ଭୁବନେଶ୍ବର: କ୍ରୁଟର ଚିନ୍ତା ବଢାଇ ଦେଲାଣି ମୋ ବସ୍ । କେତେବେଳେ ମୋ ବସ୍ ଦୁର୍ଘଟଣା ନେଇ ଉତେଜନା । ଆଉ କେଉଁଠି ମୋ ବସ୍ ଦୁର୍ଘଟଣା ପାଇଁ ଛାତ୍ରୀ ମୃତ୍ୟୁ । କେଉଁଠି ବୃଦ୍ଧଙ୍କ ଉପରେ ଚଢିଗଲାଣି ମୋ ବସ୍ ତ କେଉଁଠି ମୋ ବସରେ ନିଆଁ ଲଗାଇ ଦେଲେଣି ଲୋକେ । ମୋ ବସ୍ ଦୁର୍ଘଟଣାକୁ ଦିନକୁ ଦିନ ବାରମ୍ବାର ଅଭିଯୋଗ ପରେ ଏବେ ଦୁର୍ଘଟଣା ହ୍ରାସ ପାଇଁ ଟେକ୍ନୋଲୋଜିର ସାହାରା ନେବାକୁ ଯାଉଛନ୍ତି ମୋ ବସ୍ କର୍ତ୍ତୃପକ୍ଷ । ଏଥିପାଇ ସବୁ ବସରେ ଲଗାଇବାକୁ ଯାଉଛନ୍ତି ADAS ଚିପ ଯାହା କମାଇପାରେ ୬୦ ପ୍ରତିଶତ ଦୁର୍ଘଟଣା ।
ମୋ’ ବସ୍ରେ ଚିପ୍ ଲଗାଇବାକୁ ଯୋଜନା:
ମଙ୍ଗଳବାର ପଟିଆ ରଘୁନାଥପୁର ଛକ ନନ୍ଦନକାନ ଥାନା ସାମ୍ନାରେ ଜଣେ ୧୨ବର୍ଷର ଛାତ୍ରୀ ଉପରକୁ ମୋ ବସ୍ ମାଡ଼ିଯିବା ଘଟଣା ପରେ ମୋ ବସ୍ ବିରୋଧରେ ବଢୁଥିବା ଜନ୍ ଆକ୍ରୋଶ ଓ ଲୋକଙ୍କ କ୍ଷୋଭକୁ ଦୃଷ୍ଟିରେ ରଖି ଏବେ ଏଭଳି କିଛି ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ମୋ ବସ୍ କର୍ତ୍ତୃପକ୍ଷ । ଏନେଇ ସମସ୍ତ ମୋ ବସରେ ଦୁର୍ଘଟଣା ରୋକିବା ପାଇଁ ଏକ ଚିପର ବ୍ୟବହାର କରିବା ପାଇଁ ଯୋଜନା ଚାଲିଛି । ଯେଉଁଠି ଦୁର୍ଘଟଣା ଭଳି ପରିସ୍ଥିତି ଉପୁଜିଲେ ତାହା ପ୍ରତିହତ ହୋଇଯିବ । ଅର୍ଥାତ୍ ସହରରେ ଘଟୁଥିବା ଛୋଟ ବଡ ଦୁର୍ଘଟଣାକୁ ଏଡାଯାଇପାରିବ । ଏଥିପାଇ ସମସ୍ତ ମୋ ବସରେ ଏକ ଚିପ ଲଗାଇବାକୁ ଯୋଜନା ହୋଇଛି ।
ଦୁର୍ଘଟଣା ରୋକିବ ADAS ଚିପ !
ଏନେଇ କ୍ରୁଟ ତଥା ମୋ ବସର ଅଧିକାରୀ ସଞ୍ଜୟ କୁମାର କହିଛନ୍ତି, ‘ଏଭଳି ଦୁର୍ଘଟଣା ଜନିତ ସମସ୍ୟା ପାଇଁ ଆମେ ଏକ ADAS ଚିପ ଆମେ ଲଗାଇବାକୁ ଯାଉଛୁ । ଯାହା ଦ୍ବାରା କି ଦୁର୍ଘଟଣା ୬୦ରୁ ୭୦ପ୍ରତିଶତ କମାଇଦେବ । ଏହି ସୁବିଧା ଦ୍ବାରା ଗାଡ଼ିର ଆଗ ପଛ ଚାରି ପାର୍ଶ୍ବରେ ୩୬୦ ଡିଗ୍ରୀରେ କ୍ୟାମେରାରେ ସବୁ କିଛି ଦେଖି ହେବ ବା ଜଣାପଡ଼ିବ । ଦୁର୍ଘଟଣା ସମୟରେ ସ୍ୱୟଂଚାଳିତ ଭାବେ ବ୍ରେକ ହୋଇ ଗାଡିଟି ଅଟକିଯିବ । ଡ୍ରାଇଭର ସାମ୍ନାରେ ଏକ ସ୍କ୍ରିନରେ ଜଣାପଡ଼ିବ ଆଗରେ ପଛରେ କଣ ହେଉଛି । ଏପରିକି ଦୁଇ ଗାଡି ମଧ୍ୟରେ ଦୂରତା ଓ କୌଣସି ଦୁର୍ଘଟଣା ଜନିତ ସମସ୍ୟା ଥିଲେ ତାହା ସ୍ୱୟଂଚାଳିତ ଭାବେ ଗାଡ଼ିଟି ଦୁର୍ଘଟଣାରୁ ବର୍ତ୍ତି ପାରିବ । ଫଳରେ ଦୁର୍ଘଟଣା ଘଟାଇବାରୁ ବର୍ତ୍ତି ପାରିବ ।’
ADAS ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ:
ରାଜ୍ୟରେ ଚିନ୍ତା ଜନକ ସ୍ଥିତିରେ ସଡକ ଦୁର୍ଘଟଣା । ଦିନକୁ ଓଡ଼ିଶାରେ ପ୍ରାୟ ୧୫ ଜଣ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ସାରା ଦେଶରେ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ନୀତିଦିନ ଜୀବନ ଯାଉଛି । ତେଣୁ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଆସୁଛି । ଯାହାର କ୍ରମରେ ଆର୍ଟିଫିସିଆଲ ଟେକ୍ନୋଲୋଜିରେ ଏବେ ଏକ ପଦକ୍ଷେପ ଆପଣାଇବା ପାଇଁ ଯୋଜନା କରୁଛି ଓଡ଼ିଶା । ଏନେଇ ପରିବହନ ବିଭାଗ ପକ୍ଷରୁ ଓଡ଼ିଶାରେ ADAS (Advance driver assistance system) ଚିପ ଲଗାଇବା ପାଇଁ ଯୋଜନା ଚାଲିଛି । ଏନେଇ ସଡକ ସୁରକ୍ଷା ମାସ ପାଳନ ସମୟରେ କହିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ 10 ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ 47 ହଜାରରୁ ଅଧିକ ଜୀବନ ଯାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ । ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ।
![MO BUS ACCIDENT](https://etvbharatimages.akamaized.net/etvbharat/prod-images/05-02-2025/od-bbs-03-mobus-accident-flp-avb-7203832_05022025202249_0502f_1738767169_209.jpg)
କଣ ଏହି ସିଷ୍ଟମ ?
