ହାଇଦ୍ରାବାଦ: ଗୁଗଲ୍ ଆନୁଷ୍ଠାନିକ ଭାବେ ଡେଭଲପର ଓ ଟେଷ୍ଟରଙ୍କ ଲାଗି ଲାଟେଷ୍ଟ ସ୍ମାର୍ଟଫୋନ ଅପରେଟିଂ ସିଷ୍ଟମର ଟେଷ୍ଟିଂ ଭର୍ସନ ଆଣ୍ଡ୍ରଏଡ 16 ବିଟା 2କୁ ଜାରି କରିଛି । ଏହା ଆଣ୍ଡ୍ରଏଡରେ ଚାଲୁଥିବା ହ୍ୟାଣ୍ଡସେଟର କ୍ୟାମେରା କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ ହୋଇଥିବା ଫିଚର ସହିତ ଆସିଛି । ଏହାର ଷ୍ଟେବଲ ଭର୍ସନକୁ କମ୍ପାନୀ ବର୍ଷ 2025 ଦ୍ବିତୀୟ ତ୍ରୟମାସରେ ରିଲିଜ୍ କରିବାକୁ ଯୋଜନା କରୁଛି । ତେବେ ଏହି ନୂଆ ସ୍ମାର୍ଟଫୋନ ଅପରେଟିଂ ସିଷ୍ଟମ କେଉଁ କେଉଁ ମୋବାଇଲରେ ଉପଲବ୍ଧ ହେବ ଓ ଏଥିରେ କଣ ସବୁ ନୂଆ ସୁବିଧା ମିଳିବ ଜାଣିବା ।
ଆଣ୍ଡ୍ରଏଡ 16 ବିଟା 2 ଅପଡେଟ: ନୂଆ ଫିଚର
ଏହି ନୂଆ ଅପଡେଟ ସହିତ ଗୁଗଲ୍ ଆପଣଙ୍କୁ ଫଟୋଗ୍ରାଫି ଅନୁଭବକୁ ବୃଦ୍ଧି କରିବା ଲାଗି ଅନେକ ନୂଆ ଫିଚର ପ୍ରଦାନ କରିବାକୁ ଯାଉଛି । ଏହାବାଦ ପ୍ରାଇଭେସି ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଫିଚର ମଧ୍ୟ ଏଥିରେ ସାମିଲ । ନିମ୍ନରେ ଜାଣନ୍ତୁ:
- କଲର ଟେମ୍ପରଚର ଓ ଟିଣ୍ଟ ଉପରେ ସଠିକ କଣ୍ଟ୍ରୋଲ: ଆଣ୍ଡ୍ରଏଡ 16 ବିଟା 2 ଅପଡେଟରେ ଉନ୍ନତମାନର ପ୍ରଫେସନାଲ ଭିଡିଓ ରେକର୍ଡିଂ ଲାଗି କଲର ଟେମ୍ପରଚର ଓ ଟିଣ୍ଟ ଆଡଜଷ୍ଟମେଣ୍ଟର ଫାଇନ ଟ୍ୟୁନିଂ କରିବାକୁ ଅନୁମତି ଦେବ । ପୂର୍ବରୁ ୟୁଜର କେବଳ ଅଟୋ ହ୍ବାଇଟ ବାଲାନ୍ସ ମୋଡ୍ ମାଧ୍ୟମରେ ହ୍ବାଇଟ୍ ବାଲାନ୍ସ ସେଟିଂକୁ ଆଡଜଷ୍ଟ କରିପାରୁଥିଲେ ।
- ଲାଇଭ ଫଟୋ ଫିଚର: ଆପଲ୍ର iOSରେ ଲାଇଭ ଫଟୋ ଫିଚରର ଆଣ୍ଡ୍ରଏଡ ଲାଗି ନୂଆ ନାଁ 'ମୋଶନ ଫଟୋ କ୍ୟାପଚର' ସହିତ ଆଣ୍ଡ୍ରଏଡ ଫୋନକୁ ଆସିବ । ବିଟା 2 ଅପଡେଟରେ ଏହି ମୋଶନ ଫଟୋକୁ କ୍ୟାପଚର ଓ ଡିସପ୍ଲେ କରିବା ଲାଗି ଏକ ଷ୍ଟାଣ୍ଡାର୍ଡ ଇଣ୍ଟେଣ୍ଟ ଆକ୍ସନ ଅଣାଯାଇଛି।
- UltraHDR ଇମେଜ ଏନହାନ୍ସମେଣ୍ଟ: ଗୁଗଲ୍ HEIC ଫାଇଲ ଫର୍ମାଟ୍ରେ ଅଲଟ୍ରାଏଚଡିଆର ଇମେଜ ଲାଗି ସପୋର୍ଟ ଯୋଡ଼ିଛି । ଯାହାଦ୍ବାରା ପ୍ରଫେସନାଲ ପରି ଫଟୋ ଉଠାଯାଇପାରିବ ।
- ହାଇବ୍ରିଡ ଅଟୋ ଏକ୍ସପୋଜର ମୋଡ୍: ଏହା ଆପଣଙ୍କୁ ଏକ୍ସପୋଜରକୁ ମାନୁଆଲ୍ ଭାବେ ପରିବର୍ତ୍ତନ କରିବାକୁ ଅନୁମତି ଦେବ । ଆପଣଙ୍କ ନିକଟରେ ISO+AE ଓ ଏକ୍ସପୋଜର ଟାଇମ+ଅଟୋଏକ୍ସପୋଜର ଉପରେ ନିୟନ୍ତ୍ରଣ ରହିବ ।