କଟକ: ଆଜି 6 ବର୍ଷ ଅପେକ୍ଷାର ଅନ୍ତ ଘଟିବ । କଟକ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଏଥି ପାଇଁ ବାରବାଟୀ ପ୍ରସ୍ତୁତ, ପିଚ୍ ପ୍ରସ୍ତୁତ ଓ ଭାରତୀୟ ଖେଳାଳିବି ପ୍ରସ୍ତୁତ । ବାସ୍ ଆଉ ମାତ୍ର କିଛି ସମୟର ଅପେକ୍ଷା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ । ଏଥି ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଟିମ୍ ଇଣ୍ଡିର ଷ୍ଟାର ଖେଳାଳିଙ୍କ ଛକା ଚୌକାର ବର୍ଷାରେ କମ୍ପିବ ଷ୍ଟାଡିୟମ । ଅପରାହ୍ନ 1ଟା 30ରେ ଆରମ୍ଭ ହେବ ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ ।
1-0ରେ ଆଗୁଆ ଭାରତ:
ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ କଢା ମୁକାବିଲା । ସୁପର ସଣ୍ଡେରେ ହାଇଭୋଲଟେଜ ମ୍ୟାଚ ଦେଖିବେ ଦର୍ଶକ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇ 1-0ରେ ଆଗୁଆ ରହିଛି । ଆଜି ମଧ୍ୟ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ରୋହିତ ବାହିନୀ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବା ପ୍ରସ୍ତୁତ ହୋଇଛି । ଯାଗା ଗତକାଲି ଅଭ୍ୟାସ ସମୟରେ ଦେଖିବାକୁ ମିଳିଥିଲା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚ ହାରି ଥିବାରୁ ଦ୍ବିତୀୟ ମ୍ୟାଚରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।
ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ, କୋହଲି-ବିରାଟଙ୍କ ଉପରେ ନଜର:
ସବୁଜ ରଙ୍ଗରେ ପିଚ୍ରେ ନିଜ ପ୍ରିୟ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ଅପେକ୍ଷା । ସମୟ ଯେତିକି ବଢୁଛି ଦର୍ଶକଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିବା ନେଇ କ୍ରିକେଟ ପ୍ରେମୀ ଆଶାବାଦୀ । ଆଜିର ମ୍ୟାଚ ଦେଖିବାକୁ ବାରବାଟୀରେ ଡେରା ପକାଇଛନ୍ତି ଦର୍ଶକ । ମ୍ୟାଚର ମଜା ଉଠାଇବାକୁ ପୁରା ତୟାର ରହିଛନ୍ତି । ଷ୍ଟାଡିୟମ କଡା ସୁରକ୍ଷାବଳୟ ମଧ୍ୟରେ ରହିଛି । ସକାଳୁ ସକାଳୁ ଦର୍ଶକଙ୍କ ଗହଳି ମଧ୍ୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପୁଛି ଷ୍ଡାଡିୟମ ବାହାର । ବିଶେଷ ଭାବେ ବିରାଟ ଓ ରୋହିତଙ୍କ ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।
ବାରବାଟୀ ଦିନିକିଆ ଇଂଲଣ୍ଡ ବନାମ ଭାରତ ରେକର୍ଡ:
