ହାଇଦ୍ରାବଦ: ପୂରଣ ହେବ ଗଣିତ ଶିକ୍ଷକଙ୍କ ସ୍ବପ୍ନ । ନିର୍ମାଣ କଲେ ସୌରଚାଳିତ କାର୍ । ଆପଣମାନେ ପେଟ୍ରୋଲ, ଡିଜେଲ କିମ୍ବା ବ୍ୟାଟେରୀ କାର୍ ଦେଖିଥିବେ । ହେଲେ କେବେ ସୌରଚାଳିତ କାର ଦେଖିଛନ୍ତି କି ? ଏଭଳି ଏକ କାର୍ ନିର୍ମାଣ କରିଛନ୍ତି ଜଣେ ଗଣିତ ଶିକ୍ଷକ । 2009 ମସିହାରେ ଶ୍ରୀନଗରର ଗଣିତ ଶିକ୍ଷକ ବିଲାଲ ଅହମ୍ମଦ ମୀର ଲୋକଙ୍କ ପାଇଁ ଏକ ସୁଲଭ ମୂଲ୍ୟରେ ସୌର ଶକ୍ତି କାର ନିର୍ମାଣ କରିବା ପାଇଁ ସ୍ବପ୍ନ ଦେଖିଥିଲେ । ଯାହା ଦୀର୍ଘ ୧୬ ବର୍ଷ ପରେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ସେ ଏହି ପ୍ରକଳ୍ପ ପାଇଁ ନିଜ ପୈତୃକ ସମ୍ପତ୍ତିର କିଛି ଭାଗ ବିକ୍ରି କରି 22 ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ସୌରଚାଳିତ କାରକୁ ସଧାରଣ ଲୋକଙ୍କ ପାଇଁ 10 ଲକ୍ଷରୁ କମ୍ ମୂଲ୍ୟରେ ଉପଲବ୍ଧ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।
- ଭାରତର ପ୍ରଥମ ସୌର କାର୍:
କାର୍ ନିର୍ମାତା ବିଲାଲ ଅହମ୍ମଦ ମୀର କହିଛନ୍ତି, "ପ୍ରଥମରୁ ହିଁ ଏକ ସୁଲଭ ଏବଂ ଇକୋ-ଫ୍ରେଣ୍ଡଲି (ପରିବେଶ ଅନୁକୂଳ) କାର ନିର୍ମାଣ କରିବା ମୋର ଉଦ୍ଦେଶ୍ୟ ଥିଲା । ବର୍ତ୍ତମାନ ଯେତେବେଳେ ଏହି କାର୍ ଜୁନ 22 ତାରିଖରେ ରାସ୍ତାରେ ଗଡ଼ିବ ସେତେବେଳେ ଏହାର ମୂଲ୍ୟ 10 ଲକ୍ଷରୁ କମ୍ ହେବ । ଏହା କେବଳ ବଜେଟ୍ ଅନୁକୂଳ ନୁହେଁ ବରଂ ରାସ୍ତାରେ ଭାରତର ପ୍ରଥମ ସୌରଚାଳିତ କାର ହେବ । ମୁଁ କାରର ଆଉ ଏକ ଉନ୍ନତ ସଂସ୍କରଣ ଉନ୍ମୋଚନ କରିଛି । ସମସ୍ତ ପ୍ରକାର କାଗଜ ପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି କାରର ବ୍ରାଣ୍ଡ ନାଁ 'ରୟ' ରଖାଯାଇଥିବା ବେଳେ ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହୋଇଛି ।"
- ଜୁନ୍ 22ରେ ଲଞ୍ଚ:
2022 ମସିହାରେ ମୀର ପ୍ରଥମେ ନିଜର ସୌରଚାଳିତ କାରକୁ ଉନ୍ମୋଚନ କରି ବହୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ପ୍ରକଳ୍ପକୁ ଅଧିକ ବ୍ୟବହାରିକ କରିବା ପାଇଁ କ୍ରମାଗତ ଭାବରେ ଡିଜାଇନରେ ଉନ୍ନତି କରିଆସୁଛନ୍ତି ସେ । ଏରୋଡାଇନାମିକ୍ସ, ସୌର ପ୍ୟାନେଲ ଏବଂ ସାମଗ୍ରିକ କାର୍ଯ୍ୟଦକ୍ଷତା ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି," 'ରୟ' ହେଉଛି 1 kW ସୌରଚାଳିତ କାର୍ । ଏଥିରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଯୋଗାଇବା ପାଇଁ ଉନ୍ନତମାନର ବ୍ୟାଟେରୀ ବ୍ୟବହାର କରାଯାଇଛି ନିରାପତ୍ତା ଏବଂ ସୁବିଧା ପାର୍କିଂ ପାଇଁ ସେନସର ମଧ୍ୟ ରହିଛି । ତେବେ କାରଟି ଜୁନ୍ 22 ତାରିଖରେ ଅନୁଷ୍ଠାନିକ ଭାବେ ଲଞ୍ଚ ହେବ । ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ 31 ତାରିଖରୁ ଆମେ ଗୁଲମର୍ଗ, ପହଲଗାମ ଏବଂ ଶ୍ରୀନଗରର ବୁଲଭାର୍ଡ ଭଳି ଉଚ୍ଚ ସ୍ଥାନକୁ ଯାଇ ରୋଡ ସୋ' କରିବୁ ।"
ସେ ଏହା ମଧ୍ୟ କହିଛନ୍ତି,"ମୋ ପାଇଁ ଜୁନ 22 ତରିଖ ପ୍ରକୃତରେ ଭାଗ୍ୟବାନ ଅଟେ । କାରଣ 2022 ମସିହା ଜୁନ ୨୨ ତାରିଖରେ ମୋ କାର ଭାଇରାଲ ହୋଇଥିଲା । ସେତେବେଳେ ମହିନ୍ଦ୍ରା ଭଳି ବଡ଼ ଅଟୋମୋବାଇଲ କମ୍ପାନୀ ମୋ ପାଖରେ ପହଞ୍ଚି ଥିଲେ ।" ସେପଟେ ମୀର ତାଙ୍କ କମ୍ପାନୀକୁ ବିଲାଲ ଇନୋଭେସନ୍ସ ସୋଲାର ଅଟୋମୋବାଇଲ୍ (ବିଏସ୍ଏ) ସହ ପଞ୍ଜୀକୃତ କରିଛନ୍ତି, ଯାହା ଅଧିନରେ ଗାଡି ବଜାରକୁ ପ୍ରବେଶ କରିବ ।
- ଡବଲ ପାୱାର ସିଷ୍ଟମ:
ମୀରଙ୍କ ସୂଚନା ଅନୁଯାୟୀ, ଅନ୍ୟ କାର୍ ପରି ସୌରଚାଳିକ କାରଟି କାର୍ଯ୍ୟ କରିବ । ଏଥିରେ ଦୁଇ ଜଣ ଯାତ୍ରୀ ବସିବା କ୍ଷମତା ରହିଛି । ଡବଲ ପାୱାର ସିଷ୍ଟମ ରହିଛି । ସେପଟେ ମୀର କହିଛନ୍ତି,"ମୁଁ କାଶ୍ମୀରର ପ୍ରତିକୂଳ ଜଳବାୟୁରେ ମୋର କାର୍ ଟେଷ୍ଟିଂ କରିଛି । ମୁଁ ପୁଣିଥରେ କହିଛି ଯେ ସୌର ପ୍ୟାନେଲ ଗୁଡ଼ିକ ବାରମ୍ବାର ଚାର୍ଜିଂ ଆବଶ୍ୟକତା ଦୂର କରିଥାଏ । କାରର ସମସ୍ତ ପ୍ରକାର ନିରାପତ୍ତା ପରୀକ୍ଷା ଶେଷ ହୋଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