ହାଇଦ୍ରାବାଦ:ଆପଲ୍ ଆଇଫୋନ 14 ପ୍ଲସ ମଡେଲ ଲାଗି ମାଗଣା ମରାମତି ପ୍ରୋଗ୍ରାମ ଲଞ୍ଚ କରିଛି । ଏହି ମଡେଲର ରିଅର କ୍ୟାମେରାରେ କିଛି ସମସ୍ୟା ଅନେକ ବ୍ୟବହାରକାରୀ ସାମ୍ନା କରିବା ପରେ କମ୍ପାନୀ ପକ୍ଷରୁ ଏହାକୁ ମାଗଣାରେ ଠିକ୍ କରିବାକୁ କୁହାଯାଇଛି । କମ୍ପାନୀର କହିବାନୁସାରେ, 2023 ଏପ୍ରିଲ 10ରୁ 2024 ଏପ୍ରିଲ 28 ତାରିଖ ମଧ୍ୟରେ ନିର୍ମାଣ ହୋଇଥିବା ଆଇଫୋନ 14 ପ୍ଲସର କିଛି ମଡେଲ ଇମେଜ ପ୍ରିଭ୍ୟୁ ( image preview) ଦେଖାଉନାହିଁ ।
ଯଦି ଆପଣ ଆଇଫୋନ 14 ପ୍ଲସ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ ହ୍ୟାଣ୍ଡସେଟ୍ରେ ମଧ୍ୟ ସମାନ ସମସ୍ୟା ଦେଖାଯାଉଛି ତେବେ ଆପଣ ନିକଟସ୍ଥ ଆପଲ୍ ସର୍ଭିସ ସେଣ୍ଟରକୁ ଯାଇ ନିଜ ସେଟ୍କୁ ମରାମତି କରିପାରିବେ । ଆପଣଙ୍କର ଡିଭାଇସ୍ ମରାମତି ପ୍ରୋଗ୍ରାମ ପାଇଁ ଯୋଗ୍ୟ କି ନାହିଁ ତାହା ଜାଣିବା ଲାଗି ଆପଣଙ୍କୁ ଆପଲ୍ର 'ସପୋର୍ଟ ପେଜ୍'କୁ ଯାଇ ଆପଣଙ୍କ ଫୋନର କ୍ରମିକ ନମ୍ବର ପ୍ରବେଶ କରିବାକୁ ପଡ଼ିବ ।
ଆପଣଙ୍କ ଡିଭାଇସର ଯୋଗ୍ୟତା ଯାଞ୍ଚ କରିବା ପାଇଁ ନିମ୍ନଲିଖିତ ପ୍ରକ୍ରିୟା ଆପଣାନ୍ତୁ:
- ସର୍ବପ୍ରଥମେ ଆପଣ ନିଜ ଫୋନର କ୍ରମିକ ନମ୍ବର (Serial No.) ଖୋଜନ୍ତୁ । ଏଥିଲାଗି Settings > General > About ଯିବାକୁ ପଡିବ । ଏଠାରେ ଆପଣ ଆପଣଙ୍କର ଆଇଫୋନ୍ 14 ପ୍ଲସର କ୍ରମିକ ସଂଖ୍ୟା ଦେଖିପାରିବେ । ଏହାକୁ ଆପଣ କ୍ଲିପବୋର୍ଡରେ କପି କରିବାକୁ ଏହି ନମ୍ବରକୁ ଲମ୍ବା ସମୟ ପର୍ଯ୍ୟନ୍ତ ଦବାନ୍ତୁ ।
- ବର୍ତ୍ତମାନ ଆପଣଙ୍କୁ 'Click here' ଦବାଇ ଆପଲ୍ର ସପୋର୍ଟ ପେଜକୁ ଯିବାକୁ ପଡ଼ିବ ଏବଂ ତା’ପରେ ସେଠାରେ ଆପଣଙ୍କର ଡିଭାଇସର କ୍ରମିକ ନମ୍ବର ପ୍ରବେଶ କରିବାକୁ ପଡିବ । କପି କରିଥିବା ଅଙ୍କଗୁଡ଼ିକୁ ପେଷ୍ଟ କରିବାକୁ ପଡ଼ିବ । ଏଥିପାଇଁ ଆପଣ ଦୀର୍ଘ ସମୟ ଧରି ବକ୍ସକୁ ଟାପ୍ କରନ୍ତୁ ।
- ଏହାପରେ ଆପଣଙ୍କର ଆଇଫୋନ୍ 14 ପ୍ଲସ୍ ମାଗଣା ମରାମତି ପ୍ରୋଗ୍ରାମ ପାଇଁ ଯୋଗ୍ୟ କି ନୁହେଁ ତାହା ଜାଣିପାରିବେ ।
ଆପଲ୍ର ମରାମତି ପ୍ରୋଗ୍ରାମ କ୍ରୟ ତାରିଖଠାରୁ 3 ବର୍ଷ ପର୍ଯ୍ୟନ୍ତ ପାଇଁ କରିପାରିବେ । ଯାହାକି ଉପଭୋକ୍ତାମାନଙ୍କୁ ସେମାନଙ୍କର ଡିଭାଇସ୍ ମରାମତି ପାଇଁ ପର୍ଯ୍ୟାପ୍ତ ସମୟ ଦେଇଥାଏ । ଯଦି ଆପଣ ଆପଣଙ୍କର ଆଇଫୋନ୍ 14 ପ୍ଲସରେ ସମାନ ମରାମତି ପାଇଁ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ତେବେ ଆପଣ ଡିଭାଇସ୍ ମରାମତି ପ୍ରୋଗ୍ରାମ ପାଇଁ ଯୋଗ୍ୟ ହେଲେ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିପାରିବେ ।