ହାଇଦ୍ରାବାଦ: ନାସା ମହାକାଶଚାରୀ ତଥା ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଆଜି ପୁଣି ଥରେ ସ୍ପେଶୱାକ୍ କରିବାକୁ ଯାଉଛନ୍ତି । ଏହା ତାଙ୍କର ନବମ ସ୍ପେଶୱାକ୍ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେ 16 ଜାନୁଆରୀରେ ମହାକାଶରେ 8ମ ଥର ଲାଗି ଚାଲିଥିଲେ । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ର କମାଣ୍ଡର ସୁନୀତା ସହଯୋଗୀ ମହାକାଶଚାରୀ ତଥା ଫ୍ଲାଇଟ ଇଞ୍ଜିନିୟର ୱିଚ୍ ୱିଲମୋରଙ୍କ ସହିତ ଏହି ସ୍ପେଶୱାକ୍ କରିବେ । ସୁନୀତାଙ୍କ ଏହି ସ୍ପେଶୱାକ୍ ସହ ଆମେରିକା ସ୍ପେଶ ଏଜେନ୍ସି 92ତମ ସ୍ପେଶୱାକ୍ (U.S Spacewalk 92) ପୂରଣ କରିବାକୁ ଯାଉଛି ।
- କେମିତି ଦେଖିବେ ଲାଇଭ ?
ଆମେରିକୀୟ ସ୍ପେଶ ଏଜେନ୍ସି (NASA) ସୁନୀତାଙ୍କ ଏହି ଐତିହାସିକ ସ୍ପେଶୱାକ୍ର ଲାଇଭ ପ୍ରସାରଣ କରିବ, ଯାହାକୁ ଆପଣ ନିଜ ଫୋନ, ଲାପଟପ୍ ଓ ଟିଭିରେ ଦେଖିପାରିବେ । ସୁନୀତା ଓ ୱିଲମୋର ଭାରତୀୟ ସମୟାନୁସାରେ ଆଜି ସନ୍ଧ୍ୟା 6:30ରେ ନିଜ ସ୍ପେଶସୁଟ୍ସର ବ୍ୟାଟେରୀ ପାୱାରରେ ସ୍ବିଚ୍ କରିବେ, ଯାହାକି ସ୍ପେଶୱାକ୍ର ପ୍ରାରମ୍ଭ ବୋଲି କୁହାଯାଉଛି । ଏହାର ସିଧାପ୍ରସାରଣ ବିଶ୍ବବାସୀ NASA+ରେ କରାଯିବ । ଯାହାର ଆରମ୍ଭ ଆଜି ସନ୍ଧ୍ୟା 5ଟାରୁ ଆରମ୍ଭ ହେବ ।
Two @NASA_Astronauts are ready for a science and maintenance spacewalk planned for 8am ET on Thursday. The Exp 72 crew also worked on space agriculture and Earth observations on Wednesday. https://t.co/MjZbqwtV8W
— International Space Station (@Space_Station) January 29, 2025
- କାହିଁକି ସ୍ପେଶୱାକ୍ରେ ବାହାରିଛନ୍ତି ସୁନୀତା ?
ସୁନୀତା ଓ ତାଙ୍କ ସହଯୋଗୀ ୱିଲମୋର ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ଏକ ରେଡିଓ ଫ୍ରିକ୍ବେନ୍ସି ଗ୍ରୁପ ଆଣ୍ଟିନାକୁ ହଟାଇବେ । ଏହା ବ୍ୟତୀତ ସେମାନେ ଅର୍ବିଟାଲ ଆଉଟପୋଷ୍ଟରେ ମାଇକ୍ରୋବ୍ସଙ୍କୁ ମଧ୍ୟ ଖୋଜିବେ । ଏଥିଲାଗି ସେମାନଙ୍କୁ ISSରୁ ବାହାରକୁ ବାହାରିବାକୁ ପଡ଼ିବ । ଯଦି ସୁନୀତାଙ୍କ ପୂର୍ବ ସ୍ପେଶୱାକ୍ ସମ୍ପର୍କରେ କହିବା ତେବେ ସେ ଜାନୁଆରୀ 16, 2025ରେ ନିଜର 8ମ ସ୍ପେଶୱାକ୍ କରିଥିଲେ । ଏହି ସ୍ପେଶୱାକ୍ ସମୟରେ ସେ ISSର କିଛି ହାର୍ଡୱେର ବଦଳାଇବା ସହ ଏହାର କିଛି ଭାଗରେ ମରାମତି କରିଥିଲେ ।
- ବିରଳ ରେକର୍ଡର ନିକଟତର ସୁନୀତା
