ଭୁବନେଶ୍ବର: ଆଜି ହେଉଛି ବିଶ୍ବ ବନ ଦିବସ । ଏହି ଅବସରରେ ଜୟଦେବ ଭବନ ଠାରେ ବିଶ୍ଵ ବନ ଦିବସ ପାଳନ କରାଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂବନସଂରକ୍ଷକ ଓ ଜଙ୍ଗଲ ବାହିନୀ ପ୍ରମୁଖ ଦେବୀଦତ୍ତ ବିଶ୍ବାଳଙ୍କ ସମେତ ଅନ୍ୟ ଅତିଥି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ଏବଂ ଯୋଜନା ଖସଡ଼ାର କାର୍ଯ୍ୟକଳାପକୁ ସଂକଳନ କରି "ଓଡ଼ିଶା ବନ ବିଭାଗ ୨୦୨୪ ର ହାଇଲାଇଟ୍" ଶୀର୍ଷକ ଏକ ପୁସ୍ତକ ପ୍ରକାଶ ପାଇଛି । ବନ କର୍ମଚାରୀମାନେ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ଫରେଷ୍ଟ ରେଞ୍ଜର ପଦବୀର ୪୦ ଜଣ ବନ କର୍ମଚାରୀଙ୍କୁ ବିଶ୍ବ ବନ ଦିବସ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଛି ।
ମୁଖ୍ୟ ଅତିଥି ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ପରିମାଣ ୫୭ ହଜାର ୧୬୦ ବର୍ଗ କିଲୋମିଟର ରହିଛି । ଯାହା ରାଜ୍ୟର ସମଗ୍ର ଭୌଗୋଳିକ ଅଞ୍ଚଳର ୩୬.୭୧ ପ୍ରତିଶତ । ଏହା ଜାତୀୟ ସ୍ତରର ହାରାହାରି ୨୪.୬୨ ପ୍ରତିଶତ ଠାରୁ ଅଧିକ । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ବିବରଣୀ ୨୦୨୧ ମସିହା ଆକଳନ ଅନୁଯାୟୀ, ଗତ ଦୁଇ ମୂଲ୍ୟାଙ୍କନ ବର୍ଷରେ ଅର୍ଥାତ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଏବଂ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କି.ମି. ଅଭିବୃଦ୍ଧି ଘଟିଛି । ରାଜ୍ୟରେ ୧୩.୮୫୬ ବର୍ଗ କିଲୋ ମିଟରରୁ ଅଧିକ ଉଜୁଡା ଜଙ୍ଗଲ ଅଞ୍ଚଳକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟରେ ୧୬୧୨୮ ଗୋଟି ବନ ସୁରକ୍ଷା ସମିତି (VSS) ଏବଂ ୫୯୦ ଗୋଟି ଇକୋ ବିକାଶ କମିଟି ଗଠନ କରାଯାଇଛି । ଆମ ଜଙ୍ଗଲ ଯୋଜନା ଅଧୀନରେ ପ୍ରାୟ ୪.୬୦୧ ବନ ସୁରକ୍ଷା ସମିତି ଏବଂ ୧୪୨୬୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (SHG) ଗୁଡିକ ବିଭିନ୍ନ ଆୟ ଉପାର୍ଜନ କାର୍ଯ୍ୟକଳାପ ସହିତ ସଂପୃକ୍ତ ଅଛନ୍ତି ।"