ଏହା ଏପରି ଏକ ଜରିଆ ଯାହା ଦ୍ବାରା ଦୁର୍ଘଟଣା ଉପରେ ରୋକ ଲାଗିପାରିବ । ଯେଉଁ ଟେକ୍ନୋଲୋଜି ଲାଗୁ ହେଲେ ସ୍ୱୟଂଚାଳିତ ଭାବେ ଗାଡ଼ିଟି ଟ୍ରାଫିକ ସିଗ୍ନାଲକୁ ଜାଣି ପାରିବ । ଏନେଇ ଗାଡିଟି ଯେଉଁ ଲେନରୁ ଅନ୍ୟ କେଉଁ ଲେନରେ ଗତି କରିବ । ଗାଡ଼ିଟିର ସ୍ପିଡ ଲିମିଟ କେତେ ରହିବ । କେଉଁ ଅଞ୍ଚଳରେ ଗାଡ଼ିର ବେଗ କେତେ ରହିବ । ଗାଡ଼ିର ସାମ୍ନାରେ ଥିବା ସାଇନ ଏଜ ବା ଫଳକକୁ ମଧ୍ୟ ଜାଣିପାରି ସେନେଇ ଗାଡି ଗତିବିଧି ଆଦି ଉପରେ ରୋକ ଲଗାଇପାରିବ ।
ଏମିତି କରିବ କାମ:
ଆଣ୍ଟି ବ୍ରେକ ସିଷ୍ଟମ୍ ମଧ୍ୟ ଲାଗୁ ହୋଇପାରିବ । ଏପରିକି ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ ସହ ଏପରି ଦୁର୍ଘଟଣା ଜନିତ ସମସ୍ୟାରୁ କିପରି ଗାଡ଼ିଟି ବର୍ତ୍ତିପାରିବ ଓ ଅନ୍ୟ ଗାଡି ଠାରୁ ଦୂରତା ବଜାୟ ରହି ଦୁର୍ଘଟଣାରୁ ଅନ୍ୟକୁ ବର୍ତ୍ତିପାରିବ । ଏହି ADAS ଦ୍ବାରା ସମ୍ଭବ ହୋଇପାରିବ । ଏପରିକି ଏହି ସିଷ୍ଟମ ଅନେକ ହାଇ ପ୍ରୋଫାଇଲ୍ ଗାଡିରେ ମଧ୍ୟ ଲାଗୁ ହେଲାଣି । ଗାଡ଼ିର ଅଟୋ ପାର୍କିଂ ବା ଟ୍ରାଫିକ ସିଗ୍ନାଲ ଉପରେ ଗାଡି ଷ୍ଟାର୍ଟ ବନ୍ଦ ଓ ଅନ ହେବା ଭଳି ଅନେକ ଜିନିଷ ଅପରେଟ ହୋଇପାରିବ ।
ଟେକ୍ନୋଲୋଜି ବ୍ୟବହାର ପାଇଁ ବିଚାର ଚାଲିଛି:
ଏନେଇ ପୂର୍ବରୁ ସଡକ ସୁରକ୍ଷା ସପ୍ତାହ ପାଳନ ସମୟରେ ପରିବହନ ବିଭାଗ ସଚିବ ଉଷା ପାଢୀ ମଧ୍ୟ କହିଥିଲେ କି, ବିଚାର ବିମର୍ଶ ଚାଲିଛି କିଭଳି ଟେକ୍ନୋଲୋଜି ଜରିଆରେ ଆଗକୁ ଦୁର୍ଘଟଣାକୁ ଏଡାଇ ହେବ । କାରଣ ଦୁର୍ଘଟଣାରେ ପ୍ରତିଦିନ ଏକ ଉଡାଜାହାଜ ଦୁର୍ଘଟଣା ଭଳି ଲୋକ ପ୍ରାଣ ହରାଉଛନ୍ତି । ତେଣୁ ଆମକୁ ୪E ଜରିଆରେ କାମ କରିବାକୁ ପଡିବ । ଏନେଇ ଏବର୍ଷ “Come Home Safe” ଥିମ୍ ରହିଛି । ଆଗକୁ ବହୁତ ସଚେତନତା ସହ ଟେକ୍ନୋଲୋଜିର ଅଧିକ ବ୍ୟବହାର ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ।
ମୋ ବସ୍ ଦୁର୍ଘଟଣା:
ଆସନ୍ତୁ ନଜର ପକାଇବ କେତୋଟି ପ୍ରମୁଖ ମୋ ବସ୍ ଦୁର୍ଘଟଣା ଉପରେ...