ସୁନୀତା ଆଜି ପର୍ଯ୍ୟନ୍ତ ନିଜ କ୍ୟାରିଅର ମଧ୍ୟରେ 8ଥର ସ୍ପେଶୱାକ୍ କରିସାରିଛନ୍ତି । ଏବେ ସେ 9ଥର ମହାକାଶରେ ଚାଲିବାକୁ ପ୍ରସ୍ତୁତ ହେଉଛନ୍ତି । ଯଦି ତାଙ୍କର ଏହି ସ୍ପେଶୱାକ୍ ସଫଳ ରହେ ତେବେ ସେ ଇତିହାସରେ ସର୍ବଶ୍ରେଷ୍ଠ ଅଭିଜ୍ଞତାସମ୍ପନ୍ନ ସ୍ପେଶୱାକର୍ ହେବେ । 8ମ ସ୍ପେଶୱାକ୍କୁ ପୂରଣ କରିବା ପରେ ସୁନୀତାଙ୍କ ମହାକାଶରେ ବୁଲିବାର ମୋଟ ଅନୁଭବ 56 ଘଣ୍ଟା 40 ମିନିଟ ହୋଇସାରିଛି । ଏହାର ଅର୍ଥ ସେ ଦୁନିଆର ଦ୍ବିତୀୟ ସର୍ବଶ୍ରେଷ୍ଠ ଅଭିଜ୍ଞତାସମ୍ପନ୍ନ ମହିଳା ସ୍ପେଶୱାକର୍ ହୋଇପାରିଛନ୍ତି । ୱିକିପିଡିଆର ତଥ୍ୟ ଅନୁସାରେ, ଦୁନିଆର ସର୍ବଶ୍ରେଷ୍ଠ ଅଭିଜ୍ଞତାସମ୍ପନ୍ନ ମହିଳା ସ୍ପେଶୱାକର୍ ଭାବେ ପେଗି ହ୍ବିଟସନ୍ (Peggy Whitson) ସୁନୀତାଙ୍କଠାରୁ ଆଗରେ ଅଛନ୍ତି । ପେଗି ନିଜ କ୍ୟାରିଅରରେ 10ଥର ସ୍ପେଶୱାକ୍ କରିଥିବା ବେଳେ ତାଙ୍କ ପାଖରେ ମହାକାଶରେ ବୁଲିବାର ମୋଟ ଅନୁଭବ 60 ଘଣ୍ଟା 21 ମିନିଟ ରହିଛି ।
This view from @Astro_Suni's helmet camera shows her turning bolts as she replaces the planar reflector, a visiting vehicles navigation device, over 260 miles above the South Pacific Ocean. pic.twitter.com/DiUJ3P8i98
— International Space Station (@Space_Station) January 16, 2025
- କେତେ ସମୟ ଚାଲିବେ ସୁନୀତା ?
ମହାକାଶଚାରୀ ସୁନୀତା ନିଜ ନବମ ସ୍ପେଶୱାକ୍ରେ ମହାକାଶରେ ପ୍ରାୟ 6.5 ଘଣ୍ଟା ପର୍ଯ୍ୟନ୍ତ ଚାଲିପାରନ୍ତି । ଏହାସହିତ ତାଙ୍କର ଏହି ସ୍ପେଶୱାକ୍ ସଫଳ ହେଲେ ତାଙ୍କ ନିକଟରେ ମହାକାଶ ବୁଲିବାର ଅଭିଜ୍ଞତା ସମୟ 62ରୁ 63 ଘଣ୍ଟା ହେବ । ଏହାସହିତ ସେ ପେଗି ହ୍ବିଟସନ୍ଙ୍କୁ ପଛରେ ପକାଇପାରନ୍ତି ।
- ମହାକାଶରେ କିଏ ଅଧିକ ସମୟ ବୁଲିଛି ?
ୟୁରୋପୀୟ ସ୍ପେଶ୍ ଏଜେନ୍ସିର ଏକ ରିପୋର୍ଟ ଅନୁସାରେ, ଋଷୀୟ ସ୍ପେଶ ଏଜେନ୍ସିର ମହାକାଶଚାରୀ ଅନାଟୋଲି ସୁଲୋଭିଏଲ୍ (Anatoly Solovyev) ନିଜ କ୍ୟାରିଅର ମଧ୍ୟରେ ମୋଟ 16ଥର ସ୍ପେଶ୍ୱାକ୍ କରିଥିବା ବେଳେ ମହାକାଶରେ ମୋଟ 77 ଘଣ୍ଟା 41 ମିନିଟ ପର୍ଯ୍ୟନ୍ତ ବୁଲିଛନ୍ତି । ତାଙ୍କ ପରେ ଏହି ତାଲିକାର ଦ୍ବିତୀୟରେ ଆମେରିକୀୟ ମହାକାଶଚାରୀ ମାଇକଲ୍ ଲୋପେଜ ଆଲଗ୍ରିଆଙ୍କ ନାଁ ରହିଛି, ଯିଏକି ନିଜ କ୍ୟାରିଅରରେ 10ଥର ସ୍ପେଶୱାକ୍ କରିଥିବା ବେଳେ ମୋଟ 67 ଘଣ୍ଟା 40 ମିନିଟ୍ ମହାକାଶରେ ବୁଲିଛନ୍ତି । ଏହି ତାଲିକାରେ ପେଗି ହ୍ବିଟସନ୍ଙ୍କ ନାଁ 6ଷ୍ଠ ସ୍ଥାନରେ ରହିଥିବା ବେଳେ ସୁନୀତା ୱିଲିୟମ୍ସଙ୍କ ନାଁ 11ନଂ ସ୍ଥାନରେ ରହିଛି । କିନ୍ତୁ ଆଜି ଯଦି ସୁନୀତା ଏହି ସ୍ପେଶୱାକ୍କୁ ପୂରଣ କରନ୍ତି ତେବେ ସେ ସିଧାସଳଖ 11ନମ୍ବରରୁ 4ନଂ ସ୍ଥାନରେ ପହଞ୍ଚିବେ ।