ହାଇଦ୍ରାବାଦ: ଦେଶରେ CNG କାର ବିକ୍ରିରେ ମାରୁତି ସୁଜୁକି ଇଣ୍ଡିଆର ଦବଦବା ରହିଛି । ହେଲେ ଏବେ ଏହି ତାଲିକାରେ ସାମିଲ ହୋଇଛି ହୁଣ୍ଡାଇ ମୋଟର ଇଣ୍ଡିଆ (Hyundai Motor India) । ହୁଣ୍ଡାଇ ଗତ ଅକ୍ଟୋବରରେ ରେକର୍ଡ ସଂଖ୍ୟକ ସିଏନଜି କାର ବିକ୍ରି କରିଛି । ସିଏନଜି କାରର ରେକର୍ଡ 14.9 ପ୍ରତିଶତ ମାର୍କେଟ ସେୟାର ରହିଛି । ଧିରେ ଧିରେ ବଜାରରେ ସିଏନଜି କାରର ଚାହିଦା ବୃଦ୍ଧି ଓ କମ୍ପାନୀର ଏଣ୍ଟ୍ରି-ଲେଭଲ୍ CNG ମଡେଲର ମଜବୁତ ପୋର୍ଟଫୋଲିଓ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
କାହିଁକି ବଢିଲା ସିଏନଜି କାର ସେୟାର ?
ଗ୍ରାଣ୍ଡ i10 Nios ଓ Exterରେ ଡୁଆଲ୍ ସିଏନଜି ସିଲିଣ୍ଡର ସହିତ ଉନ୍ନତ ବୁଟ୍ ସ୍ପେସ୍ ଏବଂ ଇନ୍ଧନ ଦକ୍ଷତା ଯୋଗୁଁ ବିକ୍ରି ବୃଦ୍ଧି ପାଇଛି । ଏ ନେଇ ହୁଣ୍ଡାଇ ଇଣ୍ଡିଆର ସିଓଓ ତରୁଣ ଗର୍ଗ କହିଛନ୍ତି, "ଆମେ ଆମର ଗ୍ରାହକଙ୍କ ମତାମତକୁ କ୍ରମାଗତ ଭାବରେ ଶୁଣୁଛୁ । କମ୍ପାନୀର ଉଭୟ ସିଏନଜି ଯାନ ଉଚ୍ଚ ମାଇଲେଜ୍ ଏବଂ ନିରାପତ୍ତା ସହିତ ପର୍ଯ୍ୟାପ୍ତ ସ୍ଥାନ ଯୋଗାଇଦେବା ନେଇ ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ଉଦ୍ଦିଷ୍ଟ । ଯାହାକି ଆମକୁ ସଫଳତା ହାତେଇବାରେ ସାହାଯ୍ୟ କରିଛି । ଯାହାଦ୍ବାରା ଅକ୍ଟୋବର 2024ରେ ମୋଟ ସେଲ୍ରୁ CNG କାର ସେୟାର 14.9 ପ୍ରତିଶତ ରହିଛି ।" ଅକ୍ଟୋବରରେ i10 Nios ବିକ୍ରିରେ CNGର 17.4% ଯୋଗଦାନ ଥିଲା । ସେହିପରି Exter ଲାଗି ଏହି ସଂଖ୍ୟା 39.7%, Aura ଲାଗି 90.6% ଥିଲା ।