ବ୍ରହ୍ମପୁର: ଆସନ୍ତା ୧୭ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ପୂର୍ବାଞ୍ଚଳ ଜୋନାଲସ୍ତରୀୟ ମହିଳା ହ୍ୟାଣ୍ଡବଲ୍ ପ୍ରତିଯୋଗିତା । ଏହାପରେ ଆସନ୍ତା ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଓଡିଶା ଆନ୍ତଃବିଶ୍ୱବିଦ୍ୟାଳୟ ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହେବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଥିବା ନେଇ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ।
- ଦେଶର ପୂର୍ବାଞ୍ଚଳ ମହିଳା ହ୍ୟାଣ୍ଡବଲ୍ ପ୍ରତିଯୋଗିତା:
କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି,"ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ) ଆନୁକୂଲ୍ୟରେ ଏବଂ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଆସୋସିଏସନ୍ ସହଯୋଗରେ ଫେବୃଆରୀ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭଞ୍ଜ ବିହାର ପରିସରରେ ଆୟୋଜିତ ହେବାକୁ ଯାଉଛି ଦେଶର ପୂର୍ବାଞ୍ଚଳ ଜୋନାଲ୍ ସ୍ତରୀୟ ମହିଳା ହ୍ୟାଣ୍ଡବଲ୍ ପ୍ରତିଯୋଗିତା । ଏଥିରେ ପୂର୍ବ ଭାରତର ପ୍ରାୟ ୧୮ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ । ଓଡିଶାର ୩ଟି ବିଶ୍ୱବିଦ୍ୟାଳୟ ଏଥିରେ ଯୋଗ ଦେବା ପାଇଁ ସ୍ଥିର ହୋଇଛି । ପ୍ରାୟ ୨୫୦ ରୁ ୩୦୦ ଶହ ପ୍ରତିଯୋଗୀ ସହିତ ସେମାନଙ୍କ ୩୫ ଜଣ କୋଚ୍ ଓ ମ୍ୟାନେଜର ମଧ୍ୟ ଏଥିରେ ଯୋଗଦାନ କରିବେ । ଯାହାକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ।"

- ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା:
ସେହିପରି ଆସନ୍ତା ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ଏଥିରେ ଅଂଶଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୧୮ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୬ଟି ବିଶ୍ୱବିଦ୍ୟାଳୟ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରିଛନ୍ତି । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଜଣିଆ ଏକ ଟିମ ଅଂଶଗ୍ରହଣ କରିବେ। ଏଥିରେ ପ୍ରାୟ ୬୦୦-୭୦୦ ଜଣ ପ୍ରତିଯୋଗୀ ଏବଂ ଅଧିକାରୀ ଅଂଶଗ୍ରହଣ କରିବେ ।

- ସୁପରିଚାଳନା ପାଇଁ ୨୦ଟି କମିଟି ଗଠନ:
କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ୨୦ଟି କମିଟି ଗଠନ କରାଯାଇଛି । ଆସନ୍ତା ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ମୋଟ ୧୬ ଟି ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେପଟେ ଏଠାକୁ ଆସୁଥିବା ପ୍ରତିଯୋଗୀମଙ୍କ ପାଇଁ ଖାଇବା ଏବଂ ରହିବା ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହ କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଶ୍ୱବିଦ୍ୟାଳୟର ପଡ଼ିଆ,ବିଜୁ ପଟ୍ଟନାୟକ ଅଡିଟୋରିୟମ ଏବଂ ନୂତନ ସମ୍ମିଳନୀ କକ୍ଷଠାରେ ତିନୋଟି ସ୍ଥାନ ଚିହ୍ନଟ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...IPL 2025: ଏହି ତାରିଖରେ ବାଜିବ ବିଗୁଲ, ଓପନିଂ ମ୍ୟାଚରେ ମୁହାଁମୁହିଁ KKR-RCB - IPL 2025 ଏହା ମଧ୍ୟ ପଢନ୍ତୁ...ପୁଣି କମ୍ପିବ ବାରବାଟୀ, ଫେବୃଆରୀ 16ରୁ ସେଲିବ୍ରିଟି କ୍ରିକେଟ ଲିଗ୍ - CCL 2025 |

- ବିଜେତାମାନଙ୍କ ପାଇଁ ପୁରସ୍କାର ରାଶି:
ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯିବ । ପ୍ରଥମ ସ୍ଥାନ ପାଇଁ 30 ହଜାର,ଦ୍ୱିତୀୟ ସ୍ଥାନ 15 ହଜାର ଏବଂ ତୃତୀୟ ସ୍ଥାନ ପାଇଁ 10 ହଜାର ଟଙ୍କା ରଖାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର