥିରେ କରୋନାଗ୍ରାଫ ସ୍ପେଶକ୍ରାଫ୍ଟର ଓଜନ 310କିଗ୍ରା ଥିବା ବେଳେ ଅକଲ୍ଟର ସ୍ପେଶକ୍ରାଫ୍ଟର ଓଜନ 240କିଗ୍ରା ରହିଛି ।