ହାଇଦ୍ରାବାଦ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପ୍ରୋଭିଜନାଲ ଷ୍ଟାଫ୍ ଗୁଣାତ୍ମକ ଆବଶ୍ୟକତା (PSQR) ବୈଧତା ପରୀକ୍ଷଣର ଏକ ଅଂଶ ଭାବରେ ଗାଇଡେଡ୍ ପିନାକା ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷାକୁ ଶେଷ ସମାପ୍ତ କରିଛି । ଏହି ବିକାଶ ବିଷୟରେ ସୂଚନା ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ତିନୋଟି ପର୍ଯ୍ୟାୟରେ ବିଭିନ୍ନ ଫିଲ୍ଡ ଫାୟାରିଂ ରେଞ୍ଜରେ ଫ୍ଲାଇଟ୍ ପରୀକ୍ଷା କରାଯାଇଛି । ଏହି ପରୀକ୍ଷଣ ସମୟରେ PSQR ମାପଦଣ୍ଡଗୁଡ଼ିକ ଯେପରିକି ରେଞ୍ଜ, ସଠିକତା, ସ୍ଥିରତା ଏବଂ ସାଲଭୋ ମୋଡ୍ରେ ଏକାଧିକ ଟାର୍ଗେଟର ଯୋଗଦାନର ହାରକୁ ରକେଟର ବ୍ୟାପକ ପରୀକ୍ଷଣ ଦ୍ବାରା ମୂଲ୍ୟାଙ୍କନ କରାଯାଇଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପ୍ରତ୍ୟେକ ଉତ୍ପାଦନ ଏଜେନ୍ସିଗୁଡ଼ିକରୁ 12ଟି ରକେଟ୍ ଦୁଇଟି ଇନ୍-ସର୍ଭିସ୍ ପିନାକା ଲଞ୍ଚର୍ ଦ୍ବାରା ପରୀକ୍ଷଣ କରାଯାଇଥିଲା ।
ପରୀକ୍ଷା କାହିଁକି ସ୍ବତନ୍ତ୍ର ଥିଲା ?
ଏହି ପରୀକ୍ଷଣ ଗୁରୁତ୍ବପୂର୍ଣ୍ଣ କାରଣ ପିନାକା ଗାଇଡେଡ୍ ଅସ୍ତ୍ର ପ୍ରଣାଳୀକୁ ଭାରତୀୟ ସେନାରେ ସାମିଲ କରିବା ଲାଗି ଏହା ଶେଷ ପରୀକ୍ଷଣ ଥିଲା । ପରୀକ୍ଷା ସମୟରେ ରକେଟର ପରିସର, ସଠିକତା, ସ୍ଥିରତା ଏବଂ ଏକାସାଙ୍ଗରେ ଏକାଧିକ ଟାର୍ଗେଟ ଉପରେ ଆକ୍ରମଣ କରିବାର କ୍ଷମତା ପରୀକ୍ଷା କରାଯାଇଥିଲା । ପରୀକ୍ଷା ପାଇଁ ଦୁଇଟି ପିନାକା ଲଞ୍ଚର୍ ବ୍ୟବହାର କରାଯାଇଥିଲା । ଏହି ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ଗାଇଡେଡ୍ ପିନାକା ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଦ୍ବାରା ସଶସ୍ତ୍ର ବାହିନୀର ଅଗ୍ନି ଶକ୍ତି ବୃଦ୍ଧି ପାଇବ ।