ହାଇଦ୍ରାବାଦ: 2028ରେ ନୁହେଁ 2027ରେ ଲଞ୍ଚ ହେବ ଚନ୍ଦ୍ରଯାନ-4 । ଏ ନେଇ ଆଜି (ଗୁରୁବାର) କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏହି ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରୁ ନମୁନା ଭାବେ ପଥର ଖଣ୍ଡ ସଂଗ୍ରହ କରାଯିବ । ଯାହାଦ୍ବାରା ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ତେବେ ଇସ୍ରୋ ଚନ୍ଦ୍ରଯାନ-4 ମିଶନକୁ ହେଭିଲିଫ୍ଟ ଲଞ୍ଚ ଭେହିକଲ LVM-3 ସାହାଯ୍ୟରେ ଉତକ୍ଷେପଣ କରିବ । କିନ୍ତୁ ଏହାକୁ ଦୁଇଟି ଅଲଗା ଲଞ୍ଚ ସହ 5ଟି ଭିନ୍ନ ଭିନ୍ନ କମ୍ପୋନେଣ୍ଟକୁ କକ୍ଷପଥରେ ଏକତ୍ରିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ନମୁନା ସଂଗ୍ରହ କରିବ ଚନ୍ଦ୍ରଯାନ-4
ନ୍ୟୁଜ ଏଜେନ୍ସି ପିଟିଆଇକୁ ସାକ୍ଷାତାକାର ଦେଇ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, "ଚନ୍ଦ୍ରଯାନ-4 ମିଶନର ଲକ୍ଷ୍ୟ ହେଉଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା ।" ଚନ୍ଦ୍ରଯାନ-4 ସହିତ ପଠାଯିବାକୁ ଥିବା ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଚ୍ୟାଲେଞ୍ଜିଂ କାର୍ଯ୍ୟ କରିବ । ଚନ୍ଦ୍ରପୃଷ୍ଠର ନମୁନାକୁ ପୃଥିବୀ ପୃଷ୍ଠରେ ବିଶ୍ଲେଷଣ କରି ଅନେତ ତଥ୍ୟ ହାସଲ କରିହେବ । ଚନ୍ଦ୍ରପୃଷ୍ଠରେ ଜଳ ଏବଂ ଗୁରୁତ୍ବପୂର୍ଣ୍ଣ ସମ୍ବଳ ବିଷରେ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି ।
2026ରେ ଗଗନ ଯାନ ଓ ସମୁଦ୍ର ଯାନ ମିଶନ
କେନ୍ଦ୍ରମନ୍ତ୍ରୀ ସିଂ ଆହୁରି କହିଛନ୍ତି ଯେ ଭାରତର ପ୍ରଥମ ମାନବ ମିଶନ ଗଗନ ଯାନକୁ ଆସନ୍ତା ବର୍ଷ ଲଞ୍ଚ କରାଯାଇ ଭାରତୀୟ ମହାକାଶଚାରୀଙ୍କୁ ପୃଥିବୀର ନିମ୍ନ କକ୍ଷପଥକୁ ପଠାଯିବ । ସେହିପରି ସମାନ ବର୍ଷ ଅର୍ଥାତ 2026ରେ ସମୁଦ୍ର ଯାନ ମିଶନ ଲଞ୍ଚ କରାଯିବ, ଯାହାକି 3ଜଣ ବୈଜ୍ଞାନିକଙ୍କୁ ନେଇ 6000ମିଟର ଗଭୀର ସମୁଦ୍ରକୁ ଯିବ । ଏହି ମିଶନ ଭାରତର ପ୍ରମୁଖ ମିଶନ ମଧ୍ୟରୁ ଅନ୍ୟତମ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅଭିଭାଷଣରେ ସମୁଦ୍ର ଯାନ ମିଶନ ସମ୍ପର୍କରେ କହିଥିଲେ । ଏହି ମିଶନ ଦ୍ବାରା ସାମୁଦ୍ରିକ ଜୈବ ବିବିଧତା ଓ ଅନ୍ୟାନ୍ୟ ଗଚ୍ଛିତ ସମ୍ବଳ ସମ୍ପର୍କରେ ସୂଚନା ମିଳିବ । ଏହାସହିତ ଶ୍ରୀହରିକୋଟାରେ ନିର୍ମାଣ ହେବାକୁ ଥିବା ତୃତୀୟ ଲଞ୍ଚପ୍ୟାଡ ସମ୍ପର୍କରେ ମଧ୍ୟ ମନ୍ତ୍ରୀ କହିଛନ୍ତି । 1969ରେ ଇସ୍ରୋ ପ୍ରତିଷ୍ଠା ହୋଇଥିବା ବେଳେ 1993ରେ ପ୍ରଥମ ଲଞ୍ଚ ପ୍ୟାଡ୍ ସ୍ଥାପନ ହୋଇଥିଲା । ଏହାପରେ ଏକ ଦଶନ୍ଧି ପରେ 2004ରେ ଦ୍ବିତୀୟ ଲଞ୍ଚ ପ୍ୟାଡ୍ ସ୍ଥାପିତ ହେଲା । ଗତ 10ବର୍ଷ ମଧ୍ୟରେ ଭାରତର ସ୍ପେଶ ସେକ୍ଟର ବହୁ ଅଗ୍ରଗତି ହାସଲ କରିଛି । ଏବେ ଭାରି ଲଞ୍ଚ ଯାନ ଲାଗି ଶ୍ରୀହରିକୋଟାରେ ତୃତୀୟ ଲଞ୍ଚ ପ୍ୟାଡ୍ ସ୍ଥାପନ ହେବ ବୋଲି ସେ କହିଛନ୍ତି ।