ହାଇଦ୍ରାବାଦ:ମହାକାଶରେ ଝୁଡ଼ଙ୍ଗ ମଞ୍ଜି (Cowpea Seed) ଗଜା ହୋଇ ପତ୍ର ବାହାରିଛି । ଏହାଦ୍ବାରା ସଫଳ ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର VSSC କ୍ରପ୍ ପରୀକ୍ଷଣ । ଗତ ଡିସେମ୍ବର 30 ତାରିଖରେ ଲଞ୍ଚ ହୋଇଥିବା SpaDex ମିଶନ ସହିତ ଇସ୍ରୋ POEM ମିଶନ ମଧ୍ୟ କାର୍ଯ୍ୟ କରୁଛି । ଏଥିରେ ଇସ୍ରୋ ବିଭିନ୍ନ ପ୍ରକାରର ବୈଜ୍ଞାନିକ ପରୀକ୍ଷଣ କରିଥିବା ବେଳେ ଏଥିରେ ଏହି କ୍ରପ୍ ପରୀକ୍ଷଣ ବି ସାମିଲ । କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ହୋଇଛି ତାହାର ଫଟୋ X ସାଇଟ୍ରେ ସେୟାର କରିଛି ଇସ୍ରୋ । ଭବିଷ୍ୟତରେ ମହାକାଶ କୃଷିରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏହି ଗବେଷଣା କରୁଛି ଇସ୍ରୋ ।
VSSC CROPS ପରୀକ୍ଷଣ ସଫଳ
ମହାକାଶରେ ଗଛ ଉଠିବା ପରେ ଇସ୍ରୋକୁ ସଫଳତା ମିଳିଛି । କାରଣ ମହାକାଶ ଅନୁସନ୍ଧାନରେ ସ୍ଥାୟୀ କୃଷି ପଦ୍ଧତି ଦିଗରେ ଏହା ଏକ ସଫଳତା କୁହାଯାଇପାରେ । ଏହି ସଫଳତା ଭବିଷ୍ୟତରେ ଦୀର୍ଘସ୍ଥାୟୀ ସ୍ପେଶ୍ ମିଶନ୍ ପାଇଁ ଜୀବନ ସହାୟତା ପ୍ରଣାଳୀ ବିକାଶରେ ଯଥେଷ୍ଟ ସହାୟକ ମଧ୍ୟ ହୋଇପାରେ ।
ସ୍ପେଶ ଗବେଷଣା ଦିଗରେ PSLV-C60ର ଭୂମିକା
କହି ରଖୁଛୁ କି, ଡିସେମ୍ବର 30 ତାରିଖରେ ଲଞ୍ଚ ହୋଇଥିବା SpaDex ମିଶନ କେବଳ ସାଟେଲାଇଟ୍ ଡକିଂ ଓ ଅନଡକିଂ ଉପରେ କାମ କରୁନାହିଁ, ଏହା ସହିତ ଏକାଧିକ ବୈଜ୍ଞାନିକ ଅନୁସନ୍ଧାନ ମଧ୍ୟ କରୁଛି ଇସ୍ରୋ । ଏଥିଲାଗି ସ୍ପେଡେକ୍ସ ମିଶନ ସହିତ POEM-4 ମିଶନ ଉପରେ ମଧ୍ୟ ସଂସ୍ଥା କାମ କରୁଛି । ଏହି ମିଶନରେ PSLV-C60 ରକେଟ୍ରେ 24ଟି ପେଲୋଡ୍ ପଠାଯାଇଛି । ଏହି ପେଲୋଡ୍କୁ ଇସ୍ରୋ ସହିତ ଅନ୍ୟ ଘରୋଇ ସଂସ୍ଥା ଓ ଷ୍ଟାର୍ଟଅପ୍ ତିଆରି କରିଛନ୍ତି । ଏଥିରେ କ୍ରପ୍ ପେଲୋଡ୍ ରହିଛି । ଯେଉଁଥିରେ 8ଟି ଝୁଡ଼ଙ୍ଗ ମଞ୍ଜି ପଠାଯାଇଥିଲା । ଏବେ ଏହା ଗଜା ହୋଇ ଗଛ ହେବା ପରେ ଇସ୍ରୋର ପରୀକ୍ଷା ସଫଳ ହୋଇଛି । ଏବେ ଏହି ଗଛର ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ଆଦ୍ରତା ଆଦିକୁ ଯାଞ୍ଚ କରାଯିବ ।
କଣ ଏହି ମିଶନର ଲକ୍ଷ୍ୟ ?
ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାକାଶ ବାୟୁମଣ୍ଡଳରେ ବୃକ୍ଷରୋପଣକୁ ପରୀକ୍ଷା ନିରୀକ୍ଷା କରିବା । କ୍ଷୀଣ ଚୁମ୍ବକୀୟ କ୍ଷେତ୍ରରେ ଗଛର ସ୍ଥିତି କିପରି ରହୁଛି ତାହା ଯାଞ୍ଚ କରାଯିବ । ଯାହାଦ୍ବାରା ଭବିଷ୍ୟତରେ ଏଠାରେ ଗଛ ଲଗାଇବା ଦିଗରେ ବୈଜ୍ଞାନିକମାନେ କାମ କରିବେ । ମହାକାଶରେ ଗଛ ଲଗାଇବା ସମ୍ଭବ ହେଲେ ପୃଥିବୀ ଉପରେ ମାନବ ସମାଜ ଖାଦ୍ୟ ଓ ଅମ୍ଳଜାନ ଲାଗି ଆଉ ନିର୍ଭର ହେବାକୁ ପଡ଼ିବ ନାହିଁ । ଝୁଡଙ୍ଗ ମଞ୍ଜିର ଅଙ୍କୁରୋଦଗମ ମହାକାଶ କୃଷିରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ମଧ୍ୟ ଦର୍ଶାଉଛି ।