ଦେବଗଡ଼: ଜିଲ୍ଲାର ନାଗରିକ କମିଟିର ବୌଦ୍ଧିକ ଆଲୋଚନା ଚକ୍ରରେ ଯୋଗଦେଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉନ୍ନତ ଓ ଅତ୍ୟାଧୁନିକ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ବିକାଶର ପେଣ୍ଠସ୍ଥଳୀ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଗତକାଲି (ଶନିବାର) ଦେବଗଡ଼ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ବୌଦ୍ଧିକ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯୋଗଦେଇ ଦେବଗଡ଼ ଜିଲ୍ଲା "ବର୍ତ୍ତମାନ ଓ ଭବିଷ୍ୟତ" ଶୀର୍ଷକ ଆଲୋଚନା ଚକ୍ରରେ ମତ ରଖିବା ସହ ଜିଲ୍ଲାରେ ମୋଦି ସରକାରରେ ହୋଇଥିବା ବିକାଶର କାମ କଥା କହିଛନ୍ତି । ଦେବଗଡରେ ଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି । ଦେବଗଡର ଭବିଷ୍ୟତ ନେଇ ଅନେକ ପରାମର୍ଶ ଦେବା ସହ ନାଗରିକ କମିଟିର ଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି ।
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଦେବଗଡ଼ ଜିଲ୍ଲା ହେଉଛି ଅପାର ସମ୍ଭାବନାର ଅଞ୍ଚଳ । ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଦିଗରେ ଦେବଗଡ଼ର ଭୂମିକା ଅତୁଳନୀୟ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଏଠାରେ ସାଧାରଣ କୃଷି ଓ ଉଦ୍ୟାନ କୃଷିକୁ ଗୁରୁତ୍ୱ ଦେବାକୁ ଦେବ । କୃଷି ପ୍ରଧାନ ଅଞ୍ଚଳ ଦେବଗଡରେ ଆଗାମୀ ଦିନରେ ସମଗ୍ର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ସାମଗ୍ରୀ ଉତ୍ପାଦନ କରିବା ପାଇଁ ହେବ । ଚାଷୀଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ନୂଆ ପଦ୍ଧତିରେ ଚାଷ କାର୍ଯ୍ୟ ଶିଖାଇବା ପାଇଁ ହେବ । ଏଠାରେ ଯୁବପିଢିଙ୍କୁ ପର୍ବତ ଆହୋରଣର ତାଲିମ ଦେବା ପାଇଁ କଳ୍ପନା କରିବାକୁ ହେବ । ଏହା ଦ୍ୱାରା ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇପାରିବ ।