ଡେରାଡୁନ: ୩୮ତମ ଜାତୀୟ କ୍ରୀଡାରେ ଓଡ଼ିଶାକୁ ସଫଳତା । ଜାତୀୟ କ୍ରୀଡାରେ ନବମ ଦିନରେ ସାଇକେଲ ଚାଳନାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ହାସଲ କରିଛି ଓଡ଼ିଶା । ଏବେସୁଦ୍ଧା ଓଡ଼ିଶା ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ୨୦ଟି ପଦକ ହାସଲ କରି ୧୪ତମ ସ୍ଥାନରେ ରହିଛି ।
୩୮ତମ ଜାତୀୟ କ୍ରୀଡାର ନବମ ଦିନରେ ରୁଦ୍ରପୁର ମନୋଜ ସରକାର ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ବର୍ଗର ୪୦୦୦ମିଟର ସାଇକେଲ ଚାଳନାରେ ଓଡ଼ିଶାକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଓଡ଼ିଶା ଟିମ୍ ୫.୩୦ ସେକେଣ୍ଡରେ ରେସ ଶେଷ କରିଥିଲେ । ତେବେ ଅଷ୍ଟମ ଦିନରେ ସାଇକେଲ ଚାଳନାରେ ସ୍ୱାତୀ ସିଂହ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟପଟେ ଓଡ଼ିଶା ମହିଳା ସନ୍ତରଣ ଦଳ ଦ୍ୱିତୀୟ ରନର୍ସ ଅପ ହୋଇଛି ।
ସାଇକେଲ ଚାଳନାରେ ସ୍ୱାତୀଙ୍କୁ ସ୍ୱର୍ଣ୍ଣ ପଦକ:
ସାଇକେଲ ଚାଳନାରେ ମହିଳା ବର୍ଗରେ ଇଣ୍ଡିଭିଜୁଆଲ ପରସ୍ୟୁଟ ଡିଫେନ୍ସ ୩ କିଲୋମିଟରରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ଏଥିରେ ଓଡ଼ିଆ ଖେଳାଳି ସ୍ୱାତୀ ସିଂହ ନିଜ ପୁରୁଣା ରେକର୍ଡ ୪ମିନିଟ ୧୩ ସେକେଣ୍ଡକୁ ପଛରେ ପକାଇ ଆଉ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ୪ ମିନିଟ ୩ସେକେଣ୍ଡର ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।
ଉତ୍ତରାଖଣ୍ଡର ରୁଦ୍ରପୁର ମନୋଜ ସରକାର ଷ୍ଟାଡିୟମରେ ଅନୁଷ୍ଠିତ ଏହି କ୍ରୀଡାରେ ୧୦ ଜଣ ପ୍ରତିଯୋଗିତା ଭାଗ ନେଇଥିଲେ । ଏଥିରେ ସ୍ୱାତୀ ସିଂହ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଏହି କ୍ରୀଡାରେ ମହାରାଷ୍ଟ୍ରର ପୂଜା ବାବନ ଦାନୋଲ ରୌପ୍ୟ ଓ ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରିଥିବା ରେଜିଆ ଦେବୀ ବ୍ରୌଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।
ରୌପ୍ୟ ନିଶ୍ଚିତ କଲା ମହିଳା ଫୁଟବଲ ଟିମ୍:
ସେପଟେ ଓଡ଼ିଶା ମହିଳା ଫୁଟବଲ ଟିମ୍ ଦିଲ୍ଲୀକୁ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଏଥିସହ ରୌପ୍ୟ ପଦକ ମଧ୍ୟ ସୁନିଶ୍ଚିତ କିଛି । ଫେବୃଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ହରିୟାଣା ସହ ମୁହାଁମୁହିଁ ହେବ ଟିମ୍ ଓଡ଼ିଶା । ଯଦି ଏହି ମ୍ୟାଚରେ ବିଜୟ ହୁଏ ତେବେ ସ୍ୱର୍ଣ୍ଣ ପଦକ ନଚେତ ରୌପ୍ୟ ପଦକ ଆସିବା ଏକ ପ୍ରକାର ସୁନିଶ୍ଚିତ ।
ଏହାମଧ୍ୟ ପଢନ୍ତୁ... ନେସନାଲ ଗେମ୍ସ 2025: ଦିଲ୍ଲୀକୁ ହରାଇ ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍ Exclusive: ହାଇସ୍କୋରିଂ ମ୍ୟାଚ ନା ବୋଲର କରିବେ କମାଲ ? କାହିଁକି ଚେସବୋର୍ଡ ଡିଜାଇନ୍ |
ଏବେସୁଦ୍ଧା ଓଡ଼ିଶା ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ୨୦ଟି ପଦକ ହାସଲ କରି ୧୪ ସ୍ଥାନରେ ରହିଛି । ଭାର ଉତ୍ତୋଳନ, ୟୁସୁ, ସାଇକେଲିଂ, ରଗବୀ, ଜଳକ୍ରୀଡାରେ ଓଡ଼ିଶାକୁ ୧ଟି ଲେଖାଏଁ ସ୍ୱର୍ଣ୍ଣ ମିଳିଥିବା ବେଳେ ଖୋ ଖୋ, ନୌକା ଚାଳନାରେ ୨ଟି ଲେଖାଏଁ, ୟୁସୁ, ସାଇକେଲିଂରେ ଗୋଟିଏ ଲେଖାଏଁ ରୌପ୍ୟ ଏବଂ ଜଳକ୍ରୀଡାରେ ୪ଟି, ସାଇକେଲିଂରେ ୨ଟି ଓ ଭାର ଉତ୍ତୋଳନ, ୟୁସୁ, ରଗବୀରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