ଯଦି ବାରବାଟୀ ରେକର୍ଡ ଉପରେ ନଜର ପକାଇବା ତେବେ ରେକର୍ଡ କହୁଛି ବାରବାଟୀରେ ଏଯାବତ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୩ ଟି ବିଜୟ ହାସଲ କରିଥିଲା ବେଳେ ଭ୍ରମଣକାରୀ ଦଳ ଇଂଲଣ୍ଡ ୨ ଟି ବିଜୟ ହାସଲ କରିଛି । ୧୯୮୨ ଓ ୧୯୮୪ ମସିହାରେ ଖେଳାଯାଇଥିବା ଦିନିକିଆରେ ଭାରତ ୫ ୱିକେଟରେ ଜିତିଥିଲା ଓ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚକୁ ୧ ରନରେ ଜିତିଥିଲା । ଏହାପରେ ଦୀର୍ଘ ୧୮ ବର୍ଷରେ ଅର୍ଥାତ ୨୦୦୨ ମସିହାରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ୧୬ ରନରେ ଭାରତକୁ ପରାଜୟର ରାସ୍ତା ଦେଖାଇଥିଲା ଇଂଲଣ୍ଡ । ୨୦୦୮ ଓ ୨୦୧୭ ମସିହାରେ ବାରବାଟୀରେ ଖେଳାଯାଇଥିବା ଦୁଇଟି ମ୍ୟାଚକୁ କ୍ରମାଗତ ଭାବରେ ୬ ୱକେଟ ଓ ୧୫ ରନ ରେ ଜିତିନେଇଥିଲା ଟିମ ଇଣ୍ଡିଆ । ରେକର୍ଡ ଅନୁଯାୟୀ ଇଂଲଣ୍ଡ ବିପକ୍ଷ ବାରବାଟୀ ଦିନିକିଆରେ ଇଣ୍ଡିଆ ପକ୍ଷରେ ରହିଛି । ତେଣୁ ଆଶା କରାଯାଉଛି ଆଜି ମଧ୍ୟ ଦଳର ପ୍ରଦର୍ଶନ ଭଲ ରହିବ ।
କଳାମାଟି ପିଚ୍ରେ ମ୍ୟାଚ:
ମ୍ୟାଚ ପାଇଁ ଷ୍ଟାଡିୟମରେ କଳା ମାଟି ଓ ନାଲି ମାଟିରେ 2ଟି ପିଚ୍ କରାଯାଇଛି । ଓଡ଼ିଶାର କଲାହାଣ୍ଡିରୁ କଳା ମାଟି ଆସିଥିବା ବେଳେ ମହାରାଷ୍ଟ୍ରରୁ ନାଲି ମାଟି ଆସିଛି । ଆଜି କଳାମାଟି ପିଚ୍ରେ ମ୍ୟାଚ ଖେଳାଯିବ । ଏଥିରେ ବଡ ସ୍କୋର ହେବା ନେଇ ଆଶା କରାଯାଉଛି ।
ଏହି ଖେଳାଳିଙ୍କ ଉପରେ ରହିବ ନଜର:
ପ୍ରଥମ ମ୍ୟାଚରେ ବ୍ୟାଟିଂ ବିଭାଗରେ ଶୁବମନ ଗିଲ, ଶ୍ରେୟସ ଆୟର ଓ ଅକ୍ସର ପଟେଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତେଣୁ ସେମାନେ ଫର୍ମ ଜାରି ରଖିବା ନେଇ ଦଳ ଆଶାବାଦୀ । ସେହିପରି ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ମ୍ୟାଚରେ ସେ ମାତ୍ର 2 ରନ କରିଥିଲେ । ବାରବାଟୀ ପିଚ୍ରେ ସେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି । ସେହିପରି ଜୟସ୍ବାଲ ପ୍ରଥମ ମ୍ୟାଚରେ ଭଲ ଖେଳିନଥିଲେ । ବାରବାଟୀରେ ସେ ଆଜି ପ୍ରଥମ ମ୍ୟାଚ ଖେଳିବେ । ତେଣୁ ଏଠାକାର ପିଚ୍ ତାଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ସେହିପରି ବୋଲିଂ ବିଭାଗରେ ରବିନ୍ଦ୍ର ଜାଡେଜା, ହର୍ଷିତ ରଣା, କୁଳଜୀପ ଯାଦବ ଓ ମହମ୍ମଦ ଶାମି ଘାତକ ବୋଲିଂ କରି ବିପକ୍ଷ ଦଳକୁ ବଡ ସ୍କୋର କରିବାରେ ଅଟାଇବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ଯପଟେ ଇଂଲଣ୍ଡ ଖେଳାଳି ମଧ୍ୟ ଭାରତୀୟ ବୋଲରଙ୍କୁ ଘାଇଲା କରିବାକୁ ରେଡ୍ଡି । ବଟଲର ପୁରା ଫର୍ମରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଫିଲ ସଲ୍ଟ, ଜ୍ୟାକୋବ ମଧ୍ୟ ଭଲ ଖେଳୁଛନ୍ତି ।
ଆଜି ଖେଳିବେତ ବିରାଟ କୋହଲି:
ଆଣ୍ଠୁରେ ଯନ୍ତ୍ରଣା କାରଣରୁ ପ୍ରଥମ ଦିନିକିଆ ଖେଳିନଥିଲେ ବିରାଟ କୋହଲି । ଅଭ୍ୟାସ ସମୟରେ ସେ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ତେଣୁ ଆଜିର ମ୍ୟାଚ ଖେଳିପାରନ୍ତି ବୋଲି ଆଶା କରାଯାଉଛି । ତାଙ୍କୁ ଦେଖିବାକୁ ଅନାଇ ବସିଛନ୍ତି ହଜାର ହଜାର ଦର୍ଶକ । ଆଜି ଏକାଦଶରେ ସେ ସ୍ଥାନ ପାଉଛନ୍ତି ନା ନାହିଁ ତା ଟସ୍ ପରେ ହିଁ ଜଣାପଡିବ ।