ବ୍ରହ୍ମପୁର: ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ବ୍ରହ୍ମପୁରର ବିସିସି ବ୍ୟାଙ୍କ (କେନ୍ଦ୍ରୀୟ ସମବାୟ ବ୍ୟାଙ୍କ)ର ବିଜିପୁର ଶାଖାରେ ଏଭଳି ଘଟଣା ଘଟିଛି । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍ ବେଳେ ଏହା ସାମ୍ନାକୁ ଆସିଛି । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୂର୍ବତନ ଶାଖା ପରିଚାଳକ ଓ ସୁପରଭାଇଜରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ଏହି ଘଟଣାରେ ପୋଲିସ ଅଧିକ ଖୋଳତାଡ ଆରମ୍ଭ କରିଛି ।
ଏଭଳି ଥିଲା ସମ୍ପୂର୍ଣ୍ଣ ଘଟଣା:
ବ୍ରହ୍ମପୁର ସହରରେ ଥିବା ବିସିସି ବ୍ୟାଙ୍କ (କେନ୍ଦ୍ରୀୟ ସମବାୟ ବ୍ୟାଙ୍କ)ର ବିଜିପୁର ଶାଖାରେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ସମସ୍ତ କାରବାର ନେଇ ଅଡିଟ ଚାଲିଲା । ଏହି ସମୟରେ ବ୍ୟାଙ୍କ ବାଲାନ୍ସ ସିଟ୍ରେ ଫରକ ଦେଖିବାକୁ ମିଳିଥିଲା । ବିଶେଷ କରି ବିଜିପୁର ଶାଖାରେ ପ୍ରାଥମିକ ତଦନ୍ତରେ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା କମ ରହିଥିଲା । ଏହାର ତଦନ୍ତ କରିବା ପାଇଁ ବିସିସି ବ୍ୟାଙ୍କ ପରିଚାଳନା କମିଟି, ବରିଷ୍ଠ କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ ହୋଇଥିଲା । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ଅନେକ ଚାଷୀ ଋଣ, ମହିଳା ସ୍ୱୟଂ ସହାୟକା ଗ୍ରିପ ଋଣ, ଏଫ୍.ଡି ବିପକ୍ଷରେ ଲୋନ୍ ହୋଇଥିବା ନଜର ଆସିଥିଲା । ତେବେ ୧୦ରୁ ଅଧିକ ଲୋନର କୌଣସି ଆବଶ୍ୟକୀୟ କାଗଜପତ୍ର କିମ୍ବା ରସିଦ ନଥିବା ଦେଖିବାକୁ ମିଳିଥିଲା । ଏହି ବାବଦକୁ ମୋଟ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ଏହି ଘଟଣାରେ ଅଧିକ ଖୋଳତାଡ କରିବା ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବରେ ଅବଗତ କରାଯାଇଥିଲା । ଘଟଣାର ତଦନ୍ତ ପରେ ସେହି ସମୟରେ ବ୍ୟାଙ୍କରେ ଦାୟିତ୍ୱରେ ରହିଥିବା ଶାଖା ପରିଚାଳକ ଦେବାଶିଷ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀଙ୍କ ବ୍ୟାଙ୍କ ଆଇ.ଡି ବ୍ୟବହାର କରି ଏହିପରି ବ୍ୟାଙ୍କ ଅର୍ଥ ହେରଫେର ହୋଇଥିବା ଜଣାପଡିଛି ।
ଠକେଇ ଘଟଣାରେ କିଭଳି ସାମିଲ ହେଲେ ନିଜେ ମ୍ୟାନେଜର:
ବ୍ୟାଙ୍କରୁ ଏଭଳି ବଡ ଧରଣର ଠକେଇ କରି ନିଜେ ପ୍ରାୟ ୧ କୋଟି ୪୬ ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗରେ ବ୍ରହ୍ମପୁରର ଗୋଷାଣୀନୂଆଗାଁ ଥାନା ପୋଲିସ ଜଣେ ମ୍ୟାନେଜରଙ୍କ ସମେତ ଶାଖାର ସୁପର୍ଭାଇଜରଙ୍କୁ ଗିରଫ କରିଛି । ଏହି ଘଟଣାରେ କିଭଳି ମ୍ୟାନେଜର ଟଙ୍କା ଠକେଇ କରି ନେଇଥିଲେ ସେହି ବିଷୟରେ ଜଣାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପ୍ରତ୍ୟେକ ବର୍ଷ ଚାଷୀ ଋଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଋଣ ପ୍ରଦାନ କରିଥାଏ । ତେବେ ୨୦୨୩-୨୪ ବର୍ଷରେ ବ୍ୟାଙ୍କର ଶାଖା ପରିଚାଳକ ଦାୟିତ୍ୱରେ ରହିଥିବା ଦେବାଶିଷ ପଟ୍ଟନାୟକ ଫେକ୍ ଡକ୍ୟୁମେଣ୍ଟକୁ ବ୍ୟାଙ୍କରେ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଋଣ ନେବା ପାଇଁ ଯେଉଁ ସବୁ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଥାଏ ତାହାକୁ ସେ ଅଣଦେଖା କରି ଉକ୍ତ ବ୍ୟାଙ୍କର ଅନ୍ୟ କିଛି କର୍ମଚାରୀଙ୍କୁ ହାତବାରିସୀ କରିଥିଲେ । ନିଜର ବ୍ୟାଙ୍କ ଆଇ.ଡିକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଋଣ ନେଇଥିଲେ । ତେବେ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଦେବାଶିଷ ପଟ୍ଟନାୟକ ଋଣ ଦେବା ନାମରେ ଘୋଟଲା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ ବ୍ୟାଙ୍କର ସିଇଓ ଭରତ ଚନ୍ଦ୍ର ସାହୁ ।
ମ୍ୟାନେଜରଙ୍କ ବିରୁଦ୍ଧରେ ପ୍ରଥମେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପରେ ଏତଲା:
ଠକେଇ ହୋଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଠିତ ହୋଇଥିବା ତଦନ୍ତ କମିଟି ଜାଣିପାରିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଭଳି ଠକେଇ କରିଥିବା ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କୁ ବିଜିପୁର ଶାଖାରୁ ଛତ୍ରପୁର ଶାଖା କାର୍ଯ୍ୟାଳୟକୁ ବଦଳି କରାଯାଇ ପ୍ରଥମେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭାବରେ ଗତ ଡିସେମ୍ୱର ୩୧ ତାରିଖରେ ନିଳମ୍ୱିତ କରାଯାଇଥିବାବେଳେ ବ୍ୟାଙ୍କର ମୁଖ୍ୟାଳୟରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସେ ବ୍ୟାଙ୍କର ମୁଖ୍ୟାଳୟକୁ ଆସିନଥିବା ଯୋଗୁଁ ବାଧ୍ୟ ହୋଇ ଶେଷରେ ଗୋଷାଣୀନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା । ଶେଷରେ ଦେବାଶିଷ ପଟ୍ଟନାୟକ ଏବଂ ଶାଖାର ସୁପର୍ଭାଇଜର ତୃପ୍ତିରେଖା ମହାପାତ୍ର ଗିରଫ ହୋଇଥିଲେ ।
ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ:
ବ୍ୟାଙ୍କ ଠକେଇକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଷାଣିନୂଆଗାଁ ଥାନାରେ ଏତଲା ଦେଇଥିଲେ । ପରେ ଏହାକୁ ନେଇ ଏକ ମାମଲା ରୁଜୁ କରି ପୋଲିସ ପକ୍ଷରୁ ଗୋଷାଣିନୂଆଗାଁ ଥାନାରେ ମାମଲା ନଂ-୨୪ ରୁଜୁ କରାଯାଇ U/S- 61(2) / 318(4)/316(4)/ 316(5)/317(5) BNS ରୁଜୁ କରିଥିଲା । ବିନା ଭାଉଚରରେ ଉକ୍ତ ଲୋନ୍ ଟଙ୍କା ଉଠାଯାଇଥିବା ସହ ଏହି ସମସ୍ତ ଲୋନ୍ ଅର୍ଥକୁ ନିଜସ୍ୱ ଆକାଉଣ୍ଟ ଏବଂ ସଂପର୍କୀୟଙ୍କ ଆକାଉଣ୍ଟକୁ NEFT ଜରିଆରେ ବିନା ଭାଉଚରରେ ପଠାଯାଇଥିଲା । ଏହାସହ ବିଭିନ୍ନ ଜମାକାରୀଙ୍କ ଜମା ଏବଂ ଉଠାଣ ହୋଇଥିବା ପାଣ୍ଠି ମଧ୍ୟ ବିନା ଭାଉଚରରେ କରାଯାଇଥିବା ପୋଲିସ ତାର ତଦନ୍ତ ସମୟରେ ଜାଣିବାକୁ ପାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ବୃଦ୍ଧି ପାଇପାରେ ଠକେଇ ଅର୍ଥର ପରିମାଣ:
ବିସିସି ବ୍ୟାଙ୍କର ଠକେଇ କେବଳ ବ୍ରହ୍ମପୁରର ବିଜିପୁରୁ ଶାଖାରେ ହୋଇଛି ନାଁ ଏହା ଅନ୍ୟ କୌଣସି ଶାଖାରେ ହୋଇଛି ତାକୁ ନେଇ ତଦନ୍ତ ଚାଲିଛି । ବ୍ୟାଙ୍କ ପକ୍ଷରୁ କରାଯାଇଥିବା କମିଟିର ପ୍ରାଥମିକ ତଦନ୍ତରେ ଏଭଳି ମିତ୍ୟା କାଗଜପତ୍ର ଦେଇ ଟଙ୍କା ଠକେଇ ଜଣାପଡିଛି । ସରକାରଙ୍କୁ ଅଧିକ ତଦନ୍ତ ପାଇଁ ପତ୍ର ଲେଖାଯାଇଥିବାରୁ ତାହାର ତଦନ୍ତ ପରେ ଏହି ରାଶି ଆହୁରି ଅଧିକ ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି । ସେପଟେ ଗିରଫ ମ୍ୟାନେଜର ଜଣଙ୍କ କେବଳ ବିଜିପୁର ଶାଖାରେ ଏଭଳି ଠକେଇ କରିଥିଲେ ନାଁ ସେ ପୂର୍ବରୁ ଏବଂ ବର୍ତ୍ତମାନ କାର୍ଯ୍ୟ କରିଥିବା ଶାଖାରେ ଠକେଇ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...NIBରେ ଚାକିରି କରାଇବା ନାଁରେ ଠକେଇ, ପୋଲିସ ପଞ୍ଝାରେ ସାଇବର ଠକ ଏହା ମଧ୍ୟ ପଢ଼ନ୍ତୁ...ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ, ପୂର୍ବତନ ସେନାଧିକାରୀଙ୍କଠୁ ଲୁଟିନେଲେ 1 କୋଟି |
ଏନେଇ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସିଇଓ ଭରତ ସାହୁ କହିଛନ୍ତି, "ବ୍ରହ୍ମପୁର ବିଜିପୁର ଶାଖାରେ ୧ କୋଟି ୪୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ସମସ୍ତ କାରବାର ନେଇ ଅଡିଟ ଚାଲିଥିବାବେଳେ ଏହି ଘଟଣା ଜଣାପଡ଼ିଛି । ୨୦୨୩-୨୪ ବର୍ଷରେ ବିଭିନ୍ନ ପ୍ରକାର ଲୋନ କରାଯାଇଛି, ହେଲେ ଏହାର କିଛି ଡକ୍ୟୁମେଣ୍ଟ ନାହିଁ । ସେହି ସମୟରେ ବ୍ୟାଙ୍କ ମ୍ୟାନେଜର ଦେବାଶିଷ ପଟ୍ଟନାୟକ ନିଜ ୟୁଜର ଆଇଡି ବ୍ୟବହାର କରି ଟଙ୍କା ନେଇଛନ୍ତି । ଯାହାର କିଛି ଡକ୍ୟୁମେଣ୍ଟ ନାହିଁ । ଠକେଇ କରିଥିବା ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କ ସହ ଶାଖାର ସୁପର୍ଭାଇଜର ତୃପ୍ତିରେଖା ମହାପାତ୍ରଙ୍କୁ ଗିରଫ କରାଯାଇଛି ।"
ଇଟିଭି ଭାରତ, ବ୍ରହ୍ମପୁର