ହାଇଦ୍ରାବାଦ:ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କ ରକେଟ୍ ନିର୍ମାତା କମ୍ପାନୀ ସ୍ପେଶଏକ୍ସ (SpaceX) ଦୁନିଆର ସବୁଠୁ ଶକ୍ତିଶାଳୀ ଲଞ୍ଚ ଭେହିକଲ ଷ୍ଟାରସିପ୍ ସୁପର ହେଭି ରକେଟ୍ର ସପ୍ତମ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି । ଏହାକୁ ଆସନ୍ତା ବର୍ଷ 2025 ଜାନୁଆରୀ 11 ତାରିଖରେ ଲଞ୍ଚ କରିବାକୁ ଯୋଜନା କରାଯାଉଛି । ଗତ ନଭେମ୍ବର 19 ତାରିଖରେ ସ୍ପେଶଏକ୍ସ ଏହି ଷ୍ଟାରସିପ୍ର ଷଷ୍ଠ ସଫଳ ପରୀକ୍ଷଣ କରିଥିଲା ସତ କିନ୍ତୁ ବୁଷ୍ଟର କ୍ୟାଚ୍ରେ ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା । ପଞ୍ଚମ ପରୀକ୍ଷଣ ସମୟରେ ବୁଷ୍ଟର କ୍ୟାଚ୍ କରି ସ୍ପେଶଏକ୍ସ ଇତିହାସ ରଚିଥିଲା ।
ପ୍ରଜ୍ଜ୍ବଳିତ ହେଲା ଷ୍ଟାରସିପ୍:-
ସ୍ପେଶଏକ୍ସର ଦକ୍ଷିଣ ଟେକ୍ସାସ ଷ୍ଟାରବେସଠାରେ ସୁପର ହେଭି ବୁଷ୍ଟରର ସମସ୍ତ 33 ରେପ୍ଟର ଇଞ୍ଜିନକୁ ପ୍ରଜ୍ଜ୍ବଳିତ କରାଯାଇଥିଲା । ଏହି ପରୀକ୍ଷଣ ପ୍ରାୟ 8 ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା ଓ ଏହି ବୁଷ୍ଟର 7000 ଟନ୍ ଥ୍ରଷ୍ଟ (ହଠାତ ଏକ ନିର୍ଦ୍ଦିଷ୍ଟ ଦିଗରେ ଚାପ ପ୍ରୟୋଗ କରିବା) ଉତ୍ପନ୍ନ କରିଥିଲା, ଯାହାକି ଆଗାମୀ ପରୀକ୍ଷଣ ଲାଗି ଏକ ମହତ୍ତ୍ବପୂର୍ଣ୍ଣ ମାଇଲଷ୍ଟୋନ ହୋଇପାରିଛି । ଏଥିରେ ଉଭୟ ଷ୍ଟାରସିପ ଓ ସୁପର ହେଭି ବୁଷ୍ଟରକୁ ପ୍ରଜ୍ଜ୍ବଳିତ କରାଯାଇଥିଲା ।
ସପ୍ତମ ଟେଷ୍ଟରେ କଣ ଲକ୍ଷ୍ୟ ?
ସ୍ପେଶଏକ୍ସ ଏହାର ପ୍ରତିଟି ପରୀକ୍ଷଣ ସହିତ ଷ୍ଟାରସିପର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ବିଶେଷ ଭାବରେ ଲଞ୍ଚ ପରେ ବୁଷ୍ଟରକୁ କିପରି ସଫଳତାର ସହ ପୁଣି ପୃଥିବୀପୃଷ୍ଠକୁ ଫେରାଇ ଅଣାଯାଇ କ୍ୟାଚ୍ କରାଯିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଷ୍ଟାରସିପର୍ 5ମ ଟେଷ୍ଟ ଫ୍ଲାଇଟ୍ରେ ଏହି ବୁଷ୍ଟର ଇତିହାସ ସୃଷ୍ଟି କରିଥିଲା । କାରଣ ଏହା ପ୍ରଥମ ଥିଲା, ଯେତେବେଳେ କୌଣସି ଏକ ରକେଟକୁ ମହାକାଶକୁ ପଠାଇ ପୃଥିବୀକୁ ସଫଳତାର ସହିତ ଫେରାଇ ଅଣାଯାଇଥିଲା । ସ୍ପେଶଏକ୍ସର ଏହି ବୁଷ୍ଟରର 'କଣ୍ଟ୍ରୋଲଡ୍ ଲ୍ୟାଣ୍ଡିଂ' କରିଥିଲା । ବୁଷ୍ଟର ପୃଥିବୀକୁ ଫେରି ଲଞ୍ଚ୍ ଟାୱାରରେ ନିର୍ମିତ 'ଚପ୍ଷ୍ଟିକ' ସାହାଯ୍ୟରେ କ୍ୟାଚ୍ କରାଯାଇଥିଲା ।
ଷ୍ଟାରସିପ ଓ ସୁପର ହେଭି କଣ ?
ଏଠାରେ ସ୍ପଷ୍ଟ କରୁଛୁ ଯେ ଷ୍ଟାରସିପ ହେଉଛି ଆମେରିକୀୟ ଏରୋସ୍ପେସ୍ କମ୍ପାନୀ ସ୍ପେଶଏକ୍ସ ଦ୍ବାରା ବିକଶିତ ଦୁଇ ପର୍ଯ୍ୟାୟ ସଂପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ସୁପର ହେଭି-ଲିଫ୍ଟ ଲଞ୍ଚ ଯାନ । ଷ୍ଟାରସିପ ଲଞ୍ଚ ସିଷ୍ଟମରେ ସୁପର ହେଭି ପ୍ରଥମ ପର୍ଯ୍ୟାୟ ହୋଇଥିବା ବେଳେ ଷ୍ଟାରସିପ ଦ୍ବିତୀୟ ପର୍ଯ୍ୟାୟ ହୋଇଥାଏ । ସୁପର ହେଭିକୁ ବୁଷ୍ଟର ମଧ୍ୟ କୁହାଯାଏ । ଷ୍ଟାରସିପରେ 6ଟି ରେପ୍ଟର ଲାଗିଥିବା ବେଳେ ଏହା ମହାକାଶଚାରୀ, ସାଟେଲାଇଟଗୁଡ଼ିକୁ ଧାରଣ କରିବାରେ ସକ୍ଷମ । ସୁପର ହେଭି ଓ ଷ୍ଟାରସିପକୁ ସମ୍ପୂର୍ଣ୍ଣ ପୁନଃବ୍ୟବହାର ରକେଟ କୁହାଯାଏ, କାରଣ ଏହାକୁ ଏକାଧିକ ଥର ଲଞ୍ଚ କରାଯାଇ ହେବ ।