ହାଇଦ୍ରାବାଦ: ଏବେ ଟେକ୍ ଦୁନିଆରେ ହଲଚଲ ସୃଷ୍ଟି କରିଥିବା ଚାଇନିଜ୍ ଏଆଇ ମଡେଲ DeepSeek ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଆମେରିକୀୟ କୃତ୍ରିମ ବୁଦ୍ଧିମତା (AI) ଗବେଷଣା ସଂସ୍ଥା OpenAI । ଡିପସିକ୍ ଗତ କିଛି ଦିନ ତଳେ ଲଞ୍ଚ କରିଥିବା ଓପନ-ସୋର୍ସ ଏଆଇ ମଡେଲ DeepSeek-R1କୁ ପ୍ରଶିକ୍ଷିତ କରିବା ଲାଗି ChatGPTର ମଡେଲକୁ ଚୋରି କରିଛି । ଏହି ଚାଇନିଜ ଏଆଇ ଚାଟବଟ୍ର ଖାସ କଥା ହେଉଛି ଚାଟଜିପିଟିର ସମସ୍ତ ପ୍ରିମିୟମ ସୁବିଧାକୁ ଏହା ମାଗଣାରେ ପ୍ରଦାନ କରୁଛି ।
DeepSeek R1 କଣ ?
ଡିପସିକ୍ ଏକ ଚାଇନିଜ କମ୍ପାନୀ ଯାହାକୁ 2023ରେ 40ବର୍ଷୀୟ ଇଲେକଟ୍ରିକ ଇଞ୍ଜିନିଅରିଂ ଗ୍ରାଜୁଏଟ ଲିଆଙ୍ଗ ୱେନଫେଙ୍ଗ ବିକଶିତ କରିଥିଲେ । 2023ରେ ହିଁ କମ୍ପାନୀ ଏହାର ପ୍ରଥମ ଏଆଇ ମଡେଲ ଆଣିଥିଲା । କିନ୍ତୁ ଏବେ କମ୍ପାନୀ ନୂଆ ଚାଟବଟ୍ DeepSeek-R1କୁ ଆଣି ଓପନଏଆଇର ଚାଟ୍ଜିପିଟିକୁ ଟକ୍କର ଦେଇଛି । ଏହାସହିତ ସମସ୍ତ ଚାଟବଟ୍କୁ ପଛରେ ପକାଇ ଆମେରିକାରେ ନମ୍ବର-1 ହୋଇଛି । ଯାହାଦ୍ବାରା ଆମେରିକୀୟ କମ୍ପାନୀଗୁଡ଼ିକ କ୍ଷତି ସହିଛନ୍ତି ।
ଏହି କାରଣ ଯୋଗୁଁ ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା DeepSeekକୁ ନେଇ ଏବେ OpenAI ସାଙ୍ଘାତିକ ଅଭିଯୋଗ ଆଣିଛି । ଚାଟଜିପିଟି ନିର୍ମାତାମାନେ ସନ୍ଦେହ କରିଛନ୍ତି ଯେ ନୂଆ ଚାଇନିଜ ଏଆଇ OpenAIର ତଥ୍ୟକୁ ସଂଗ୍ରହ କରି ଏହାର ଏଆଇ ମଡେଲ DeepSeek-R1କୁ ପ୍ରଶିକ୍ଷିତ କରିଛି । ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏଥିଲାଗି ଉଭୟ ଓପନଏଆଇ ଓ ମାଇକ୍ରୋସଫ୍ଟ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ, 2024 ଶେଷ ସୁଦ୍ଧା ମାଇକ୍ରୋସଫ୍ଟ ସୁରକ୍ଷା ସମ୍ବନ୍ଧୀୟ ଗବେଷଣା କରୁଥିବା କର୍ମଚାରୀ ଜାଣିବାକୁ ପାଇଥିଲେ ଯେ ସେମାନଙ୍କର ତଥ୍ୟ ବହୁ ମାତ୍ରାରେ ଚୋରି ହୋଇଛି । ଏବେ ସେହି ସମସ୍ତ ତଥ୍ୟ ଡିପସିକ୍ ଦ୍ବାରା କରାଯାଇଥାଇପାରେ ବୋଲି ସେମାନେ ସନ୍ଦେହ କରିଛନ୍ତି । ଓପନଏଆଇର କହିବା ମୁତାବକ ଡିପସିକ୍ 'ଡିଷ୍ଟିଲେସନ' ଦ୍ବାରା କରିଥାଇପାରେ । କହି ରଖୁଛୁ କି, ଡିଷ୍ଟିଲେସନ ଏପରି ଏକ ଟେକ୍ନୋଲୋଜି ଯାହାଦ୍ବାରା ଡେଭଲପରମାନେ କୌଣସି ଛୋଟ ଏଆଇ ମଡେଲକୁ ପ୍ରଶିକ୍ଷିତ କରିବା ଲାଗି ବଡ଼ ଏଆଇ ମଡେଲରୁ ତଥ୍ୟ ଚୋରି କରିଥାନ୍ତି । ଏହି ଟେକ୍ନୋଲୋଜି ସହାୟତାରେ ଏଆଇ କମ୍ପାନୀ ବିନା ଖର୍ଚ୍ଚରେ ନିଜ ଚାଟବଟ୍କୁ ତାଲିମ ଦେଇପାରେ, ଯାହାଦ୍ବାରା ସେ ୟୁଜରଙ୍କ ସମସ୍ତ ପ୍ରଶ୍ନର ଉତ୍ତର କିଛି ସେକେଣ୍ଡରେ ଦେଇପାରିଥାଏ ।
OpenAI ଡେଭଲପରମାନଙ୍କୁ ଏହାର ଏପିଆଇ (ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ)ର ବ୍ୟବହାର କରିବାକୁ ଅନୁମତି ଦେଇଛି, କିନ୍ତୁ ଏହାର ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରି ଆଉ ଏକ ପ୍ରତିଦ୍ବନ୍ଦ୍ବୀ ମୂଳକ ମଡେଲ କରିବାକୁ ଅନୁମତି ଦେଇନାହିଁ । ଏଣୁ ଓପନଏଆଇ ଏଥିଲାଗି ଆପତ୍ତି ଉଠାଇଛି । ତେବେ ଡିପସିକ୍ ବାସ୍ତବରେ ଏପରି କରିଛି କି ନାହିଁ ସେ ନେଇ OpenAI ଏଯାବତ କୌଣସି ପ୍ରମାଣ ଦେଇନାହିଁ ।