ସମ୍ବଲପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ରକ୍ତତୀର୍ଥ ଭାବେ ପରିଚିତ କୁଦୋପାଲି ଗସ୍ତ କରିଛନ୍ତି । ସେଠାରେ 1857 ମସିହାରେ ଇଂରେଜମାନଙ୍କ ସହ ସଂଗ୍ରାମ କରି ନିଜ ଜୀବନର ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଲ ସାଏଙ୍କ ସହ 57 ଜଣ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ସୋମବାର) ଦିନ 11 ଟା ସମୟରେ କୁଦୋପାଲି ଗାଁ ସ୍ଥିତ "ବୀର ଛବିଲ ସାଏ ସଂଗ୍ରହାଳୟ"କୁ ଯାଇ ଛବିଲ ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂଗ୍ରହାଳୟ ବୁଲି ଦେଖିଥିଲେ l ସେ କୁଦୋପାଲି ଗାଁରୁ ଏକ ବିଶାଳ ଶୋଭାଯାତ୍ରାରେ କୁଦୋପାଲି ପାହାଡ଼ ଘାଟିର ତଳ ଦେଶରେ ଥିବା ବୀର ଛବିଲ ସାଏ ସ୍ମୃତି ପୀଠକୁ ଆସି ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ 21 ତୋପ ସଲାମୀ ଦିଆଯାଇଥିଲା l
![Dharmendra pradhan visited kudopali](https://etvbharatimages.akamaized.net/etvbharat/prod-images/30-12-2024/od-sam-01-dharmendra-pradhan-visit-kudopali-avb-7202776_30122024164839_3012f_1735557519_869.jpg)
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି," ସମ୍ବଲପୁର କୁଦୋପାଲିଠାରେ ଜିଲ୍ଲା ପ୍ରଶାସନ ସହଯୋଗରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛି । 1857 ମସିହା ଡିସେମ୍ବର 30ରେ କୁଦୋପାଲି ଘାଟିରେ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କାରଣରୁ ଦେଶ ସ୍ୱାଧୀନତା ପାଇପାରିଛି ।"
![Dharmendra pradhan visited kudopali](https://etvbharatimages.akamaized.net/etvbharat/prod-images/30-12-2024/od-sam-01-dharmendra-pradhan-visit-kudopali-avb-7202776_30122024164839_3012f_1735557519_263.jpg)
![Dharmendra pradhan visited kudopali](https://etvbharatimages.akamaized.net/etvbharat/prod-images/30-12-2024/od-sam-01-dharmendra-pradhan-visit-kudopali-avb-7202776_30122024164839_3012f_1735557519_766.jpg)
ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କମ ନୁହେଁ କୁଦୋପାଲି
ସେ ଆଉମଧ୍ୟ କହିଛନ୍ତି, "ସମ୍ବଲପୁରର ଭାଷା, ସଂସ୍କୃତି, ସଭ୍ୟତା, ଇତିହାସ ଏବଂ ସଂଗ୍ରାମୀମାନଙ୍କ ଭୂମିକା ଅନନ୍ୟ ଓ ଅସାଧାରଣ । ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସମ୍ବଲପୁର ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରିଥିଲା । ସେ ଜନ୍ମ ଗ୍ରହଣ କରିଥିଲେ ଖିଣ୍ଡାରେ, ମାତ୍ର ତାଙ୍କ କର୍ମଭୂମି ଥିଲା ବାରପାହାଡ । ଏହି ଅଞ୍ଚଳର ସଂଗ୍ରାମୀମାନେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିଲେ । କୁଦୋପାଲିର ତ୍ୟାଗ, ଇତିହାସ ଓ ସମର୍ପଣ ଭାବନା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କମ ନୁହେଁ ।"
ଏହାମଧ୍ୟ ପଢନ୍ତୁ... ‘BJP ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ : ଧର୍ମେନ୍ଦ୍ର ପ୍ରଧାନ |
ସମ୍ବଲପୁରରେ ସ୍ଥାପିତ ହୀରାକୁଦ ବନ୍ଧର ଭୂମିକା ଓଡ଼ିଶାର ଏକ ପରିଚୟ । ଏହି ଡ୍ୟାମ ରାଜ୍ୟର ବନ୍ୟା ନିୟନ୍ତ୍ରଣ କରିବାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଇତିହାସର ମୁକସାକ୍ଷୀ ଭାବେ ଦେବ୍ରୀଗଡ଼ ଅଭୟାରଣ୍ୟ ପର୍ଯ୍ୟଟନର ଅପାର ସମ୍ଭବନା ରଖୁଛି । ସମ୍ବଲପୁରରେ ଧାନ ଉତ୍ପାଦନ ଯୋଗୁଁ ରାଜ୍ୟର ଚାଷ ଅର୍ଥନୀତି ସୁଦୃଢ ହୋଇଛି । ଦେଶକୁ ସ୍ୱାଧୀନତା ଦେବା ହେଉ କିମ୍ବା ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବା ତଥା ରାଜ୍ୟ ଅର୍ଥନୀତିକୁ ମଜଭୂତ୍ କରିବା ହେଉ, ସମ୍ବଲପୁର ସବୁବେଳେ ନିଜର ଦାୟିତ୍ୱ ପ୍ରତିପାଦିତ କରିଆସିଛି । ବିକଶିତ ଭାରତ ଗଠନରେ ସମ୍ବଲପୁର ଆମ ସମସ୍ତଙ୍କ ସହଯୋଗରେ ଏକ ପ୍ରୟୋଗଶାଳା ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ଆରଡ଼ିସି ସଚିନ ରାମଚନ୍ଦ୍ର ଯାଦବ, ଡିଆଇଜି ହିମାଂଶୁ ଲାଲ ପ୍ରମୁଖ ଉପସ୍ଥିତ ରହିଥିଲେ l
ଇଟିଭି ଭାରତ, ସମ୍ବଲପୁର