ନୂଆଦିଲ୍ଲୀ:ଭାରତୀୟ ଆର୍ଥିକ ଅପରାଧ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆମାଜନ ଓ ଫ୍ଲିପକାର୍ଟର ସେଲର ଅଫିସ ଉପରେ ରେଡ୍ କରୁଛି । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ପ୍ରମୁଖ ସହରରେ ଅବସ୍ଥିତ ଅଫିସରେ ଅଧିକାରୀମାନେ ପହଞ୍ଚି ତନାଘନା ଜାରି ରଖିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଦେଶର ବିଦେଶୀ ପୁଞ୍ଜି ବିନିଯୋଗ ନିୟମର ଉଲ୍ଲଙ୍ଘନ ଅଭିଯୋଗରେ ଏହି ରେଡ୍ ହେଉଛି ।
PMLAର ଉଲ୍ଲଙ୍ଘନ ଅଭିଯୋଗ:-
ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ଦୁଇଟି ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମରେ ସାମଗ୍ରୀ ବିକ୍ରୟ କରୁଥିବା ଅନେକ ବିକ୍ରେତାଙ୍କ କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରିଛି । ସେଲରମାନେ ବିଦେଶୀ ପୁଞ୍ଜି ବିନିଯୋଗ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । CCI ଏହି ବିକ୍ରେତାମାନଙ୍କୁ ଅନେକ ଥର ଚେତାବନୀ ଦେଇଥିଲା । କିନ୍ତୁ ବର୍ତ୍ତମାନ PMLA ଅର୍ଥାତ୍ ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ମାମଲାରେ ଇଡି ମାମଲାର ତଦନ୍ତ ଆରମ୍ଭ କରିଛି ।
ଇ-ବାଣିଜ୍ୟ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଦ୍ରବ୍ୟର ମୂଲ୍ୟ ପରୋକ୍ଷରେ କିପରି ପ୍ରଭାବିତ ହୁଏ ଇଡି ତାହା ଅନୁସନ୍ଧାନ କରିବ । ଏହାସହିତ ଏହି କମ୍ପାନୀଗୁଡିକ କିପରି ସେମାନଙ୍କ ପ୍ଲାଟଫର୍ମରେ କିଛି ବିକ୍ରେତାଙ୍କୁ ଅଗ୍ରାଧିକାର ଦିଅନ୍ତି ଏବଂ ଉତ୍ପାଦର ମୂଲ୍ୟ ହ୍ରାସ ହୁଏ ସେ ସମ୍ପର୍କରେ ମଧ୍ୟ ତଦନ୍ତ ହେବ ।
19ଟି ଠିକଣାରେ ରେଡ୍:-
CCI ପୂର୍ବରୁ ଏହି ଇ-କମର୍ସ କମ୍ପାନୀଗୁଡିକୁ ଅଗ୍ରାଧିକାର ଦେବା ସମ୍ପର୍କରେ ନୋଟିସ ଜାରି କରିଥିଲା । ରିପୋର୍ଟ ଅନୁଯାୟୀ ଦେଶର 19ଟି ସ୍ଥାନରେ ଇଡି ଚଢାଉ କରିଛି । ହେଲେ ଏହି ସ୍ଥାନଗୁଡିକର ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଉଭୟ ଇ-କମର୍ସ କମ୍ପାନୀ ଚଢାଉ ନେଇ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି ଦୁଇ ଇ-ବାଣିଜ୍ୟ ପ୍ଲାଟଫର୍ମ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଉଭୟ କମ୍ପାନୀ ଭାରତରେ ବଢୁଥିବା ଇ-ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ।
ସୂଚନା ଥାଉ କି, ଗତ କିଛି ବର୍ଷ ହେବ ଇଡି ଏହି ଦୁଇ କମ୍ପାନୀର ବ୍ୟବସାୟିକ ମଡ୍ୟୁଲଗୁଡିକୁ ଯାଞ୍ଚ କରୁଛି । ଏମାନେ କିଛି ନିର୍ଦ୍ଦିଷ୍ଟ ସେଲରଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ଭାରତୀୟ ନିୟମ ଅନୁଯାୟୀ ଇ-ବାଣିଜ୍ୟ ପ୍ଲାଟଫର୍ମଗୁଡିକ ଏକ ନିରପେକ୍ଷ ବଜାର ସ୍ଥାନ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ଉତ୍ପାଦ ତାଲିକା ଉପରେ ସିଧାସଳଖ ନିୟନ୍ତ୍ରଣ ରହିବା ଉଚିତ ନୁହେଁ । ଏହି ଦିଗରୁ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ନିୟମର ଉଲ୍ଲଂଘନ ନେଇ ଇଡି ଅନୁସନ୍ଧାନ କରୁଛି ।