କ୍ୟାନବେରା (ଅଷ୍ଟ୍ରେଲିଆ):ମୋବାଇଲ ଓ ଇଣ୍ଟରନେଟ୍ର ଜାଲରେ ଏବେ ଆବାଳବୃଦ୍ଧବନିତା । ଏହାର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ନିଜର ଅଧିକ ସମୟ ବ୍ୟୟ କରୁଛନ୍ତି । ଶିଶୁ ହେଉ କି ବୃଦ୍ଧ ଆଜିକାଲି ସମସ୍ତେ ସୋସିଆଲ ମିଡିଆ ଚଲାଉଛନ୍ତି । ଏବେ ଏମିତି ଏକ ଦେଶ ଯିଏକି ଛୋଟ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ବ୍ୟାନ ଲଗାଇବାକୁ ଯାଉଛି । ଏ ନେଇ ଯୋଜନା ଚାଲିଥିବା ବେଳେ ଖୁବଶୀଘ୍ର ନିୟମ ଲାଗୁ ହେବ ।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ ମଙ୍ଗଳବାର ଛୋଟ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ସମ୍ପର୍କରେ X ସାଇଟ୍ରେ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ହେଉଛି । ଅଧିକାଂଶ ଲୋକ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ ମଧ୍ୟ କରୁଛନ୍ତି ।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ (ANI) ସୋସିଆଲ ମିଡିଆ ବ୍ୟବହାର ପାଇଁ ଧାର୍ଯ୍ୟ ହେବ ସର୍ବନିମ୍ନ ବୟସ:-
ଏ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ କହିଛନ୍ତି, "ଆମେ ଜାଣିଛୁ ସୋସିଆଲ ମିଡିଆ ସମାଜକୁ କ୍ଷତି ପହଞ୍ଚାଉଛି । ଏହା ଛୋଟ ପିଲା ଓ କିଶୋର କିଶୋରୀମାନଙ୍କୁ ପ୍ରକୃତ ବନ୍ଧୁ ଓ ବାସ୍ତବ ଦୁନିଆରୁ ବିଚ୍ଛିନ୍ନ କରୁଛି । ଏ ନେଇ ଯୋଜନା କରାଯାଉଛି । ବିଚାର ବିମର୍ଶ ପରେ ନିୟମ ଅଣାୟିବ । ଛୋଟ ପିଲାଙ୍କ ସୁରକ୍ଷା ଲାଗି ଆମେ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ନିୟମ ଆଣିବାକୁ ଯାଉଛୁ । ସୋସିଆଲ ମିଡିଆ ସମେତ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ଲାଗି ଏକ ସର୍ବନିମ୍ନ ବୟସ ଧାର୍ଯ୍ୟ କରାଯିବ । ଯାହାକି ପିତାମାତାଙ୍କୁ ଚିନ୍ତାମୁକ୍ତ କରିବା ସହ ଶିଶୁଙ୍କୁ ସୁରକ୍ଷିତ ରଖିବ । "
ଏହା ବି ପଢନ୍ତୁ- ରିସର୍ଚ୍ଚ: ସୋସିଆଲ ମିଡିଆରେ କମ ସମୟ ବିତାଇଲେ, ସୁସ୍ଥ ରହିବ ମାନସିକ ସ୍ବାସ୍ଥ୍ୟ
61% ଲୋକଙ୍କ ମିଳିଲା ସମର୍ଥନ:-
ଅଗଷ୍ଟରେ ଅଷ୍ଟ୍ରେଲିଆ ବ୍ରଡକାଷ୍ଟିଂ କର୍ପୋରେସନର ଏକ ସର୍ଭେ ଅନୁସାରେ, 61 ପ୍ରତିଶତ ଅଷ୍ଟ୍ରେଲିଆ ନାଗରିକ 17ବର୍ଷଠୁ କମ ବୟସ୍କ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆ ଦ୍ବାରା ପ୍ରଭାବିତ ହୋଇ ଛୋଟ ପିଲା ନାନା ପ୍ରକାର ବାହାର ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି । ଯାହାଦ୍ବାରା ସେମାନେ ନା ଯେ କେବଳ ମାରାତ୍ମକ ରୋଗକୁ ନିମନ୍ତ୍ରଣ କରୁଛନ୍ତି ବରଂ ସେମାନଙ୍କ ମେଦ ବହୁଳତା ମଧ୍ୟ ବଢୁଛି । ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ପିତାମାତା ଚିନ୍ତିତ ରହୁଛନ୍ତି । ଖାଲି ସେତିକି ନୁହେଁ, ଛୋଟ ପିଲା ଅନେକ ସମୟ ଧରି ମୋବାଇଲର ବ୍ୟବହାର କରୁଥବାରୁ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗୁଡୁଛି । ଦେଶରେ ଏଭଳି ନିୟମ ଆସୁଥିବାରୁ ଅଧିକାଂଶ ଅଭିବାବକ ଏହାକୁ ସମର୍ଥନ କରିଛନ୍ତି ।