କଟକ: ବିଚାରପତିଙ୍କ ନିଆରା ସର୍ତ୍ତ । ଅଭିଯୁକ୍ତକୁ ଗଛ ଲଗାଇବା ସର୍ତ୍ତ ରଖି ଜାମିନ ପ୍ରଦାନ କଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ । ବିଦ୍ୟୁତ ସାମଗ୍ରୀ ଚୋରି ଅଭିଯୋଗରେ ଜେଲ ଯାଇଥିବା ଜଣେ ଅଭିଯୁକ୍ତ ଆଗରେ ଏଭଳି ନିଆରା ସର୍ତ୍ତ ରଖି ଚର୍ଚ୍ଚାରେ ବିଚାରପତି ।
ଗଛ ଲଗାଇବା ସର୍ତ୍ତରେ ଜାମିନ:
ବିଦ୍ୟୁତ ସାମଗ୍ରୀ ଚୋରୀ ଅଭିଯୋଗରେ ଜେଲ ଯାଇଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନରେ ଛାଡିବା ପାଇଁ ଓଡିଶା ହାଇକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷକରି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିଆରା ସର୍ତ୍ତ ରଖିଛନ୍ତି । ପରିବେଶକୁ ସାରା ବିଶ୍ବରେ ଗୁରୁତ୍ବ ଦିଆଯାଉଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ଏଭଳି ସର୍ତ୍ତ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିଛି ।
ବିଦ୍ୟୁତ ସାମଗ୍ରୀ ଚୋରି ଅଭିଯୁକ୍ତଙ୍କୁ କୋର୍ଟରେ ନିଆରା ସର୍ତ୍ତ:
୨ ଲକ୍ଷ ଟଙ୍କାର ବିଦ୍ୟୁତ ସାମଗ୍ରୀ ଚୋରି ମାମଲାରେ ଗତବର୍ଷ (୨୦୨୪) ଡିସେମ୍ବର ୨୫ରୁ ଗିରଫ ହୋଇଥିଲା ମାନସ । ଜାମିନ ପ୍ରଦାନ ପାଇଁ ଅଭିଯୁକ୍ତ ମାନସ ଆବେଦନ କରିଥିବା ବେଳେ ଏହି ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା । ଜାମିନ ମଞ୍ଜୁର କରିବା ପାଇଁ ଏକ ନିଆରା ସର୍ତ୍ତ ରଖିଥିଲେ ବିଚାରପତି । ୨୦୦ଟି ଗଛ ଲଗାଇ ୨ ବର୍ଷ ପର୍ଯ୍ୟନ୍ତ ସେହି ଗଛଗୁଡିକର ଯତ୍ନ ନେବାକୁ ସର୍ତ୍ତ ରଖିଥିଲେ କୋର୍ଟ ।
'୨୦୦ ଗଛ ଲଗାଇ ୨ବର୍ଷ ଯାଏ ଯତ୍ନ ନେବେ ଅଭିଯୁକ୍ତ'
ଜାମିନରେ ଛାଡ଼ ପାଇବା ପରେ ଅଭିଯୁକ୍ତ ନିଜ ଗାଁର ଆଖପାଖରେ ୨୦୦ଟି ଆମ୍ବ, ନିମ, ତେନ୍ତୁଳି ଭଳି ସ୍ଥାନୀୟ ପ୍ରଜାତିର ଚାରା ଲଗାଇବେ । ଅଭିଯୁକ୍ତ ତାଙ୍କ ପରିବାର ଦଖଲରେ ଥିବା ଜମି, ସରକାରୀ ଜମି, ଗୋଷ୍ଠୀ ଅଥବା ଘରୋଇ ଜମିରେ ଏହି ଗଛ ଲଗାଇ ପାରିବେ । ରାଜସ୍ବ କର୍ତ୍ତୃପକ୍ଷ ଗଛ ଲଗାଇବା ପାଇଁ ଜମି ଚିହ୍ନଟ କ୍ଷେତ୍ରରେ ସହଯୋଗ କରିବେ । ଯଦି ଅଭିଯୁକ୍ତଙ୍କ ପାଇଁ ଜମି ଉପଲବ୍ଧ ନ ହୁଏ ତେବେ ରାଜସ୍ବ କର୍ତ୍ତୃପକ୍ଷ ଗଛ ଲଗାଇବା ପାଇଁ ଜମି ଚିହ୍ନଟ ପାଇଁ ପଦକ୍ଷେପ ଗ୍ରହଣ କରିବେ।
ସେହପରି ଜିଲ୍ଲା ନର୍ସରି/ଡିଏଫଓ ଚାରା ଯୋଗାଇବା କ୍ଷେତ୍ରରେ ସହାୟତା କରିବେ । ଅଭିଯୁକ୍ତ ୨୦୦ ଚାରା ରୋପଣ କରିବା ପ୍ରସଙ୍ଗ ସ୍ଥାନୀୟ ଥାନା ଆଇଆଇସି ଓ ଜଙ୍ଗଲ ବିଭାଗ ଅଧିକାରୀ ତଦାରଖ କରିବେ । ଚାରା ରୋପଣ କରିବା ପରେ ଏ ପ୍ରସଙ୍ଗରେ ଏକ ସତ୍ୟପାଠ ଅଭିଯୁକ୍ତ ସ୍ଥାନୀୟ ଥାନାରେ ଦାଖଲ କରିବେ । ଦୁଇ ବର୍ଷ ପର୍ଯ୍ୟନ୍ତ ଚାରା ଗୁଡ଼ିକର ରକ୍ଷଣାବେକ୍ଷଣ ଓ ଯତ୍ନ ନେବେ ବୋଲି ଅଭିଯୁକ୍ତ ପ୍ରତିଶ୍ରୁତି ଦେବେ ।
ହାଇକୋର୍ଟଙ୍କ ସର୍ତ୍ତକୁ ପ୍ରଶଂସା:
କେବଳ ସେତିକି ନୁହେଁ ଜାମିନରେ ଥିବା ବେଳେ ଅଭିଯୁକ୍ତ କୌଣସି ଅପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି । ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଏଥିସହିତ ଜାମିନ ପ୍ରଦାନ ବେଳେ ନିମ୍ନ ଅଦାଲତ ମଧ୍ୟ ସର୍ତ୍ତ ଧାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ... ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର ସ୍ୱାମୀଙ୍କ ପୁରୁଷତ୍ୱ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତଳ କୋର୍ଟଙ୍କ ରାୟକୁ କରାଯାଇଥିଲା ଚ୍ୟାଲେଞ୍ଜ |
ସୂଚନାଯୋଗ୍ୟ ପୋଖରାସାଲେରୁ ଖୋଣ୍ଡୋକାତା ପର୍ଯ୍ୟନ୍ତ ବିଦ୍ୟୁତ କାମ ଚାଲିଥିବା ବେଳେ ୬ଟି ଲୁହା ଖୁଣ୍ଟ ଚୋରି ହୋଇ ଯାଇଥିଲା । ଏନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ ଆଇପିସିର ଦଫା ୩୭୯, ୩୪ରେ ପୁଲିସ ମାମଲା ରୁଜୁ କରି ଆବେଦନକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ଏଭଳି ସର୍ତ୍ତକୁ ସବୁଠି ପ୍ରଶଂସା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