ହାଇଦ୍ରାବାଦ: ଆଇଫୋନ ଓ ଆଇପ୍ୟାଡ୍ ୟୁଜରଙ୍କ ଲାଗି ନୂଆ ଫିଚର ଆଣିଲା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ । ଏଣିକି ଆପଣ ମାତ୍ର ଗୋଟିଏ କ୍ଲିକ୍ରେ ନିଜ ଆଇଫୋନ ଓ ଆଇପ୍ୟାଡ୍ରେ କୌଣସି ସିଜିନର ସମସ୍ତ ଏପିସୋଡକୁ ଡାଉନଲୋଡ କରିପାରିବେ । 2011ରୁ ଏହି ସୁବିଧା କେବଳ ଆଣ୍ଡ୍ରଏଡ ୟୁଜରଙ୍କ ଲାଗି ଉପଲବ୍ଧ ଥିଲା । ପ୍ରାୟ 3ବର୍ଷ ପରେ ଏହାକୁ iOS ୟୁଜରଙ୍କ ଲାଗି ମଧ୍ୟ ଉପଲବ୍ଧ କରାଯାଇଛି ନେଟଫ୍ଲିକ୍ସ ।
ଗୋଟିଏ କ୍ଲିକ୍ରେ ପୂରା ସିଜିନ ଡାଉନଲୋଡ୍
ପୂର୍ବରୁ ଆଇଫୋନ ଓ ଆଇପ୍ୟାଡ୍ ୟୁଜରମାନେ କୌଣସି ସିଜିନର ଏପିସୋଡ଼ଗୁଡିକୁ ଅଫଲାଇନ ମୋଡରେ ଦେଖିବାକୁ ହେଲେ ଅଲଗା ଅଲଗା ଭାବେ ପ୍ରତି ଏପିସୋଡକୁ ଡାଉନଲୋଡ କରୁଥିଲେ । କିନ୍ତୁ ଏବେ ମାତ୍ର ଗୋଟିଏ କ୍ଲିକରେ ଏହା ହୋଇପାରିବ । ଯାହାଦ୍ବାରା ୟୁଜରଙ୍କୁ ଗୋଟିଏ ଏପିସୋଡ ଡାଉନଲୋଡ ହେବା ପର୍ଯ୍ୟନ୍ତ ଜଗି ରହିବାକୁ ପଡ଼ିବ ନାହିଁ । ଗୋଟିଏ କ୍ଲିକରେ ସମସ୍ତ ଏପିସୋଡ ଡାଉନଲୋଡ ହେଉଥିବାରୁ ୟୁଜରଙ୍କ ବହୁମୂଲ୍ୟ ସମୟ ମଧ୍ୟ ବଞ୍ଚିବ ।
ନେଟଫ୍ଲିକ୍ସ ୟୁଜରଙ୍କ ଫିଡବ୍ୟାକ୍କୁ ଗୁରୁତ୍ବର ସହ ନେଇ ଏହି ନୂଆ ଫିଚର ସମ୍ପର୍କରେ ଘୋଷଣା କରିଛି । ଏ ସମ୍ପର୍କରେ ନେଟଫ୍ଲିକ୍ସ ଏକ ବ୍ଲଗ୍ ପୋଷ୍ଟରେ ସୂଚନା ଦେଇଛି । ସେୟାର ବଟନ୍ ପାଖରେ ଥିବା ଡାଉନଲୋଡ ବଟନ୍କୁ ବ୍ୟବହାର ଦ୍ବାରା ଏହା ସମ୍ଭବ ହେବ ।
କେମିତି ଡାଉନଲୋଡ କରିବେ ?
