ବଲାଙ୍ଗୀର:ଗାଁ ପୁଅ ହେଲା ସୈନିକ ଉତ୍ସବମୁଖର ପଣ୍ଡାମୁଣ୍ଡା । ଗାଁରୁ ପ୍ରଥମ ଥର ସୈନିକ ଚାକିରି ପାଇ ଗାଁକୁ ଫେରିବା ପରେ ତାଙ୍କୁ ଗ୍ରାମବାସୀ ପାଛୋଟି ନେଇ ଦେଇଛନ୍ତି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ଏଭଳି ଦୃଶ୍ୟ ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପଣ୍ଡାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଏହି ଗ୍ରାମର ଗରିବ ପରିବାର କୃପାସିନ୍ଧୁ ବିଶି ଓ ଚଞ୍ଚଳା ବିଶିଙ୍କ ପୁଅ ନିମାଇଁ ଚରଣ ବିଶି ଭାରତୀୟ ସୁରକ୍ଷା ବାହିନୀରେ ଚାକିରି ପାଇଛନ୍ତି। ତେବେ ସେ ଗତ ଅକ୍ଟୋବର ମାସ 2023ରେ ବିଏସଏଫରେ ଚାକିରି ପାଇଥିଲେ। ଆଜି ଟ୍ରେନିଂ ସାରି ନିଜ ଜନ୍ମ ମାଟିକୁ ଫେରିଥିଲେ। ତେବେ ତାଙ୍କ ଚାକିରି ପାଇବାରେ ସେ କିମ୍ବା ତାଙ୍କ ପରିବାର ଯେତେ ଖୁସି ନଥିବେ ତାଠୁ ଅଧିକ ଗ୍ରାମବାସୀ ଏଥିରେ ଖୁସି ହୋଇଛନ୍ତି।
ଦେଶ ସେବା ପାଇଁ ସମସ୍ତଙ୍କୁ ଏଭଳି ସୁଯୋଗ ମିଳି ନଥାଏ । ତେବେ ତାଙ୍କ ଗ୍ରାମର ସେ ପ୍ରଥମ ଯୁବକ ଭାବରେ ଏହି ସୁଯୋଗ ପାଇଥିବାରୁ ଗ୍ରାମବାସୀ ଖୁସିରେ ବିଭୋର ହୋଇଛନ୍ତି। ତେବେ ଆଜି ଟ୍ରେନିଂ ସାରି ଗାଁ ପୁଅ ନୀମାଇ ଚରଣ ବିଶି ଗାଁକୁ ଫେରିଥିବା ବେଳେ ଗ୍ରାମବାସୀ ଏକାଠି ହୋଇ ଢୋଲ, ନଗାଡା ଓ ଫୁଲରେ ତାଙ୍କର ସ୍ବାଗତ କରିଥିଲେ। ସେହିପରି ଗାଁର ଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ ପରେ ତାଙ୍କୁ ନେଇ ସାରା ଗ୍ରାମରେ ଏକ ବଡ଼ ଶୋଭାଯାତ୍ରା କରିଥିଲେ । ଯାହାକୁ ଗ୍ରାମବାସୀ ଏକ ଉତ୍ସବ ଭାବରେ ପାଳନ କରିଥିଲେ। ସେପଟେ ସୈନିକ ଚାକିରି ପାଇଥିବା ନିମାଇଁ ଚରଣ ବିଶିଙ୍କ ସମ୍ପର୍କୀୟ କାକା ଭେଙ୍କଟ ରମଣ ବିଶି କହିଛନ୍ତି, "ପୁତୁରା ଆଜି ଏଥିରେ ସଫଳ ହୋଇଛି । ଦେଶ ସେବା କରିବା ପାଇଁ ସେ ବିଏସଏଫରେ ଚାକିରି ପାଇଛନ୍ତି। ଏଥିରେ ତାଙ୍କ ପରିବାର ବହୁ ଖୁସି ଥିବା ବେଳେ ଦେଶ ସେବା ପାଇଁ ତାଙ୍କ ପୁଅ ସୁଯୋଗ ପାଇଥିବାରୁ ସେମାନେ ଗର୍ବିତ ।"