- ୨ ନଭେମ୍ବର ୨୦୨୪ ଇନଫୋସିଟି ଥାନା ମାଗ୍ନେଟ ଛକରେ ଜଣେ ପଥଚାରୀକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଫଳରେ ଉତ୍ତେଜନା ଦେଖାଦେଇଥିଲା ।
- ୨୦ ଜାନୁଆରୀ ୨୦୨୪ ତାରିଖରେ ମଧ୍ୟ ଖଣ୍ଡଗିରିରେ ମଧ୍ୟ ଏକ ମୋ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା।
- ୨୪ ଡିସେମ୍ବର ୨୦୨୨ରେ ଖଣ୍ଡଗିରି ଥାନା ଜାଗମରା ଛକ ପାଖରେ । ସବୁଦିନ ପରି ରଙ୍ଗମାଟିଆରୁ ଡୁମୁଡୁମା ଯାଉଥିବା ୨୫ନମ୍ବର ରୁଟର ବସଟି ଜଣେ ଛାତ୍ରୀ ଉପରେ ଚଢାଇଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।
ତେବେ ହାଇକୋର୍ଟରେ ମୋ ବସ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୨୨ରେ ୧୯୭ ଜଣ, ୨୦୨୩ରେ ୨୮୨ ଜଣ ଏବଂ ୨୦୨୪ରେ ଡିସେମ୍ବର ସୁଧା ୨୦୦ ଜଣ ଆହତ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ମୋ ବସ ସିଇଓ ।ତେବେ 475ଟି ମୋ ବସ 97ଟି ରୁଟରେ ବିଭିନ୍ନ ସ୍ଥାନରେ ଚଳାଚଳ କରୁଛି । ସେଥି ମଧ୍ୟରୁ 95ଟି କେବଳ ଇବସ ବା ପ୍ରଦ୍ୟୁଷଣ ମୁକ୍ତ ବିଦ୍ୟୁତ ପରିଚାଳିତ ।
୪୦ ସ୍ପିଡରୁ କମ ବେଗରେ ଚଳାଇବାକୁ ନିର୍ଦ୍ଦେଶ:
ତେବେ ବାରମ୍ବାର ମୋ ବସ୍ ଦୁର୍ଘଟଣା ପରେ ଏନେଇ ମୋ ବସ୍ ତରଫରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା । ଯେଉଁଥିରେ ୪୦ରୁ କମ ବେଗରେ ଗାଡି ପଡୁଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ହେଲେ ହାଇକୋର୍ଟ ଦୁର୍ଘଟଣା ପରିସ୍ଥିତି ଦେଖି ଏହି ରୁମ ଛାଡି ଗ୍ରାଉଣ୍ଡ ସ୍ଥିତି ଦେଖିବା ପାଇଁ କହିଥିଲେ । ଏନେଇ ଦିନକୁ ଦୁଇଥର ଡ଼୍ରାଇଭରଙ୍କ ବ୍ରେଥ ଆନାଲାଇଜ ଟେଷ୍ଟ ସହ ସହର ଭିତରେ କମ ସାଇଜର ବସ ଚଳାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।
ରାଜ୍ୟରେ ଦୁର୍ଘଟଣା ହାର:
ତେବେ ଦୁର୍ଘଟଣା ହାର କହୁଛି ଗତ ବର୍ଷ ୧୦୦୫୦ଟି ଦୁର୍ଘଟଣା ଘଟିଛି ଯେଉଁଠି ୪୯୮୨ଜଣ ମୃତ୍ୟୁବରଣ କରିଛନ୍ତି, ୮୮୪୮ଟି ଆହତ ହୋଇଛନ୍ତି । ସବୁଠାରୁ ଦୁର୍ଘଟଣା ପ୍ରବଣ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଓ ଗଞ୍ଜାମ, କଟକ ଖୋର୍ଦ୍ଧା ଓ ସମ୍ବଲପୁର । ୬୭ ପ୍ରତିଶତ ଦୁର୍ଘଟଣା କେବଳ ଦ୍ରୁତଗତି ଯୋଗୁଁ ଘଟୁଛି ଅର୍ଥାତ୍ ନିର୍ଧାରିତ ବେଗ ଠାରୁ ଅଧିକ ବେଗରେ ଗତି ଯୋଗୁଁ ଦୁର୍ଘଟଣା ଘଟୁଛି । 50 ପ୍ରତିଶତ ଦୁଇ ଚକିଆ ଦୁର୍ଘଟଣା ବିନା ହେଲମେଟ ଯୋଗୁଁ ଘଟୁଛି । ଯାହାକି ଅତ୍ୟନ୍ତ ଉଦବେଗଜନକ ରହିଛି ।
ଦୁର୍ଘଟଣା ପ୍ରବଣ ଜିଲ୍ଲା:
- ମୟୂରଭଞ୍ଜ
- କେନ୍ଦୁଝର
- ସୁନ୍ଦରଗଡ
- ଗଞ୍ଜାମ
- କଟକ
- ଖୋର୍ଦ୍ଧା
- ସମ୍ବଲପୁର
ଇଟିଭି ଭାରତ, ଭୁବନେଶ୍ବର