ଭୁବନେଶ୍ୱର: ଆଉ ଦିନକ ପରେ ବିଦାୟ ନେବ ବର୍ଷ-୨୦୨୪ । ସ୍ମୃତି ହୋଇଯିବ ଘଟଣା, ଦୁର୍ଘଟଣା, ସଫଳତା, ବିଫଳତା, ଉଲ୍ଲାସ ଓ ଅବସାଦ ମିଶା ସବୁ ଅନୁଭୂତି । ନୂଆ ସମ୍ଭାବନା ଭରା ଉତ୍ସାହ ସହ ବର୍ଷ-୨୦୨୫କୁ ସ୍ବାଗତ କରିବ ସମଗ୍ର ବିଶ୍ବ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ମଧ୍ୟରେ ସଜେଇ ହେଲାଣି । ଜିରୋ-ନାଇଟ୍ ସେଲିବ୍ରେସନ ଓ ସେଲିବ୍ରେଟିଙ୍କ ଗହଣରେ ଝୁମିବ ଭୁବନେଶ୍ୱର । ନିଜ ଗ୍ରାହକମାନଙ୍କ ପାଇଁ ହୋଟେଲଗୁଡିକ ମଧ୍ୟ ଆକର୍ଷଣୀୟ ଅଫର ସହ ବିଭିନ୍ନ ଡିଜେ, ନାଚ-ଗୀତର ବ୍ୟବସ୍ଥା କରିଛନ୍ତି ।
- ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସାହିତ ରାଜଧାନୀବାସୀ
ବିଦାୟ ନେବ ୨୦୨୪ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ । ହସ ଖୁସି ଓ ଉତ୍ସବର ଆସର ଭିତରେ ପୁରୁଣା ବର୍ଷର ବିଦାୟ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ସେଲିବ୍ରେସନର ମାହୋଲ । ଭୁବନେଶ୍ବରରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସଜେଇ ହୋଇଛି ଷ୍ଟାର ହୋଟେଲ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିଛି ଆକର୍ଷଣୀୟ ଅଫର । କିଏ ଖାଇବା ପିଇବା ପାଇଁ ଅନଲିମିଟେଡ୍ ଅଫର ଦେଉଛି ତ ପୁଣି କିଏ ଲାଇଭ ମ୍ୟୁଜିକ୍ ନାଇଟ ସହ ରହିବା ଏବଂ ମସାଜ ପାଇଁ ଦେଉଛନ୍ତି ଫୁଲ ପ୍ୟାକେଜ୍ । କପଲ, ଶିଶୁ ଓ ଏକୁଟିଆ ଲୋକମାନଙ୍କ ପାଇଁ ଅଲଗା ଅଲଗା ପ୍ୟାକେଜ୍ ବି ରହିଛି ।
ହୋଟେଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା
ଲୋକମାନଙ୍କୁ ନଚେଇବା, ଝୁମିବା ପାଇଁ ବଲିଉଡ୍, ଓଲିଉଡ୍ ସହ ଡିଜେ କଳାକାରମାନେ ଏବେ ହୋଟେଲରେ ଚଳାଇଛନ୍ତି ଅଭ୍ୟାସ । ୮ ଟାରୁ ୧୨ ଯାଏ ସେଲିବ୍ରେସନ ଚାଲିବାକୁ ଥିବା ବେଳେ ଜିରୋ ନାଇଟ ସେଲିବ୍ରେସନ ପାଇଁ ରାଜଧାନୀବାସୀ ବେଶ ଉତ୍ସାହ ରହିଛି । ସମସ୍ତେ ସୁରକ୍ଷିତ ଭାବରେ ଉପଭୋଗ କରିବା ପାଇଁ ହୋଟେଲଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
- ବ୍ୟବସ୍ଥା ନେଇ କଣ କହୁଛନ୍ତି ହୋଟେଲିୟର
ଏମ୍ପାୟାର୍ସ ହୋଟେଲ ଭିପି ସଞ୍ଜୟ ମିଶ୍ର କହିଛନ୍ତି, "ଜିରୋନାଇଟ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି ଜୋରଦାର ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ରୁମ୍ ବୁକିଂ ସରିଛି । ଗ୍ରାହକମାନଙ୍କ ପାଇଁ ନାଚ, ଗୀତ, ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ଏଥିସହ ଖାଇବା ପାଇଁ ୭୦ରୁ ୮୦ ପ୍ରକାର ବ୍ୟଞ୍ଜନର ଆୟୋଜନ କରାଯାଇଛି ।"
ହୋଟେଲ ସ୍ବସ୍ତି ଗ୍ରୁପ୍ ମ୍ୟାନେଜର ସୌଭାଗ୍ୟ ମଞ୍ଜରୀ ପଣ୍ଡା କହିଛନ୍ତି, " ଜିରୋ ନାଇଟ ସେଲିବ୍ରେସନ ପାଇଁ ଡିଜେ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇ ସିସିଟିଭି, ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି ।"
ଇଟିଭି ଭାରତ, ଭୁବନେଶ୍ୱର