ଆଇଫୋନ ଓ ଆଇପ୍ୟାଡ୍ ୟୁଜର କେମିତି ଡାଉନଲୋଡ କରିବେ ତାହା ସମ୍ପର୍କରେ ନିମ୍ନରେ ଆମେ ଷ୍ଟେପ-ବାଏ-ଷ୍ଟେପ ପ୍ରକ୍ରିୟା କହିଛୁ:
- Step 1: ନିଜ ଆଇଫୋନ ଓ ଆଇପ୍ୟାଡ୍ରେ ନେଟଫ୍ଲିକ୍ସ ଆପ୍ର ଲାଟେଷ୍ଟ ଭର୍ସନକୁ ପ୍ରଥମେ ଡାଉନଲୋଡ୍ କରନ୍ତୁ ।
- Step 2: ଏହାପରେ ନେଟଫ୍ଲିକ୍ସ ଆପ୍କୁ ଖୋଲନ୍ତୁ ଓ ଆପଣ ଡାଉନଲୋଡ କରିବାକୁ ଚାହୁଁଥିବା ଟିଭି ଶୋ'କୁ ସର୍ଚ୍ଚ କରନ୍ତୁ ।
- Step 3: ଏହାପରେ ଉକ୍ତ ଶୋ'ର ଯେଉଁ ସିଜିନକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତାହାକୁ ଚୟନ କରନ୍ତୁ ।
- Step 4: ସେୟାର ଓ ରେଟ୍ ଅପସନ ପରେ ଥିବା 'Download Season' ଉପରେ କ୍ଲିକ କରନ୍ତୁ ।
- Step 5: ନଚେତ ଉକ୍ତ ଶୋ'ର ସିଜିନ ଟ୍ରେଲରର Play ବଟନ୍ ତଳେ ଥିବା ଡାଉନଲୋଡ ବଟନ୍କୁ ମଧ୍ୟ ୟୁଜର କ୍ଲିକ୍ କରି ପୂରା ସିଜିନକୁ ଡାଉନଲୋଡ କରିପାରିବେ । ପୂର୍ବରୁ ଏହା କରିବା ଦ୍ବାରା ଉକ୍ତ ଏପିସୋଡ ଡାଉନଲୋଡ୍ ହେଉଥିଲା ।
କହି ରଖୁଛୁ କି, ନେଟଫ୍ଲିକ୍ସ କିଛି ରାଷ୍ଟ୍ର ଯେପରିକି ଆମେରିକା, କାନାଡା, ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲରେ ସବସ୍କ୍ରିପସନ ମୂଲ୍ୟ ବୃଦ୍ଧି କରିବା ପରେ ଏହି ଫିଚର ଆଣିଛି । କିନ୍ତୁ ଭାରତରେ ସବସ୍କ୍ରିପସନ ଦର ସମାନ ରହିଛି । ଭାରତରେ ମୋବାଇଲ ପ୍ଲାନ ପ୍ରତି ମାସ ପିଛା ଦର 149ଟଙ୍କାରୁ ଆରମ୍ଭ ହେଉଛି । ବେସିକ୍ ପ୍ଲାନ ଲାଗି ୟୁଜରଙ୍କୁ 199 ଟଙ୍କା ରିଚାର୍ଜ କରିବାକୁ ପଡ଼ିବ, ଯେଉଁଥିରେ ମୋବାଇଲ ସହ ଲାପଟପ୍ରେ କଣ୍ଟେଣ୍ଟ ଦେଖିହେବ । ଏହାପରେ ଷ୍ଟାଣ୍ଡାର୍ଡ ପ୍ଲାନର ଦାମ 499 ଟଙ୍କା ଥିବା ବେଳେ ପ୍ରିମିୟମ ପ୍ଲାନର ଦାମ ମାସ ପିଛା 649 ଟଙ୍କା ରହିଛି । ଏହି ପ୍ଲାନର ଦାମ ଭିଡିଓର ରିଜୋଲ୍ୟୁସନ ଓ ଅନ୍ୟାନ୍ୟ ସୁବିଧା ଉପରେ ନିର୍ଭର କରି ଭିନ୍ନ ଭିନ୍ନ ରହିଛି ।