ଓଡିଶା

odisha

ଜଟିଆ ବାବା ମଥାରେ ଢାଲି ପାରିଲେନି ପବିତ୍ର ଜଳ; ଟ୍ରକ ଧକ୍କାରେ ଚାଲିଗଲା 2 କାଉଡିଆଙ୍କ ସମେତ 3 ଜଣଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ - Truck accident in Ganjam

By ETV Bharat Odisha Team

Published : Aug 3, 2024, 11:14 AM IST

Updated : Aug 3, 2024, 3:18 PM IST

Ganjam Truck Accident: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥ ଡ଼ିମିରିଆ ଛକରେ ଦୁର୍ଘଟଣା । ମାଡ଼ିଗଲା ଟ୍ରକ,ପାଣିଭାର ନେଇ ଯାଉଥିବା ଦୁଇ କାଉଡିଆଙ୍କ ସମେତ ତିନି ମୃତ୍ୟୁ । ଅଧିକ ପଢନ୍ତୁ

Ganjam Truck Accident
Ganjam Truck Accident (ETV Bharat Odisha)

ଖଲ୍ଲିକୋଟ:କାଉଡିଆ ଯାତ୍ରା ହେଲା ଶେଷ ଯାତ୍ରା । ମହାଦେବଙ୍କୁ ଜଳାଭିଷେକ କରିବା ଲାଗି ଜଳଭାର ନେଇ ଯାଉଥିବା ବେଳେ ଚାଲିଗଲା ଜୀବନ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥ ଡ଼ିମିରିଆ ଛକରେ ଟ୍ରକ ଦୁର୍ଘଟଣାରେ ଦୁଇ ଜଣ କାଉଡ଼ିଆଙ୍କ ସମେତ ଜଣେ ପଥଚାରି ଶ୍ରମିକଙ୍କୁ ମିଶାଇ ମୋଟ ତିନି ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Truck accident in Ganjam Khallikote 2 kaudia and one labour died (ETV Bharat Odisha)

କାଉଡିଆଙ୍କୁ ଚାପି ଦେଲା ଟ୍ରକ:

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥ ଡ଼ିମିରିଆ ଛକରେ ଏକ ଟ୍ରକ ଆନ୍ଧ୍ରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ଯାଉଥିବା ୧୦ଜଣ କାଉଡିଆଙ୍କ ମଧ୍ୟରୁ ଦୁଇ ଜଣ କାଉଡ଼ିଆକୁ ଟ୍ରକ ଚାପି ଦେଇଥିଲା । କିଛି ଦୂରରେ ଯାଉଥିବା ଅନ୍ୟ ଜଣେ ଶ୍ରମିକକୁ ଟ୍ରକ ଚାପି ଦେଇ ରାସ୍ତାରେ ହିଁ ଟ୍ରକଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୨ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଶ୍ରମିକ ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ଖଲ୍ଲିକୋଟ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଦୁର୍ଘଟଣା ଖବର ପାଇବା ପରେ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣାର କାରଣ ଏବେସୁଦ୍ଧା ଜଣାପଡିନାହିଁ ।

ଗାଁରେ ଶୋକର ଛାୟା:

ମୃତ ଦୁଇ କାଉଡିଆ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ରଞ୍ଜି ନାୟକ ଓ ପପୁ ନାୟକ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଶ୍ରମିକ ଜଣକ ସ୍ଥାନୀୟ ଦଲିବାଟି ଗାଁର ଏ. ବନମାଳୀ ପାତ୍ର ହୋଇଥିବା ଜଣାପଡିଛି । ସମସ୍ତ କାଉଡିଆ ଗଞ୍ଜାମ ଋଷିକୁଲ୍ୟା ନଦୀରୁ ଗତକାଲି (ଶୁକ୍ରବାର) ପାଣି ଉଠାଇ ପାଣିଭାର ନେଇ ବାଣପୁର ଅଭିମୁଖେ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଅନ୍ୟପଟେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଦାବି:

ଏନେଇ ଜଣେ କାଉଡ଼ିଆ ହେମନ୍ତ ଘଡ଼େଇ କହିଛନ୍ତି, "ଗତକାଲି ୧୨ଟାରେ ରଷିକୁଲ୍ୟା ନଦୀରୁ ପାଣି ଉଠଇ ବାହାରିଥିଲୁ । ସେଠାରୁ ପ୍ରଥମେ ହୁମ୍ମାରେ ରହିଥିଲୁ । ସେଠାରୁ ରମ୍ଭା ଆସି ରାତିରେ ରହିବା ପରେ ଆଜି ଭୋର ୪ଟା ସମୟରୁ ଉଠି ଯାଉଥିଲୁ । ଖଲ୍ଲିକୋଟ ଘାଟିରେ ଦୁର୍ଘଟଣା ଘଟିଥିଲା । ଟ୍ରକଟି ପ୍ରଥମେ ସେଠାରେ ରହିଥିବା ଜଣେ ବୃଦ୍ଧ ଶ୍ରମିକକୁ ଧକ୍କା ଦେବା ପରେ ଦୁଇ କାଉଡିଆଙ୍କୁ ଧକ୍କା ଦେଇଥିଲା । ମୃତକଙ୍କ ମଧ୍ୟରୁ ଜଣଙ୍କ ବାପା ନଥିବା ବେଳେ ମୃତ ରଞ୍ଜିତ ନାୟକଙ୍କ ୨ଟି ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି । ମୃତକଙ୍କ ପରିବାରକୁ ସରକାର ସହାୟତା ଯୋଗାଇ ଦିଅନ୍ତୁ ।"

ଏହାମଧ୍ୟ ପଢନ୍ତୁ... ଟ୍ୟୁସନରୁ ଫେରିବା ବାଟରେ ଛକିଥିଲା ଯମ ! ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ - bike tractor accident Puri

ସମ୍ପର୍କୀୟ ଦାବି କଲେ ସହାୟତା:

ସେପଟେ ମୃତ ବୃଦ୍ଧ ଶ୍ରମିକ ଏ.ବନମାଳି ପାତ୍ରଙ୍କ ସଂପର୍କୀୟ ବି ଲିଙ୍ଗରାଜ ପାତ୍ର କହିଛନ୍ତି, "ଏ.ବନମାଳି ଆମ ସମ୍ପର୍କୀୟ ହେବେ । ସେ ସକାଳୁ କାମ କରିବାକୁ ଯାଉଥିବା ବେଳେ ଟ୍ରକ ତାଙ୍କୁ ଧକ୍କା ଦେଇଥିଲେ । ସେ ଗରିବ ଲୋକ । ତାଙ୍କ ରୋଜଗାରରେ ତାଙ୍କ ପରିବାର ଚଳୁଥିଲା । ଏବେ ତାଙ୍କ ପରିବାର ଚଳିବା ପରିସ୍ଥିତିରେ ନାହାନ୍ତି । ତେଣୁ ସରକାର ଯଦି ସହାୟତା ଦିଅନ୍ତି ତେବେ ତାଙ୍କ ପରିବାର ଚଳିପାରିବେ । ସରକାର ତୁରନ୍ତ ଏଥିପ୍ରତି କାର୍ଯ୍ୟନୁଷ୍ଠାନ ନିଅନ୍ତୁ ।"

ଏସଡିପିଓ କହିଲେ ତଦନ୍ତ ହେବ:

ସେପଟେ ଏନେଇ ଛତ୍ରପୁର ଏସ.ଡି.ପି.ଓ ଗୌରହରି ସାହୁ କହିଛନ୍ତି, "କିଭଳି ଏବଂ କେଉଁ ପରିସ୍ଥିତିରେ ଟ୍ରକ ଧକ୍କାରେ ଦୁଇ କାଉଡିଆଙ୍କ ସମେତ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଲା ତାହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତ୍ତର ସହିତ ଦୃଷ୍ଟିକୁ ନିଆଯାଇ ଦୁର୍ଘଟଣା ଘଟାଇଥିବା ଟ୍ରକର ଗାଡି ଚାଳକକୁ ପୋଲିସ ଅଟକ ରଖିଛି । ଜିଲ୍ଲା ପରିବହନ ବିଭାଗର ଅତିରିକ୍ତ ଆର.ଟି.ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ରିପୋର୍ଟ ମିଳିବା ପରେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହେବ । ମୃତକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।"

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 3, 2024, 3:18 PM IST

ABOUT THE AUTHOR

...view details