ଭୁବନେଶ୍ବର: ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା ୧୭ ତାରିଖରେ 2025-26 ଆର୍ଥିକ ବର୍ଷ ଲାଗି ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନଙ୍କ ପେଡିରେ କ'ଣ ରହିବ ? ତାହାକୁ ନେଇ ଆକଳନ ଆରମ୍ଭ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟର ଆକାର ପ୍ରାୟ 30 ହଜାର କୋଟି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି । ଫଳରେ 3 ଲକ୍ଷ କୋଟି ବ୍ୟୟ ବରାଦ ଛୁଇଁବା ସମ୍ଭାବନା ରହିଛି ।
ଆସିବ ପୂର୍ଣ୍ଣାଙ୍ଗ ବଜେଟ୍:
ଆର୍ଥିକବର୍ଷ 2025-26ରେ ବଢିବ ଓଡିଶା ବଜେଟର ଆକାର । ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟ ପରିମାଣ ବଢ଼େଇବା ସହ ନିଯୁକ୍ତି ଓ ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ ମୋହନ ସରକାର । ଗାଁ'ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବାକୁ ସରକାର ଆଣିବେ ନୂଆ ଯୋଜନା । ବଜେଟକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଯାହାର ଶେଷ ସ୍ପର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକମତ, ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ପରାମର୍ଶରେ ପ୍ରସ୍ତୁତ ହୋଇଛି ବଜେଟ । ସେହିପରି ରାଜସ୍ୱ ବୃଦ୍ଧି କରିବା ଉପରେ ସରକାର ଗୁରୁତ୍ୱ ଦେଇ ବଜେଟରେ ବ୍ୟବସ୍ଥା କରିଛନ୍ତି । ସେହିପରି ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ବଜେଟରେ ଅର୍ଥ ବ୍ୟୟ ବରାଦ ହୋଇଛି । ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଆଇଟି, ଷ୍ଟିଲ, ଅକ୍ଷୟ ଶକ୍ତି, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ପେଟ୍ରୋକେମିକାଲ ଓ ଟେକ୍ସଟାଇଲ ଉପରେ ଫୋକସ ଦିଆଯାଇଛି । କୃଷକଙ୍କ ଆୟ ବୃଦ୍ଧି ଉପରେ ଜୋର ରହିବ ।
ଏପରି କହିଲେ ବରିଷ୍ଠ ସାମ୍ବାଦିକ:
ଏନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ଗତ ବଜେଟ ଅପେକ୍ଷା ଚଳିତ ବଜେଟ୍ 20ରୁ 30 ପ୍ରତିଶତ ଅଧିକ ହେବ । କେନ୍ଦ୍ରୀୟ ସେୟାର ଭାବେ ଓଡିଶା ବାର୍ଷିକ 55 ହଜାର କୋଟି ଅର୍ଥ ପାଇଥିଲା । ଏଥର ଆଉ 10 ହଜାର କୋଟି ଅଧିକ ଅର୍ଥ ପାଇବ । ରାଜ୍ୟ ସରକାରଙ୍କ ପାଖରେ ସମ୍ବଳର ଅଭାବ ନାହିଁ । ସେ ଦୃଷ୍ଟିରୁ ଗତ ବଜେଟରୁ ଚଳିତ ବଜେଟ 20ରୁ 30 ହଜାର କୋଟି ଅଧିକ ବ୍ୟୟବରାଦ ହେବ । ବିଶେଷ କରି ମହିଳାଙ୍କ ଉପରେ ଫୋକସ୍ କରି ଯୋଜନା ପ୍ରସ୍ତୁତ କରି ପାରନ୍ତି ରାଜ୍ୟ ସରକାର । ସମୃଦ୍ଧ ଓଡିଶାର ସ୍ୱପ୍ନ ଦେଖିଛନ୍ତି ମୋହନ ସରକାର । ତେଣୁ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା ଭିତ୍ତିିଭୂମି ଦୃଢ଼ ଉପରେ ଗୁରୁତ୍ୱ ଦିଆଯିବ । ସାମାଜିକ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉ ଅବା ରାଜ୍ୟ ସରକାର ନିଜସ୍ଵ ଅର୍ଥ ବରାଦ କରି ସୁଦୃଢ଼ କରିବେ । ସାମାଜିକ କ୍ଷେତ୍ରରେ ଯେତେ ନିବେଶ ହେବେ ମାନବ ସମ୍ବଳ ସେତେ ସୁଦୃଢ ହେବ ।"
'ଭାଗ୍ୟବାନ ସରକାର': ପୂର୍ବତନ ଅର୍ଥମନ୍ତ୍ରୀ
ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଅର୍ଥନୈତିକ ଦୃଷ୍ଟିରୁ ବର୍ତ୍ତମାନର ସରକାର ଏକ ଭାଗ୍ୟବାନ ସରକାର । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଗତ ବିଜେଡି ସରକାର ଏକ ସୁସ୍ଥ ଅର୍ଥନୈତିକ ବ୍ୟବସ୍ଥାକୁ ଛାଡିକି ଯାଇଛନ୍ତି । ନବୀନ ପଟ୍ଟନାୟକ ରାଜ୍ୟରେ ନେତୃତ୍ୱ ନେବା ସମୟରେ କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଓଭର ଡ୍ରାଫ୍ଟ ନିୟମିତ କରିବାକୁ ପଡୁଥିଲା । ଓଡିଶା ଅର୍ଥନୈତିକ ଦୃଷ୍ଟିରୁ ଏକ ବେମାର ରାଜ୍ୟ (sick state) ଥିଲା । ନବୀନ ସରକାରର ଅର୍ଥନୈତିକ ଶୃଙ୍ଖଳାରୁ ରାଜ୍ୟରେ ଅର୍ଥନୀତି ସୁସ୍ଥ ହୋଇଛି । ବିଗତ ସରକାରରେ ଓଡିଶାର ଅର୍ଥନୀତି ଆଗେଇଛି ବୋଲି ନୀତି ଆୟୋଗ ସ୍ୱୀକାର କରିଛି । ଓଡିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଛି । ବର୍ତ୍ତମାନର ସରକାର ସୁସ୍ଥ ସବଳ ଅର୍ଥନୈତିକ ବ୍ୟବସ୍ଥାକୁ ଆଗକୁ ନିଅନ୍ତୁ । ବଳକା ରାଜସ୍ୱ ପାଇ ଏହାକୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରନ୍ତୁ ନାହିଁ । ନହେଲେ ଓଡିଶାର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିବ । ଓଡିଶାର ଅର୍ଥନୈତିକ ଗତି ବଜାୟ ରଖିବାକୁ ବଜେଟରେ ଚେଷ୍ଟା କରିବେ ବୋଲି ଆଶା । ଯଦି ବିଫଳ ହୁଅନ୍ତି, ତେବେ ଲୋକେ ସରକାରଙ୍କୁ କ୍ଷମା ଦେବେନାହିଁ ।"
ମୋହନ ସରକାରଙ୍କୁ ଘେରିଲା କଂଗ୍ରେସ:
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, "ବିଜେପି ସରକାର ଆସିବାକୁ ପ୍ରାୟ ୮ ମାସ ହେଲାଣି । ମୋହନ ସରକାର ଦ୍ବିତୀୟ ବାର୍ଷିକ ବଜେଟ ଆଣିବାକୁ ଯାଉଛନ୍ତି । ଗତ ବଜେଟ ହୋଇଥିବା ଆର୍ଥିକ ବ୍ୟୟ ବରାଦ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 50 ପ୍ରତିଶତ ଖର୍ଚ୍ଚ କରିଛନ୍ତି । ଅର୍ଥ ଖର୍ଚ୍ଚ ହୋଇନଥିବା ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି । ସରକାରକୁ ଆସିବା ପାଇଁ ବିଭିନ୍ନ କଥା କହିଥିଲେ ବି କାର୍ଯ୍ୟକାରୀ କରିନାହାନ୍ତି ।"
'ଚଳିତ ବଜେଟ ବିକାଶମୁଖୀ ହେବ':ଆଇନ ମନ୍ତ୍ରୀ
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ ବିକାଶମୁଖୀ ହେବ । ରାଜ୍ୟର ବିକାଶର ଯାତ୍ରାକୁ ଆଗକୁ ନେବା ପାଇଁ ପଦକ୍ଷେପ ନିଆଯିବ । ଯାହା ଯାହା ପରିକଳ୍ପନା ବିଭିନ୍ନ ସମୟରେ ଗତ 6ରୁ 7 ମାସ ମଧ୍ୟରେ ସରକାରଙ୍କ ତରଫରୁ ଘୋଷଣା ହୋଇଛି । ଆଗକୁ ଯାହା ଯାହା ହେବ ବୋଲି ଯୋଜନା କରାଯାଇଛି ସେ ସମସ୍ତ କଥାକୁ ବଜେଟରେ ସ୍ଥାନିତ କରାଯିବ । ଏଇ ବଜେଟ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ବିକାଶକୁ ଏକ ନୂଆ ଚିତ୍ର ଓ ନୂଆ ମାନଚିତ୍ର ଦେବ ।"
2024-25 ଆର୍ଥିକ ବର୍ଷ ପାଇଁ 2 ଲକ୍ଷ 65 ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ମୋହନ । 2023-24 ଆର୍ଥିକ ବର୍ଷ ତୁଳନାରେ 15 % ବୃଦ୍ଧି ହୋଇଥିଲା । 2023-24 ଆର୍ଥିକ ବର୍ଷରେ ବଜେଟ ପରିମାଣ ଥିଲା 2 ଲକ୍ଷ 5 ହଜାର କୋଟି । କୃଷି ଓ କୃଷିକ୍ଷେତ୍ର ପାଇଁ ପୂର୍ବ ବର୍ଷ ବଜେଟ ତୁଳନାରେ 15 % ଅଧିକ ଅର୍ଥ ବ୍ୟୟ ବରାଦ ହୋଇଥିଲା । ଚଳିତ ବର୍ଷ ଏହା ମଧ୍ୟ ବୃଦ୍ଧି ହେବ । ଅନ୍ୟପକ୍ଷରେ 2 ଲକ୍ଷ 65 ହଜାର କୋଟି ବ୍ୟୟ ବରାଦ ହୋଇଥିଲେ ମଧ୍ୟ ବ୍ୟୟ ସନ୍ତୋଷଜନକ ହୋଇନାହିଁ । 3 କ୍ୱାର୍ଟର ଶେଷ ପରେ 50 ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ସେହିପରି ରାଜସ୍ୱ ସଂଗ୍ରହ ଉତ୍ସାହଜନକ ହୋଇନାହିଁ । ଖଣି ରାଜସ୍ୱ ସଂଗ୍ରହ 1 ପ୍ରତିଶତ କମ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର